ୱେଷ୍ଟଇଣ୍ଡିଜ ଦଳରେ ଗେଲ୍‌ ସାମିଲ

ସେଣ୍ଟ ଜନ୍‌ସ: ଭ୍ରମଣକାରୀ ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ନିମନ୍ତେ ୧୪ ଜଣିଆ ୱେଷ୍ଟଇଣ୍ଡିଜ ଦଳ ଘୋଷିତ ହୋଇଛି। ଘୋଷିତ ଦଳରେ ବରିଷ୍ଠ ଓପନର୍ କ୍ରିସ୍‌ ଗେଲ୍‌ଙ୍କୁ ସାମିଲ କରାଯାଇଛି। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ଅଗଷ୍ଟ ୮ରେ ଗାଏନା ନ୍ୟାସନାଲ୍‌ ଷ୍ଟାଡ଼ିୟମ, ଦ୍ବିତୀୟ ଦିନିକିଆ ଅଗଷ୍ଟ ୧୧ ଓ ତୃତୀୟ ଦିନିକିଆ ଅଗଷ୍ଟ ୧୪ରେ ତ୍ରିନିଦାଦ୍‌ର କୁଇନ୍‌ସ ପାର୍କରେ ଖେଳାଯିବ। ଘୋଷିତ ଦଳରେ ବାମହାତୀ ଓପନର୍‌ ଜନ୍‌ କ୍ୟାମ୍ପବେଲ୍‌, ବ୍ୟାଟସମ୍ୟାନ୍‌ ରୋଷ୍ଟନ୍‌ ଚେଜ୍‌ ଓ ଅଲରାଉଣ୍ଡର କେମୋ ପଲ୍‌ଙ୍କୁ ସାମିଲ କରାଯାଇଛି।

ସୂଚନାଥାଉକି ଗତ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ ସମୟରେ ଗେଲ୍‌ କ୍ରିକେଟ୍‌ ବିଶ୍ବକପ୍‌ ପରେ ଦିନିକିଆରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଥିଲେ। ତେବେ ବିଶ୍ବକପ୍‌ ସମୟରେ ସେ ନିଜ ନିଷ୍ପତ୍ତି ପରିବର୍ତ୍ତନ କରିବା ସହ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେ ବୋଲି ଘୋଷଣା କରିଥିଲେ। ତେବେ ଭାରତ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଗେଲ୍ ଖେଳିବେ ନାହିଁ। ସେହି ସମୟରେ ଗେଲ୍‌ କାନାଡ଼ା ଟ୍ବେଣ୍ଟି୨୦ ଲିଗ୍‌ରେ ଖେଳିବାର କାର୍ୟ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ଦିନିିକିଆ ଦଳରୁ ସୁନୀଲ ଆମ୍ବ୍ରିସ୍‌, ଡାରେନ୍‌ ବ୍ରାଭୋ, ସାନନ୍‌ ଗାବ୍ରିଏଲ୍‌ ଓ ଆସ୍‌ଲେ ନର୍ସଙ୍କୁ ବାଦ୍‌ ଦିଆଯାଇଛି। ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ଘୋଷିତ ୱେଷ୍ଟଇଣ୍ଡିଜ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ସାମିଲ କରାଯାଇଛି ଏବଂ ଏହି ସିରିଜ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ୱେଷ୍ଟଇଣ୍ଡିଜ ଦଳର ଅସ୍ଥାୟୀ ମୁଖ୍ୟ ପ୍ରଶିକ୍ଷକ ଫ୍ଲୋଏଡ୍‌ ରାଇଫର୍‌।

Comments are closed.