ରାଜ୍ୟରେ ଶୀତ ବଢ଼ିଛି – ୧୦ ଡିଗ୍ରୀ ତଳେ ଏହି ୩ ସହର

ଭୁବନେଶ୍ବର: ବିଳମ୍ବରେ ହେଲେ ମଧ୍ୟ ରାଜ୍ୟରେ ଶୀତ ବଢ଼ିଛି। ପାହାଡ଼ିଆ ଅଞ୍ଚଳରେ ଜାଡ଼ ଅନୁଭୂତ ହେଲାଣି। ଗତକାଲି ରାତିରେ ଜି. ଉଦୟଗିରି, କେନ୍ଦୁଝର ଏବଂ କିରେଇରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଆସିଛି। ୯.୪ ଡିଗ୍ରୀ ରାତି ତାପମାତ୍ରା ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି। କିରେଇରେ ୯.୫ ଓ କେନ୍ଦୁଝର ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଆସନ୍ତା ୫ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେହିପରି ସେମିଳିଗୁଡ଼ା ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ଲେଖାଏଁ ରେକର୍ଡ଼ ହୋଇଛି। ରାଉରକେଲା ୧୦.୯ ଡିଗ୍ରୀ, ଫୁଲବାଣୀ ୧୧ ଡିଗ୍ରୀ, କୋରାପୁଟ ଏବଂ ନବରଙ୍ଗପୁରରେ ୧୧.୪ ଡିଗ୍ରୀ ଲେଖାଏଁ, ବାରିପଦା ୧୨.୪ ଡିଗ୍ରୀ, ଝାରସୁଗୁଡ଼ା ୧୨.୬, ସୁନ୍ଦରଗଡ଼ ଓ ଅନୁଗୋଳରେ ୧୩ ଡିଗ୍ରୀ ଲେଖାଏଁ, ରାଣୀତାଲ ୧୩.୩ ଡିଗ୍ରୀ, ଭବାନୀପାଟଣା ୧୩.୫ ଡିଗ୍ରୀ, ଢେଙ୍କାନାଳ ୧୩.୬ ଡିଗ୍ରୀ, ସୁବର୍ଣ୍ଣପୁର ୧୩.୭ ଡିଗ୍ରୀ, ବଲାଙ୍ଗୀର ୧୪.୨ ଡିଗ୍ରୀ, ଭଦ୍ରକ ୧୪.୫ ଡିଗ୍ରୀ,
କଟକ, ଚାନ୍ଦବାଲି ଓ ବାଲେଶ୍ବରରେ ୧୫ ଡିଗ୍ରୀ ଲେଖାଏଁ, ସମ୍ବଲପୁର ଓ ହୀରାକୁଦରେ ୧୫.୩ ଡିଗ୍ରୀ ଲେଖାଏଁ, ବରଗଡ଼ ୧୫.୬ ଡିଗ୍ରୀ, ଭୁବନେଶ୍ବର ୧୫.୭ ଡିଗ୍ରୀ ଓ ଟିଟିଲାଗଡ଼ରେ ୧୫.୮ ଡିଗ୍ରୀ ରେକର୍ଡ଼ ହୋଇଛି।

ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ ଏବଂ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୧୨ ତାରିଖ ସକାଳ ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ଦେଖାଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ଆଜି ଫୁଲବାଣୀ ଏବଂ ଟିଟିଲାଗଡ଼ରେ ଘନକୁହୁଡ଼ି ଦେଖାଯାଇଥିଲା।

Comments are closed.