ସିଏମ୍ କିସାନ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ
ଭୁବନେଶ୍ୱର: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଗତ ୭୫ ବର୍ଷ ଭିତରେ ଅନ୍ୟ କୌଣସି ସରକାର ଚାଷୀଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲା । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମାଠାରୁ ଆରମ୍ଭ କରି, ଧାନର ସହାୟକ ମୂଲ୍ୟ ବୃଦ୍ଧି, ପିଏମ୍ କିଷାନ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, ମୂର୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଅନେକ ଯୋଜନା ଲାଗୁ କରାଯାଇଛି।
ଓଡ଼ିଶାରେ ୭୦ ଭାଗ ଚାଷୀ କୃଷି ଉପରେ ନିର୍ଭରଶୀଳ। ପ୍ରଥମ ଥର ପାଇଁ ରାଜ୍ୟରେ ଡବଲ ଇଞ୍ଜନ ସରକାର ଗଠନ ହୋଇଛି। ସରକାରକୁ ଆସିବାର ୨ ମାସ ମଧ୍ୟରେ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିଥିବାବେଳେ ଜଳସେଚନ ଓ ଶୀତଳଭଣ୍ଡାର ଖୋଲିବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । ଗତ ସରକାର ତୁଳନାରେ କୃଷି ବଜେଟ୍ ୩୬% ବୃଦ୍ଧି କରାଯାଇଛି। ଚାଷୀଙ୍କ ଆୟ ବଢ଼ାଇବା ପାଇଁ ମୋଦିଜୀ ୨୦୧୯ରୁ ପିଏମ୍ କିଷାନ ଯୋଜନା ଆରମ୍ଭ କରିଥିଲେ।ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ମିଳୁଥିଲା।
ମାତ୍ର ବିଜେଡି ସରକାରରେ ଥିବାବେଳେ ନିଜର ରାଜନୈତିକ ଆଶା ଚରିତ୍ରାର୍ଥ କରିବା ପାଇଁ ପିଏମ୍ କିଷାନ ଯୋଜାନରୁ ଅନେକ ଚାଷୀଙ୍କୁ ବଂଚିତ ରଖିଥିଲା। ଦଳୀୟ କାର୍ଯ୍ୟକର୍ତାକୁ ଖୁସି କରିବା ପାଇଁ ନିର୍ବାଚନ ବେଳେ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲା। ବହୁ ଚାଷୀ ଏହାର ଲାଭ ଉଠାଇ ନ ପାରି ଦୁଃଖ କଷ୍ଟରେ ଚଳୁଥିଲେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଚାଷୀଙ୍କ ଦୁଃଖ ବୁଝିପାରି ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ କ୍ଷୁଦ୍ର, ନାମକୁ ମାତ୍ର ଓ ଭୂମିହୀନ ଚାଷୀଙ୍କୁ ବାର୍ଷିକ ୪ ହଜାର ଟଙ୍କା ଲେଖାଏଁ ମିଳିବ।
ଫଳରେ ରାଜ୍ୟର ଅଧିକାଂଶ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମିଳିବ। ପିଏମ୍ କିଷାନ ଯୋଜନାରୁ ବଂଚିତ ଥିôବା ପ୍ରତ୍ୟେକ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲ ମାଧ୍ୟମରେ ଚାଷୀମାନେ ଗୋଟିଏ ସ୍ଥାନରେ ବିଭିନ୍ନ କୃଷି ଓ ଆନୁଷଙ୍ଗିକ ବିଭାଗ ସମନ୍ଧୀୟ ଯୋଜନାରେ ଆବେଦନ କରିପାରିବେ। ଏହାଦ୍ୱାରା ସେମାନଙ୍କୁ କୃଷିଭିତିକ ଯୋଜନା ବିଷୟରେ ଗୋଟିଏ ପୋର୍ଟାଲରୁ ସମସ୍ତ ତଥ୍ୟ ମିଳିପାରିବ।
ଏବେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମିଳିବାକୁ ଥିବାବେଳେ ସିଏମ୍ କିଷାନ ଯୋଜନା ଲାଗୁ ହେବା ଦ୍ୱାରା ଚାଷୀ ପରିବାରକୁ ଦୁଇଗୁଣା ଖୁସି ମିଳିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି। ଏନେଇ ଶ୍ରୀ ମାଝୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।
Comments are closed.