ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ବସ ଚଳାଚଳ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

ରାଜ୍ୟରେ ବସ ଚଳାଚଳକୁ ସୁବ୍ୟବସ୍ଥିତ କରିବା ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଆଜି ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷଠାରେ ରାଜ୍ୟରେ ଜନସାଧାରଣଙ୍କ ଚାହିଦା ଅନୁଯାୟୀ ଅଧିକ ସଂଖ୍ୟକ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବସ୍‌ ଚଳାଚଳ ଏବଂ ଆନ୍ତରାଜ୍ୟ ବସ୍‌ ଚଳାଚଳ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବୈଠକରେ ଅଧ୍ୟକ୍ଷତା କରି ଆନ୍ତରାଜ୍ୟ ବସ ଚଳାଚଳ ପାଇଁ ଯେଉଁସବୁ ପ୍ରସ୍ତାବ ରହିଛି ସେସବୁକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ରାଜ୍ୟରେ ଲୋକଙ୍କ ଚାହିଦା ଅନୁଯାୟୀ ଗମନାଗମନ ନିମନ୍ତେ ପରିବହନ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ ରାଜ୍ୟ ସଡ଼କ ପରିବହନ ପକ୍ଷରୁ ଅଧିକ ସଂଖ୍ୟକ ବସ ଚଳାଚଳ କରିବା ଉପରେ ସେ ପ୍ରାଧାନ୍ୟ ଦେଇଛନ୍ତି। ଏହି କ୍ରମରେ ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ରାଜ୍ୟର ଉତ୍ତରାଞ୍ଚଳ ଯଥା: ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ସମେତ ପୁରୀ ଜିଲ୍ଲାକୁ ମଧ୍ୟ ଦିନବେଳା ସରକାରୀ ବସ ଚଳାଚଳ ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହା ଦ୍ୱାରା ରାଜ୍ୟର ଜନସାଧାରଣ ଗମନାଗମନ କ୍ଷେତ୍ରରେ ଅଧିକ ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି।

ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରା, ଓଏସ୍‌ଆର୍‌ଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.