ଡେସ୍କ: ଅଲ ଓଡିଶା କଲେଜ ଡାଟା ଏଣ୍ଟ୍ରି ଅପରେଟର ସଂଘ ତରଫରୁ ବିଧାନସଭା ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଦୀର୍ଘଦିନ ଧରି କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ଚାକିରୀ ନିୟମିତ କରିବା ସହ ଉପଯୁକ୍ତ ବେତନ ପ୍ରଦାନ କରିବା ପାଇଁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।
ବିଧାୟକ ଶ୍ରୀ ସିଂହ ଦାବିପତ୍ରକୁ ଗ୍ରହଣ କରି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି। ଦାବିପତ୍ର ପ୍ରଦାନ ଓ ଆଲୋଚନା ସମୟରେ ସଂଘର ସଭାପତି ପ୍ରଶାନ୍ତ ଦାସ, ସମ୍ପାଦକ ଅରୁଣ କୁମାର ବାରିକ ଓ ରାଜ୍ୟର ବିଭିନ୍ନ କଲେଜରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଉପସ୍ଥିତ ଥିଲେ।



