ସର୍ବଶ୍ରେଷ୍ଠ ଭକ୍ତ
ଖୋଲା ଆକାଶରେ, ଧରିତ୍ରୀରେ ଅବାଧରେ ବିଚରଣ କରୁଥିବା ଦେବର୍ଷି ନାରଦଙ୍କ ମନକୁ ଏକଦା ଆସିଲା- ମୋ ଠାରୁ ବଡ଼ ଭକ୍ତ ଆଉ କିଏ ଥାଇପାରେ? ଯେ କେହି ହୁଅନ୍ତୁ ନା କାହିଁକି ସେମାନେ ପ୍ରଭୁଙ୍କଠାରୁ କିଛି ପାଇବାପାଇଁ ହିଁ ତାଙ୍କୁ ଡାକିଥାନ୍ତି, ତାଙ୍କର ଆଶ୍ରା ନେଇଥାନ୍ତି, ମୁଁ ତ ନିଃସ୍ବାର୍ଥଭାବରେ ତାଙ୍କୁ ମନେ ପକାଏ ସଦାସର୍ବଦା।
ସକଳ ଘଟରେ ବାସ କରୁଥିବା ଶ୍ରୀହରି ଦେବର୍ଷିଙ୍କ ମନର କଥା ଜାଣିପାରିଥିଲେ। ଥରେ ଭେଟିବାକୁ ଯାଇଥିବା ଅବସରରେ ଶ୍ରୀହରି କହିଲେ- ‘ନାରଦ! ମୋର ଜଣେ ପ୍ରିୟ ଭକ୍ତ ବାରାଣସୀ ନିକଟସ୍ଥ ଏକ ଗ୍ରାମରେ ବାସ କରୁଛନ୍ତି। ବୃତ୍ତିରେ ସେ ଜଣେ କୃଷକ। ଏବେ ଯାଅ, ତାଙ୍କୁ ସାକ୍ଷାତ କରି ଆସି ମୋତେ କୁହ ସେ କେତେ ବଡ଼ ଭକ୍ତ।’
ପ୍ରଭୁଙ୍କଠାରୁ ଏହାଶୁଣି ନାରଦ ଆଶ୍ଚର୍ଯ୍ୟ ହୋଇଗଲେ। ନିର୍ଦେଶ ଅନୁସାରେ ତାଙ୍କର ଦିନଚର୍ଯ୍ୟା ଅନୁଶୀଳନ କରି ଫେରି ଆସିଥିଲେ। ଭଗବାନଙ୍କ ନିକଟରେ ପହଞ୍ଚି କହିଲେ- ପ୍ରଭୁ! ଆପଣଙ୍କ ସୂଚନା ଠିକ୍ ନୁହେଁ ବୋଲି ହୃଦ୍ବୋଧ ହେଲା। ସେ କେବେ ବି ଆପଣଙ୍କ ପ୍ରିୟ ଭକ୍ତ ହୋଇନପାରନ୍ତି।
କିପରି- ଭଗବାନ ପ୍ରଶ୍ନ କଲେ?
ନାରଦ ଏହା ଶୁଣି କହିଲେ- ପ୍ରାତଃ କାଳରେ ଶଯ୍ୟାତ୍ୟାଗ କରି କୃଷକ କେବଳ ଥରୁଟିଏ ମାତ୍ର ଶ୍ରୀହରି ନାମୋଚ୍ଚାରଣ କରିଥିଲେ। ପରେ କ୍ଷେତକୁ ହଳନେଇ ଯାଇ କାର୍ଯ୍ୟ କରିଥିଲେ। ଦିନସାରା କ୍ଷେତ୍ରରେ କାର୍ଯ୍ୟକରି ସନ୍ଧ୍ୟାକୁ ଫେରିଥିଲେ। ରାତିରେ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ଥରୁଟିଏ ଆପଣଙ୍କ ନାମ ଉଚ୍ଚାରଣ କରି ନିଘୋଡ଼ ନିଦରେ ଶୋଇଯାଇଥିଲେ। ଏଥିରେ ସେ ଆପଣଙ୍କର କିପରି ଶ୍ରେଷ୍ଠଭକ୍ତ ହେଲେ ଯେ? ମାତ୍ର ଦୁଇବାର ଆପଣଙ୍କ ନାମ ଜପୁଥିବା କୃଷକ କିପରି ମୋ ଠାରୁ ଶ୍ରେଷ୍ଠ ଭକ୍ତ ହେଲେ?
ଏହାର ନିର୍ଣ୍ଣୟ ପରେ କରିବା। ପ୍ରଥମେ ମୋର ଗୋଟିଏ ଛୋଟ କାର୍ଯ୍ୟ କର। ଏହା ଗୋଟିଏ ତୈଳଭରା ପାତ୍ର। ନିଜ ହାତରେ ପାପୁଲିରେ ଏହାକୁ ରଖି ମର୍ତ୍ତ୍ୟପୁରକୁ ଯାଅ। ନଗର ଚାରିପାଖେ ପରିକ୍ରମା କରି ଫେରିଆସିବ। ହଁ, ଧ୍ୟାନରେ ରଖ, ପାତ୍ରରୁ ଯେଭଳି ବୁନ୍ଦାଏ ହେଲେ ତେଲ ଅନ୍ୟତ୍ର ନପଡ଼େ- ଶ୍ରୀ ହରି କହିଥିଲେ। ଶ୍ରୀହରିଙ୍କ ଆଦେଶ ପାଳନ କରିଥିଲେ ଦେବର୍ଷି ନାରଦ। ବୁନ୍ଦାଏ ମାତ୍ର ତେଲ ତଳେ ପଡ଼ିବାକୁ ଦେଇ ନଥିଲେ। ଅତି ସତର୍କତାରସହ ନଗର ପରିକ୍ରମା କରି ଫେରିଆସିଥିଲେ।
ଫେରିବାପରେ ଶ୍ରୀହରି ପଚାରିଥିଲେ- କ’ଣ ଦେବର୍ଷି, କାମ ହୋଇଗଲା ତ? ଆଚ୍ଛା, ଏବେ କୁହ ନଗର ପରିକ୍ରମା କରୁଥିବାବେଳେ ମୋର ନାମ କେତେ ଥର ସ୍ମରଣ କରିଥିଲ?
ଏକବାର ମଧ୍ୟ ନୁହେଁ। ପୂରା ଧ୍ୟାନ ଥିଲା ଆପଣଙ୍କ ନିର୍ଦେଶ ଅକ୍ଷରେଅକ୍ଷରେ ପାଳନ କରିବାକୁ। ଦୃଷ୍ଟିନିବଦ୍ଧ ଥିଲା ତୈଳପାତ୍ର ଉପରେ- ନାରଦ କ୍ଷୋଭରସହ କହିଲେ। ଏହାଶୁଣି ଶ୍ରୀହରି କହିଲେ ସେହି କୃଷକଟି କିନ୍ତୁ କ୍ଷେତବାଡ଼ି, ପରିବାର, ବଳଦ, ଅନ୍ୟାନ୍ୟ ଗୃହପାଳିତ ପଶୁ ସଭିଙ୍କ ପ୍ରତି ନିଜ ଦାୟିତ୍ବ ସଂପାଦନରେ ମଗ୍ନ ରହି ମଧ୍ୟ ଦୁଇବାର ମୋତେ ସ୍ମରଣ କରୁଛି। ତୁମେ ତ ମୋତେ ସଂପୂର୍ଣ୍ଣ ଭୁଲିଯାଇଥିଲ। ନିଶ୍ଚିତରେ ସେ ମୋର ପ୍ରିୟଭକ୍ତ ତୁମଠାରୁ ମଧ୍ୟ ଅଧିକ।