କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ମାର୍ଚ୍ଚ ୧୬ରେ

0

ନୂଆଦିଲ୍ଲୀ : ଲୋକସଭା ଓ ବିଧାନସଭା କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ଏଆଇସିସି କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ମାର୍ଚ୍ଚ ୧୬ରେ ବସିବ। ଶନିବାର ଦ୍ୱିତୀୟ ପର୍ଯ୍ୟାୟ ସ୍କ୍ରିଂନିଂ କମିଟି ବୈଠକ ପରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ସମସ୍ତ ଲୋକସଭା ଓ ବିଧାନସଭା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ମୋହର ମାରିବ। ଏକ ସଙ୍ଗେ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ବଦଳରେ ପର୍ଯ୍ୟାୟ କ୍ରମେ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯିବାର ସମ୍ଭାବନା ରହିଛି। ଏହାଦ୍ବାରା ଟିକେଟ ଆଶାୟୀଙ୍କ ଅସନ୍ତୋଷକୁ ରୋକା ଯାଇପାରିବ ବେଲି ଏଆଇସିସି ବିଚାର କରୁଛି।
ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପ୍ରକ୍ରିୟାରେ ବିଜେଡ଼ି ଓ ବିଜେପି ତୁଳନାରେ କଂଗ୍ରେସ ଦଳ ବହୁ ଆଗରେ ରହିଛି। ଶନିବାର ସୁଦ୍ଧା ସମସ୍ତ ଲେକାସଭା ଓ ବିଧାନସଭା ଆସନ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି ନିର୍ବାଚନ ପ୍ରସ୍ତୁତିରେ ଅନ୍ୟ ଦଳ ଠାରୁ ଢ଼େର ଆଗରେ ରହିବା ସଙ୍କେତ ଦେବାକୁ ଚେଷ୍ଟା କରୁଛି। ହେବିୱେଟଙ୍କୁ ଟିକେଟ ଦେଇ ବିଜୟୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଦଳ ରଣନୀତି ପ୍ରସ୍ତୁତ କରୁଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରୀପୋଖରୀ କିମ୍ବା ଘସିପୁରା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ପୂର୍ବତନ ପିସିସି ସଭାପତିଙ୍କ ମଧ୍ୟରୁ କାମାକ୍ଷା ପ୍ରସାଦ ସିଂଦେଓ ଢ଼େଙ୍କାନାଳ ଲୋକସଭାରୁ, ଶରତ ପଟ୍ଟନାୟକ ଟିଟଲାଗଡ଼ ବିଧାନସଭାରୁ, ଜୟଦେବ ଜେନା ଆନନ୍ଦପୁର ବିଧାନସଭାରୁ, ପ୍ରସାଦ ହରିଚନ୍ଦନ ସତ୍ୟବାଦୀ ବିଧାନସଭାରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ପୂର୍ବତନ ପିସିସି ସଭାପତି କାହ୍ନୁ ଚରଣ ଲେଙ୍କା ଓ ହେମାନନ୍ଦ ବିଶ୍ୱାଳଙ୍କୁ ବୟସାଧିକ କାରଣରୁ ଦଳ ଆଗାମୀ ନିର୍ବାଚନରେ ଟିକେଟ ଦେବ ନାହିଁ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭାରୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ କଳାହାଣ୍ଡି ଲୋକସଭାରୁ, ପୂର୍ବତନ ସାଂସଦଙ୍କ ମଧ୍ୟରୁ ଅମରନାଥ ପ୍ରଧାନ ସମ୍ବଲପୁର ଲୋକସଭାରୁ, ପ୍ରଦୀପ ମାଝୀ ନବରଙ୍ଗପୁର ଲୋକସଭାରୁ, ବିଭୁପ୍ରସାଦ ତରାଇ ଜଗତସିଂପୁର ଲୋକସଭାରୁ ଓ ଭଦ୍ରକରୁ ଅନନ୍ତ ଚରଣ ସେଠୀଙ୍କୁ କଂଗ୍ରେସ ଟିକେଟ ମିଳିବାର ସମ୍ଭାବନା ରହିଛି। ଭଦ୍ରକ ଲୋକସଭା ଆସନରୁ ନୁହେଁ; ସୋର ବିଧାନସଭାରୁ ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ ଅନନ୍ତ ଚରଣ ସେଠୀ। ଦଳ ଏବଂ କର୍ମୀ ଚାହିଁଲେ ସୋର ବିଧାନସଭାରୁ ପ୍ରାର୍ଥୀ ହେବି ବୋଲି ସମାଜ’କୁ କହିଛନ୍ତି ଶ୍ରୀ ସେଠୀ।
ଏଆଇସିସି ପଦାଧିକାରୀଙ୍କ ମଧ୍ୟରେ ତେଲେଙ୍ଗାନା କଂଗ୍ରେସ ପ୍ରଭାରୀ ରାମଚନ୍ଦ୍ର ଖୁଣ୍ଟିଆ ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି। ତେଲେଙ୍ଗାନା କଂଗ୍ରେସ ସଂଗଠନକୁ ଅଧିକ ସମୟ ଦେବା ପାଇଁ ପୂର୍ବରୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଆଇସିସି ସଂପାଦକ ତଥା ଗୁଜୁରାଟ ସହ ପ୍ରଭାରୀ ବିଶ୍ୱ ରଞ୍ଜନ ମହାନ୍ତି ଓଡ଼ିଶା ନିର୍ବାଚନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଛନ୍ତି। ଗୁଜୁରାଟ କଂଗ୍ରେସ ସଂଗଠନକୁ ଅଧିକ ଧ୍ୟାନ ଦେବା ପାଇଁ ପୂର୍ବରୁ ବିଶ୍ୱରଞ୍ଜନ ଘୋଷଣା କରିଥିଲେ। ସେହପରି ଏଆଇସିସି ସଂପାଦକ ଶରତ ରାଉତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ଥିଲେ ମଧ୍ୟ ତାଙ୍କ ପ୍ରାର୍ଥୀତ୍ୱ ବିଷୟରେ ଏପର୍ଯ୍ୟନ୍ତ ସ୍କ୍ରିଂନିଂ କମିଟି କିଛି ସ୍ଥିର କରିନାହିଁ ନଥିବାର ଜଣାପଡ଼ିଛି।

Leave A Reply