ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ ଗତି କରୁଛି ଭାରତ : ପ୍ରଧାନମନ୍ତ୍ରୀ

0
-୪ ବର୍ଷରେ ଦିଆଯାଇଛି ୧୨ କୋଟି ଏଲପିଜି ସଂଯୋଗ, -୨୦୨୨ ସୁଦ୍ଧା ପାଇପ ଗ୍ୟାସ ସଂଯୋଗ ୨ କୋଟିରେ ପହଞ୍ଚାଇବାକୁ ପ୍ରୟାସ
-ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୩,୬୮,୬୬୦ ପିଏନଜି ସଂଯୋଗ ଏବଂ ୧୧୬ ସିଏନଜି ଷ୍ଟେସନ ପ୍ରତିଷ୍ଠା ଲକ୍ଷ୍ୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ନବମ ସିଜିଡି ବିଡିଂ ରାଉଣ୍ଡ ଅଧୀନରେ ନଗର ଗ୍ୟାସ ବିତରଣ (ସିଜିଡି) ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ଲାଗି ଭିତିପ୍ରସ୍ତର ସ୍ଥାପନ କରିଥିଲେ। ସେ ମଧ୍ୟ ଦଶମ ସିଜିଡି ବିଡିଂ ରାଉଣ୍ଡର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନବମ ସିଜିଡି ବିଡିଂ ପର୍ଯ୍ୟାୟ ଅଧୀନରେ ନଗର ଗ୍ୟାସ ବିତରଣ ନେଟୱାର୍କ ପ୍ରତିଷ୍ଠା ଲାଗି ୧୨୯ଜିଲ୍ଲାରେ କାର୍ଯ୍ୟାରମ୍ଭ ହୋଇଛି। ନଗର ଗ୍ୟାସ ବିତରଣ ପ୍ରକଳ୍ପ ପାଇଁ ଦଶମ ବିଡିଂ ରାଉଣ୍ଡ ଅଧୀନରେ ୪୦୦ରୁ ଅଧିକ ଜିଲ୍ଲାକୁ  ପରିବ୍ୟାପ୍ତ କରାଯିବ, ଯାହାଦ୍ୱାରା ୭୦ ପ୍ରତିଶତ ଜନସଂଖ୍ୟା ଏହା ପରିସରକୁ ଆସିବେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଦେଶ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ ଗତି କରୁଛି। ଏହା ଉପରେ ଜୋର ଦେଇ ସେ କହିଥିଲେ ଯେ, ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥାର ସମସ୍ତ ଦିଗ ଉପରେ କେନ୍ଦ୍ର ମନ୍ତ୍ରୀ ବର୍ତ୍ତମାନ ଗୁରୁତ୍ୱାରୋପ କରୁଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଦେଶରେ ଗ୍ୟାସ ଭିତିଭୂମିର ଉନ୍ନତି ଲାଗି କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ବିଶେଷ କରି ଏଲଏନଜି ଟର୍ମିନାଲ ସଂଖ୍ୟାରେ ବୃଦ୍ଧି, ଦେଶବ୍ୟାପୀ ଏକକ ଗ୍ୟାସ ଗ୍ରୀଡ ସ୍ଥାପନ ଏବଂ ନଗର ଗ୍ୟାସ ବିତରଣ ନେଟୱାର୍କର ଶୁଭାରମ୍ଭ କରାଯାଇଛି। ସ୍ୱଚ୍ଛ ଇନ୍ଧନ ଦିଗରେ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥାର ଭୂମିକା ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଜିଡି ନେଟୱାର୍କ ସ୍ୱଚ୍ଛ ଶକ୍ତି ଓ ଇନ୍ଧନ ଯୋଗାଣ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସେ ପୁଣି କହିଥିଲେ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ଦିଗରେ କେନ୍ଦ୍ର ସରକାରଙ୍କ ବ୍ୟାପକ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ, ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ସ୍ୱଚ୍ଛ ଇନ୍ଧନ ପ୍ରୟାସ ଯେପରିକି ଇଥାନଲ ମିଶ୍ରଣ, ୧୨ଟି ଜୈବ ରିଫାଇନେରୀ ପ୍ରତିଷ୍ଠା, କମ୍ପ୍ରେସଡ ଜୈବ ଗ୍ୟାସ ପ୍ଲାଂଟ, ପରିବର୍ଦ୍ଧିତ ଏଲପିଜି କଭରେଜ ଏବଂ ମୋଟର ଗାଡି ପାଇଁ ଆଗାମୀ ପିଢ଼ିର ବିଏସ-୬ ଇନ୍ଧନର ପ୍ରଚଳନ ଆଦି ବିଷୟରେ ଉଲ୍ଲେଖ କରିଥିଲେ।

ଗତ ଚାରି ବର୍ଷ ମଧ୍ୟରେ ୧୨ କୋଟି ଏଲପିଜି ସଂଯୋଗ ଯୋଗାଇ ଦିଆଯାଇଛି। ସେ କହିଥିଲେ ଯେ ନଗର ଗ୍ୟାସ ବିତରଣ ନେଟୱାର୍କ ଏକ ନୂତନ ଆର୍ଥିକ ବାତାବରଣ ବିକଶିତ କରୁଛି, ଯାହା ଗ୍ୟାସ ଆଧାରିତ ଶିଳ୍ପ, ଯୁବକମାନଙ୍କ ପାଇଁ ନିଯୁକ୍ତି ଏବଂ ନାଗରିକମାନଙ୍କ ପାଇଁ ସହଜ ଜୀବନଧାରଣକୁ ସୁନିଶ୍ଚିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ସ୍ୱଚ୍ଛ ଇନ୍ଧନ ଏବଂ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ହାସଲ ଲାଗି ଜୋରଦାର ପ୍ରୟାସ କରୁଛନ୍ତି। ଏପରି ଲକ୍ଷ୍ୟ କେବଳ ଆମ ପାଇଁ ନୁହେଁ ବରଂ ସମଗ୍ର ମାନବଜାତି ଏବଂ ପରବର୍ତୀ ପିଢ଼ି ପାଇଁ ଉନ୍ନତ ଜୀବନଧାରଣ ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବ।

ସହରଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟ ନେଇ ପାଇପ ଲାଇନ ଜରିଆରେ ଗ୍ୟାସ ସଂଯୋଗ ଆଗାମୀ ୨୦୨୨ ସୁଦ୍ଧା ୨ କୋଟିକୁ ବୃଦ୍ଧି ଲାଗି ଉଦ୍ୟମ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।

ଆଜିର ସମାରୋହରେ ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି, ଭୂବିଜ୍ଞାନ ଏବଂ ପରିବେଶ, ଜଙ୍ଗଲ ଜଳବାୟୁ ପରିବର୍ତନ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପ୍ରମୁଖ ଯୋଗ ଦେଇଥିଲେ।

ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ସାତଟି ପ୍ରକଳ୍ପ ରହିଛି। ସେଗୁଡିକ ହେଲା – (୧)ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା, (୨)ଯାଜପୁର ଏବଂ କେନ୍ଦୁଝର, (୩)ଅନୁଗୁଳ ଏବଂ ଢେଙ୍କାନାଳ, (୪)ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ, (୫)ବରଗଡ଼, ଦେବଗଡ଼ ଏବଂ ସମ୍ବଲପୁର, (୬)ଗଞ୍ଜାମ, ନୟାଗଡ଼ ଏବଂ ପୁରୀ ଓ (୭)ଜଗତିସଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା। ଓଡ଼ିଶାରେ ଥିବା ଭୌଗଳିକ କ୍ଷେତ୍ର ମଧ୍ୟରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼, ଦେବଗଡ଼, ସମ୍ବଲପୁର ଜିଲ୍ଲାର କାର୍ଯ୍ୟ ଭାରତ ଗ୍ୟାସ ରିସୋର୍ସେସ ଲିମିଟେଡକୁ ଦିଆଯାଇଛି। ସମାନ ଭାବେ ଆଦାନୀ ଗ୍ୟାସ ଲିମିଟେଡ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ୨୦ଟି ସିଏନଜି ଷ୍ଟେସନ ଏବଂ ୧,୫୦,୪୬୪ ଘରୋଇ ସଂଯୋଗ କାର୍ଯ୍ୟ ହାସଲ କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ନୟାଗଡ଼ ଏବଂ ପୁରୀ ଜିଲ୍ଲାରେ ଗେଲକୁ କାର୍ଯ୍ୟ ପ୍ରଦାନ କରାଯାଇଛି। ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ୨୨,୬୦୦ଟି ପିଏନଜି ସଂଯୋଗ ଏବଂ ୨୧ଟି ସିଏନଜି ଷ୍ଟେସନ, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ ଏକ ଲକ୍ଷ ପିଏନଜି ସଂଯୋଗ ଏବଂ ୨୧ଟି ସିଏନଜି ଷ୍ଟେସନ ପ୍ରତିଷ୍ଠା କରାଯିବ। ବରଗଡ, ଦେବଗଡ ଓ ସମ୍ବଲପୁର ଜିଲ୍ଲାରେ ୧୩,୯୧୦ଟି ପିଏନଜି ସଂଯୋଗ ଏବଂ ୧୧ଟି ସିଏନଜି ଷ୍ଟେସନ ଖୋଲାଯିବ। ଗଞ୍ଜାମ, ନୟାଗଡ ଏବଂ ପୁରୀ ଜିଲ୍ଲାରେ ୫୧ ହଜାର ପିଏନଜି ସଂଯୋଗ ସହ ୧୫ଟି ସିଏନଜି ଷ୍ଟେସନ, ଜଗତସିଂହପୁର ଏବଂ କେନ୍ଦ୍ରପଡା ଜିଲ୍ଲାରେ ୧୨,୫୦୦ଟି ପିଏନଜି ସଂଯୋଗ ସହ ୧୦ଟି ସିଏନଜି ଷ୍ଟେସନ ପ୍ରତିଷ୍ଠା ହେବ। ସେହିପରି ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ୧୮,୨୦୦ଟି ପିଏନଜି ସଂଯୋଗ ସହ ୧୯ଟି ସିଏନଜି ଷ୍ଟେସନ ପ୍ରତିଷ୍ଠା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

Leave A Reply