କୋବ୍ରା ଯବାନ ସହିଦ, ୫ ମାଓବାଦୀ ଗିରଫ

0

ରାଞ୍ଚି/ସୁକମା : ମାଓବାଦୀ ବିରୋଧୀ ଅଭିଯାନରେ ସିଆର୍‍ପିଏଫ୍‍ କୋବ୍ରା କମାଣ୍ଡୋ ଗୁରୁବାର କିସ୍ତାରାମ ବିସ୍ଫୋରଣ ମାମଲାରେ ବଡ଼ଧରଣର ସଫଳତା ହାସଲ କରିଥିବାବେଳେ ଅନ୍ୟ ଏକ ଘଟଣାରେ ଜଣେ ଯବାନଙ୍କ ବଳିଦାନ ଦେବାକୁ ପଡିଛି। ଝାଡ଼ଖଣ୍ଡର ସରାଇକେଲା-ଖର୍ସୱାନ ଜିଲା ଅନ୍ତର୍ଗତ ଦଲଭାଗା-ଆର୍କି ଅଞ୍ଚଳରେ ଗୁରୁବାର ମାଓବାଦୀଙ୍କ ସହିତ ମୁକାବିଲାବେଳେ ଜଣେ କୋବ୍ରା କମାଣ୍ଡୋ ସହିଦ ହୋଇଛନ୍ତି। ଏହି ଘଟଣାରେ ରାଜ୍ୟ ପୁଲିସର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ସିଆର୍‍ପିଏଫ୍‍ କୋବ୍ରା କମାଣ୍ଡୋର ୨୦୯ ବାଟାଲିୟନ୍‍ ଏବଂ ଝାଡଖଣ୍ଡ ପୁଲିସର ଏକ ମିଳିତ ଦଳ ପୂର୍ବାହ୍ଣ ୭ଟାରେ କମ୍ବିଂ ଅଭିଯାନରେ ବାହାରିଥିବାବେଳେ ହଠାତ୍‍ ଦଳେ ମାଓବାଦୀ ଆକ୍ରମଣ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା। ଏଥିରେ ମେଘାଳୟର ଉତ୍ତର ଗାରୋ ହିଲ୍‍ସ ଜିଲା ନିବାସୀ ୨୭ ବର୍ଷ ବୟସ୍କ କୋବ୍ରା କମାଣ୍ଡୋ ଉତ୍ପଳ ରାଭା ସହିଦ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେହିଭଳି ସିଆର୍‍ପିଏଫ୍‍ ଏବଂ କୋବ୍ରା କମାଣ୍ଡୋର ଅନ୍ୟ ଏକ ମିଳିତ ଦଳ ଛତିଶଗଡ଼ର ସୁକମାରୁ ୫ ଜଣ ମାଓବାଦୀଙ୍କୁ ଗିରଫ କରିଛି। ୨୦୧୮ ମାର୍ଚ୍ଚରେ ଘଟିଥିବା କିସ୍ତାରାମ ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣ ଘଟଣାରେ ଏହି ମାଓବାଦୀମାନେ ସମ୍ପୃକ୍ତ ବୋଲି ସୁରକ୍ଷାବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। କିସ୍ତାରାମରୁ ସୁକମାର ପାଲୋଡିସ୍ଥିତ ଅର୍ଦ୍ଧସାମରିକ ବାହିନୀ ଶିବିର ମଧ୍ୟରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣ ଘଟାଇଥିଲେ। ସିଆର୍‍ପିଏଫ୍‍ର ୨୧୨ ବାଟାଲିୟନ କମ୍ବିଂ ଅପରେସନ୍‍ରେ ବାହାରିଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ୯ ଜଣ ସିଆର୍‍ପିଏଫ୍‍ ଯବାନ ସହିଦ ହୋଇଥିଲେ ଏବଂ ୨ ଯବାନ ଆହତ ହୋଇଥିଲେ।

Leave A Reply