ଆନ୍ଧ୍ରରେ ପ୍ରତିଷ୍ଠା ହେବ ତିନି ରାଜଧାନୀ

ଅମରାବତି: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ତାଙ୍କ ପରିକଳ୍ପନା ଯଦି ବାସ୍ତବ ରୂପ ନିଏ; ତେବେ ଏହି ରାଜ୍ୟର ତିନିଟି ରାଜଧାନୀ ପ୍ରତିଷ୍ଠା ହେବ। ଏହା ଦ୍ବାରା ରାଜ୍ୟର ବିକାଶ ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡି କହିଛନ୍ତି। ସବୁବେଳେ କ୍ଷମତାର ବିକେନ୍ଦ୍ରୀକରଣ କଥା କହୁଥିବା ଜଗନ୍‌ ଅମରାବତି, ବିଶାଖାପାଟଣା ଓ କର୍ଣ୍ଣୁଲରେ ତିନିଟି ରାଜଧାନୀ ପ୍ରତିଷ୍ଠା କରିବା ଯୋଜନାରେ ଅଛନ୍ତି। ଏଥିପାଇଁ ସେ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି; ଯାହା ପ୍ରସ୍ତାବ ଉପରେ ତର୍ଜମା କରୁଛି। ଏକ କନ୍‌ସଲଟାନ୍ସୀ ଫାର୍ମକୁ ମଧ୍ୟ ଏ ସମ୍ପର୍କରେ ଆକଳନ କରିବାକୁ ଦାୟିତ୍ବ ଦିଆଯାଇଛି।
ଏହି ଯୋଜନ ଅନୁଯାୟୀ, ଗୋଟିଏ ସ୍ଥାନରେ ରହିବ ବିଧାନସଭା, ଅନ୍ୟ ଦୁଇଟିରେ କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ବିଶାଖାପାଟଣାରେ କାର୍ଯ୍ୟପାଳିକା ପ୍ରତିଷ୍ଠା କରାଯିବା ପ୍ରସ୍ତାବ ଥିବାବେଳେ ବର୍ତ୍ତମାନର ଅସ୍ଥାୟୀ ରାଜଧାନୀ ଅମରାବତିଠାରେ ବିଧାନପାଳିକା ଓ କର୍ଣ୍ଣୁଲଠାରେ ନ୍ୟାୟପାଳିକା ସ୍ଥାପନ କରାଯିବ। ବିଶାଖାପାଟଣାର ଭିତ୍ତିଭୂମି ସୁଦୃଢ଼ଥିବାରୁ ଏଠାରେ କାର୍ଯ୍ୟପାଳିକା ରହିବା ସହଜ ହେବ ବୋଲି ଜଗନ୍‌ ବିଧାନସଭାରେ କହିଛନ୍ତି। ଏହା ଦ୍ବାରା ଉପରୋକ୍ତ ତିନି ସହର ତଥା ଏହାର ଆଖପାଖ ଅଞ୍ଚଳର ସମନ୍ବିତ ବିକାଶ ଘଟିବ ବୋଲି ସେ କହିଛନ୍ତି।

ଏହା ପଛରେ ଅନ୍ୟ ରାଜନୀତି ମଧ୍ୟ ରହିଛି। କର୍ଣ୍ଣୁଲ ହେଉଛି ରୟଲସୀମା ଅନ୍ତର୍ଗତ। ଏହା ଜଗନ୍‌ଙ୍କ ଗଡ଼ ଭାବେ ପରିଚିତ। କର୍ଣ୍ଣୁଲକୁ ରାଜଧାନୀ କରିବା ପାଇଁ ସେଠାକାର ଆଇନଜୀବୀ ଓ ବୁଦ୍ଧିଜୀବୀ ଦାବି କରିଆସୁଛନ୍ତି। ସେଠାରେ ନ୍ୟାୟାଳୟ ପ୍ରତିଷ୍ଠା ହେଲେ ସେମାନଙ୍କୁ ସନ୍ତୁଷ୍ଟ କରାଯାଇପାରିବ। ପୁନଶ୍ଚ ରୟଲସୀମା ଅଞ୍ଚଳର ଚାଷୀଙ୍କ ପାଇଁ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେବ। ସିଙ୍ଗାପୁର ଢ଼ାଞ୍ଚାରେ ନୂଆ ରାଜଧାନୀ ଅମରାବତିର ବିକାଶ ପାଇଁ ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରୟାସ ଚଳାଇଥିଲେ; କିନ୍ତୁ ଜଗନ୍‌ ଏହାର ପରିପନ୍ଥୀ ଭୂମିକା ନିର୍ବାହ କରୁଛନ୍ତି। ବିଶ୍ବବ୍ୟାଙ୍କରୁ ଏ ବାବଦରେ ଦେଇଥିବା ଅର୍ଥ ଫେରାଇନେଇଥିବାବେଳେ ବିନିଯୋଗକାରୀ ପଛଘୁଞ୍ଚା ଦେଇଛନ୍ତି। ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଠାରରେ ବିଧାନସଭା ରଖିବା ଯୋଜନା ହୋଇଛି।
ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ବାଇଡୁ ଏହି ଯୋଜନାକୁ ଜଗନ୍‌ଙ୍କ ତୋଗ୍‌ଲକୀ ଶାସନର ପ୍ରତୀକ ବୋଲି ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କେଉଁଠି ବସିବେ ଓ ଶାସନ କେଉଁଠୁ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜଗନ୍‌ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ତାଙ୍କ ଅଧୀନରେ ୫ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତ କରି ଏକ ରେକର୍ଡର ଅଧିକାରୀ ହୋଇଥିଲେ।

Comments are closed.