www.samajalive.in
Thursday, December 11, 2025
16.1 C
Bhubaneswar

ସିଭିଲ ସର୍ଭିସେସ୍ ପରୀକ୍ଷାରେ ଓଡ଼ିଆ ପିଲାଙ୍କ କୃତିତ୍ୱ

ସଙ୍ଘୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ଆୟୋଜିତ ସର୍ବଭାରତୀୟ ପ୍ରଶାସନିକ ସେବା (ସିଭିଲ ସର୍ଭିସ) ପରୀକ୍ଷା-୨୦୨୨ର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରୁ ୧୮୦ ଜଣ ଆଇଏଏସ୍ ପାଇଥିବାବେଳେ, ୩୮ ଜଣ ଆଇଏଫଏସ୍ ଓ ୨୦୦ ଜଣ ଆଇପିଏସ୍ ପାଇଛନ୍ତି। ତେବେ ୨୮ ଜଣ ଓଡ଼ିଆ ପିଲା ଏଥର ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

୩୮ତମ ସ୍ଥାନରେ ଅନୁପ ଦାସ
ଓଡ଼ିଆ ପୁଅ ଅନୁପ ଦାସ ସର୍ବଭାରତୀୟ ସ୍ତରରେ ୩୮ ରାଙ୍କ ପାଇଛନ୍ତି। ସେ ପୂର୍ବରୁ ସର୍ବଭାରତୀୟ ସ୍ତରରେ ୨୦୧୯ରେ ୧୨୦ ରାଙ୍କ ରଖି କୃତକାର୍ଯ୍ୟ ହୋଇଥିଲେ। ସେ ଏବେ ଦିଲ୍ଲୀରେ ଆୟକର ବିଭାଗର ଅଧିକାରୀ ଭାବେ କାମ କରୁଛନ୍ତି। ସେ ଜଗତ୍‌ସିଂହପୁର ଜିଲା ନାଉଗାଁର ମୂଳବାସିନ୍ଦା ହୋଇଥିବାବେଳେ ଭୁବନେଶ୍ବର ଲକ୍ଷ୍ମୀସାଗରରେ ରୁହନ୍ତି। ସେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ +୨ ପଢିଥିବାବେଳେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ କରିଥିଲେ। ତାଙ୍କ ବାପା ରେଳ ବିଭାଗର ଷ୍ଟେସନ୍‌ ମାଷ୍ଟର ଥିଲେ।

- Advertisement -

୪୨ତମ ସ୍ଥାନରେ ବାରିପଦାର ପ୍ରଣିତା ବାରିପଦା
ମୟୂରଭଞ୍ଜ ଜିଲା ବାରିପଦାର ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଦିବଂଗତ ହରେକୃଷ୍ଣ ଦାଶ ଓ ବକୁଳରାଣୀ ଦାଶଙ୍କ ନାତୁଣୀ କୁମାରୀ ପ୍ରଣିତା ଦାଶ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସମଗ୍ର ଦେଶରେ ୪୨ତମ ସ୍ଥାନ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌‌ ଦେବବ୍ରତ ଦାଶ ଓ ସସ୍ମିତା ଦାଶଙ୍କ ସେ ଝିଆରୀ। ସ୍ଥାନୀୟ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାଶ ଓ ଗାୟତ୍ରୀ ଦାଶଙ୍କ ସେ ସାନ ଝିଅ । ପ୍ରଣିତା ବାରିପଦାସ୍ଥ ସେଣ୍ଟ ଆନିସ କନ୍‌‌ଭେଣ୍ଟ ସ୍କୁଲରୁ ପଞ୍ଚମ ଶ୍ରେଣୀ ପାସ୍‌‌ କରିବା ପରେ ଭୁବନେଶ୍ୱର ପୋଖରୀପୁଟ୍‌‌ ଡିଏଭି ସ୍କୁଲରୁ ମାଟ୍ରିକ୍‌‌ ପାସ୍‌‌ କରିଥିଲେ। ୨୦୧୮ରେ କଲକତା ଜାଭିୟର୍ସ କଲେଜରୁ ଅର୍ଥଶାସ୍ତ୍ର ସମ୍ମାନରେ ସ୍ନାତକ ଏବଂ ୨୦୧୯ରେ ଲଣ୍ଡନ କୁଇନ୍ସ ବିଶ୍ବବିଦ୍ୟାଳୟରୁ କୃତିତ୍ୱର ସହ ଏମଏସସି ପାସ୍‌‌ କରିଛନ୍ତି। ଏବେ ସେ ବୃତ୍ତି ପାଇ ୨୦୨୧ରୁ ଲଣ୍ଡନର କେମ୍ବ୍ରିଜ୍‌‌ ବିଶ୍ୱବିଦ୍ୟାଳୟରେ ଏମ୍‌‌ଫିଲ୍‌‌ କରୁଛନ୍ତି। ସେ ପ୍ରଥମ ଚେଷ୍ଟାରେ ଏହି ସଫଳତା ପାଇଛନ୍ତି।

ନୂଆପଡ଼ାରେ ପ୍ରେରଣା ହରେକୃଷ୍ଣ ମେହେର (୯୩୧)
ନୂଆପଡ଼ା ଜିଲା ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମର ହରେକୃଷ୍ଣ ମେହେର ୯୩୧ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ପିତା ସଦାଶିବ ମେହେର ଜଣେ ସାଧାରଣ ଚାଷୀ ଓ ମାତା ଯୁକ୍ତି ମେହେର ଗୃହିଣୀ। ଗାଁ ସ୍କୁଲରେ ପଢ଼ିବା ବେଳୁ ହରେକୃଷ୍ଣ ଜଣେ ମେଧାବୀ ଛାତ୍ର ଭାବରେ ଜଣାଶୁଣା ଥିଲେ। ହରେକୃଷ୍ଣ ପୂର୍ବରୁ ଦିଲ୍ଲୀ ଠାରେ ଇଞ୍ଜିନିୟର, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମ୍ୟାନେଜର ରହି ବର୍ତ୍ତମାନ ମହାରାଷ୍ଟ୍ରର ମୁମ୍ବାଇ ଠାରେ କଷ୍ଟମ ଅଫିସର ଭାବରେ କାର୍ଯ୍ୟରତ ଅଛନ୍ତି। ଗତବର୍ଷ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ମଧ୍ୟ ଯୋଗ ଦେଇନଥିଲେ।

୬୭ତମ ସ୍ଥାନରେ କସ୍ତୁରୀ ପଣ୍ଡା
ସିଭିଲ ସର୍ଭିସେସ୍‌ ପରୀକ୍ଷାରେ ୬୭ତମ ସ୍ଥାନରେ ଥିବା ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା ଦିନକୁ ୭ରୁ ୮ ଘଣ୍ଟା ପାଠ ପଢୁଥିଲେ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟାରେ କହିଛନ୍ତି। ଆଶାଠୁ ଅଧିକ ଭଲ ହୋଇଥିବା ସେ କହିଛନ୍ତି।

୨୪୮ ସ୍ଥାନରେ ଭଦ୍ରକର ସୁଶ୍ରୀ ଶୁଭାଙ୍ଗୀ
ଭଦ୍ରକ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ। ସୁଶ୍ରୀ ଶୁଭାଙ୍ଗୀ ୨୪୮ତମ ସ୍ଥାନରେ ଅଛନ୍ତି। ଶୁଭାଙ୍ଗୀଙ୍କ ବାପା ଭଦ୍ରକ ସହର ବଙ୍କସାହି ନିବାସୀ ସତ୍ୟନାରାୟଣ ଖୁଣ୍ଟିଆ ଜଣେ ସାଧାରଣ ବ୍ୟବସାୟୀ। ମା’ ସବିତା ଖୁଣ୍ଟିଆ ଜଣେ ଗୃହିଣୀ। ସୁଶ୍ରୀ ଶୁଭାଙ୍ଗୀ ଗତ ଅକ୍ଟୋବରରେ ପ୍ରକାଶିତ ଓଏଏସ୍‌‌-୨୦୨୦ ପରୀକ୍ଷାରେ ୯୭ତମ ସ୍ଥାନରେ ଥିଲେ। ତାଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଥିଲା। ଓଏଏସ୍‌‌ ପାଇବା ପରେ ନିଜ ପ୍ରତିକ୍ରିୟାରେ ‘ଆଇଏଏସ୍‌‌ ମୋର ଲକ୍ଷ୍ୟ’ ବୋଲି ଶୁଭାଙ୍ଗୀ କହିଥିଲେ। ଶୁଭାଙ୍ଗୀ ରାନ୍ଦିଆସ୍ଥ ଡିପିଏସ୍‌ ବିଦ୍ୟାପୀଠରୁ ଦଶମ ଶ୍ରେଣୀ ଓ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରୁ ଯୁକ୍ତଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସେ ଏମ୍‌ଜି ରଙ୍ଗାରାଓ ବିଶ୍ୱବିଦ୍ୟାଳୟରୁ ସ୍ନାତକ (ଏଜି)ରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଆଇଏଏସ୍‌‌ ପାଇଁ ସେ ଦିଲ୍ଲୀରେ କୋଚିଙ୍ଗ ନେଉଥିଲେ। ଚତୁର୍ଥ ଥରରେ ସେ ଏହି ସଫଳତା ହାସଲ କରିଛନ୍ତି ।

୩୩୪ ସ୍ଥାନରେ ଆୟୁଷୀ ପ୍ରଧାନ
ସିଭିଲ ସର୍ଭିସେସ୍‌ ପରୀକ୍ଷାରେ ଦେଶରେ ୩୩୪ ସ୍ଥାନ ହାସଲ କରିଥିବା ଓଡ଼ିଆ ଝିଅ ଆୟୁଷୀ ପ୍ରଧାନ କହିଛନ୍ତି ଯେ, ସେ ଏଥିପାଇଁ ଦିନକୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ଅନଲାଇନରେ ଦିଲ୍ଲୀରୁ ଶିକ୍ଷା ଗ୍ରହଣ କରିଥିଲେ। ପିତା ଚିତ୍ତରଞ୍ଜନ ପ୍ରଧାନ ଓ ମାତା ସ୍ମିତା ପ୍ରଧାନଙ୍କ ଝିଅ ଆୟୁଷୀ ଦ୍ବିତୀୟ ଚେଷ୍ଟାରେ ଏହି ସଫଳତା ପାଇଥିବା କହିଛନ୍ତି। ଆୟୁଷୀ ଆପ୍ଟି ପ୍ଲସ ସମେତ ବିଭିନ୍ନ କୋଚିଂ ସେଣ୍ଟରରେ ମକ ଟେଷ୍ଟ ଦେଇଥିବା କହିଛନ୍ତି।

୫୧୬ ସ୍ଥାନରେ ତେଜସ୍ବିନୀ ବେହେରା
୫୧୬ ସ୍ଥାନ ରଖିଥିବା ତେଜସ୍ବିନୀ ବେହେରା ସଫଳତାକୁ ନେଇ ଖୁସି ଥିଲେ ବି ସ୍ଥାନକୁ ନେଇ ସାମାନ୍ୟ ଦୁଃଖୀ ଅଛନ୍ତି। ଏହାକୁ ସୁଧାରବା ପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି। ତେଜସ୍ବିନୀ ଆପ୍ଟି ପ୍ଲସ ସମେତ ବିଭିନ୍ନ କୋଚିଂ ସେଣ୍ଟରରେ ମକ ଟେଷ୍ଟ ଦେଇଥିବା କହିଛନ୍ତି।

୬୭୦ ସ୍ଥାନରେ କଳାହାଣ୍ଡିର ପ୍ରଥମା ପ୍ରତୀକ୍ଷା ଭବାନୀପାଟଣା
ଭବାନୀପାଟଣା ସହର ପୁରୁଣାପଡ଼ାର ପ୍ରଥମା ପ୍ରତୀକ୍ଷା ପ୍ରଧାନ ଭାରତୀୟ ପ୍ରଶାସନିକ ସେବାରେ ୬୭୦ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ୟୁପିଏସସି ପ୍ରଥମ ଥରରେ ସେ ଏହି ରାଙ୍କ ରଖିଥିବାରୁ ଖୁସି ପ୍ରକାଶ କରିଛନ୍ତି। ଶିକ୍ଷକ ଦମ୍ପତି ଗୋକୁଳା ନନ୍ଦ ପ୍ରଧାନ ଏବଂ ରଶ୍ମିତା ପ୍ରଧାନଙ୍କ ଦୁଇ ଝିଅଙ୍କ ମଧ୍ୟରୁ ପ୍ରଥମା ବଡ଼। ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଭବାନୀପାଟଣା ବାଲାଜୀ ବିହାର ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ଓ ବ୍ରଜବିହାର ସରସ୍ୱତୀ ବିଦ୍ୟାମନ୍ଦିରରେ ୮ ମରୁ ଦଶମ , ବ୍ରହ୍ମପୁର, ନୀଳକଣ୍ଠ ନଗର ସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇ ଏବଂ ଭବାନୀପାଟଣା କୃଷି ମହାବିଦ୍ୟାଳୟରେ ୪ ବର୍ଷ ଶିକ୍ଷାଦାନ କରିଥିଲେ। ୨୦୨୧ ରେ କୃଷି ମହାବିଦ୍ୟାଳୟ ରୁ ପାସ କରିବା ପରେ ସେ ୟୁପିଏସ୍ ସି ପରୀକ୍ଷା ପାଇଁ ପ୍ରସ୍ତୁତ ଆରମ୍ଭ କରିଥିଲେ। ସେ କୌଣସି କୋଚିଂ ସେଣ୍ଟରରେ ପଢ଼ି ନଥିଲେ କିମ୍ବା କୌଣସି ଗାଇଡର ସାହାରା ନେଇ ନ ଥିଲେ । ଘରେ ରହି ନିଜେ ପରୀକ୍ଷା ପାଇଁ ଦିନ ରାତି ୮ ରୁ ୧୦ ପଢ଼ାପଢ଼ି କରିବା ସହିତ ନିଜକୁ ପ୍ରସ୍ତୁତ କରୁଥିଲେ । ପ୍ରଥମ ଥରରେ ଏହି ସଫଳତା ପାଇଛନ୍ତି ।

କୋକସରାର ସିଦ୍ଧାନ୍ତ ବେଶ୍ରା (୮୮୭)
ନିଷ୍ଠା ଓ ପରିଶ୍ରମ ଫଳରେ ଜଣେ ନିଜ ଜୀବନରେ ଫଳ ପାଇ ପାରିବ, ଏହାକୁ ପ୍ରମାଣିତ କରି ଦେଖାଇ ଦେଇଛନ୍ତି କଳାହାଣ୍ଡି ଜିଲା କୋକସରା ବ୍ଳକ କାଉଡୋଲାର ଯୁବକ ସିଦ୍ଧାନ୍ତ ବେଶ୍ରା। କାଉଡୋଲା ଗ୍ରାମର କୃଷି ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ରାଜେନ୍ଦ୍ର ବେଶ୍ରା ଓ ଅଞ୍ଜନା ବେଶ୍ରାଙ୍କ ସୁପୁତ୍ର ସିଦ୍ଧାନ୍ତ ବେଶ୍ରା ସିଭିଲ ସର୍ଭିସ ପରୀକ୍ଷାରେ ୮୮୭ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଏହି ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିବା ସହିତ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories