କର୍ଣ୍ଣ, ଦୁେର୍ଯ୍ୟାଧନଙ୍କର ପରମ ମିତ୍ର ଥିଲେ ବି ଅବସର ପାଇଲେ ଶ୍ରୀକୃଷ୍ଣ ତାଙ୍କ ଉଦାରତା ତଥା ଦାତାପଣିଆର ପ୍ରଶଂସା କରୁଥିଲେ। ଏହା ମଧ୍ୟମ ପାଣ୍ଡବଙ୍କ ପକ୍ଷେ ଅସହ୍ୟ ଥିଲା। କର୍ଣ୍ଣଙ୍କ ମହାନୁଭବତାର ଚାକ୍ଷୁଷ ପ୍ରମାଣ ଦେବା ପାଇଁ ଦିନେ ଶ୍ରୀକୃଷ୍ଣ, ଅର୍ଜୁନଙ୍କୁ ସାଥିରେ ଧରି ବେଶ ବଦଳାଇ ପହଞ୍ଚିଥିଲେ ଧର୍ମରାଜ କୁହାଯାଉଥିବା ଯୁଧିଷ୍ଠିରଙ୍କ ନିକଟରେ। ରାତି ଥିଲା ବର୍ଷଣମୁଖର। ବର୍ଷା ହେଉଥିଲା ମୁଷଳଧାରାରେ। ଧର୍ମରାଜ ଛଦ୍ମ ବେଶଧାରୀ ଦୁଇ ବ୍ରାହ୍ମଣଙ୍କୁ ଦେଖି ଅତିଶୟ ଖୁସି ହୋଇଯାଇଥିଲେ। ଏତେ ରାତିରେ ପ୍ରତିକୂଳ ପାଗରେ ଆସିବାର କାରଣ ପଚାରନ୍ତେ ଛଦ୍ମବେଶଧାରୀ ଶ୍ରୀକୃଷ୍ଣ କହିଥିଲେ କିଛି ଶୁଖିଲା ଚନ୍ଦନ କାଠର ଜରୁରୀ ଆବଶ୍ୟକତା ଅଛି। ଧର୍ମରାଜ ଦୁହିଁଙ୍କୁ ବସାଇ ଦେଇ ଭିତରକୁ ଯାଇଥିଲେ। ନଅରର ସେବାକାରୀମାନେ ବିଭିନ୍ନ ଆଡ଼ ଖୋଜାଖୋଜି କରି ପାଇ ନଥିଲେ। ଫେରିଆସି ଯୁଧିଷ୍ଠିର ନିଜ ଅସହାୟତା ପ୍ରକାଶ କରି କ୍ଷମାପ୍ରାର୍ଥନା ପୂର୍ବକ କହିଥିଲେ, ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ।
ସେଠାରୁ ଦୁହେଁ କର୍ଣ୍ଣଙ୍କ ନିବାସକୁ ଯାଇଥିଲେ। ସେହି ଏକ ଅଭିଳାଷ ପୋଷଣ କରିଥିଲେ କର୍ଣ୍ଣଙ୍କ ନିକଟରେ- ‘ଶୁଖିଲା ଚନ୍ଦନ କାଠର ଆବଶ୍ୟକତା ଅଛି। ଆମକୁ ନିରାଶ କରନ୍ତୁ ନାହିଁ।’ କର୍ଣ୍ଣ ଦୁହିଁଙ୍କୁ ଆଶ୍ବାସନା ଦେଇ କହିଥିଲେ ସେମାନଙ୍କର ଆବଶ୍ୟକତା ପୂରଣ ନିମନ୍ତେ। ବର୍ଷା ରାତିରେ ଶୁଖିଲା ଚନ୍ଦନ କାଠ ମିଳିବା ଥିଲା ଦୁରୂହ। ତେବେ ରାଜପ୍ରାସାଦରେ ଥିବା ଚନ୍ଦନକାଠର କବାଟ, ଦ୍ବାରବନ୍ଧ ଆଦିକୁ ତାଙ୍କ ନିର୍ଦେଶରେ ଚିରି ସେବାକାରୀମାନେ ଏକତ୍ର କହିଥିଲେ। କର୍ଣ୍ଣ ତାହା ଆନନ୍ଦ ମନରେ ଆଣି ବ୍ରାହ୍ମଣଙ୍କୁ ଦେଇଥିଲେ। ବ୍ରାହ୍ମଣଦ୍ବୟ ହୃଷ୍ଟ ଚିତ୍ତରେ ଫେରି ଯାଇଥିଲେ। ରାଧେୟଙ୍କଠାରୁ କାଷ୍ଠ ଗ୍ରହଣ ବେଳେ ତାଙ୍କୁ ‘ଯଶସ୍ବୀ ହୁଅ’ ବୋଲି ଆଶୀର୍ବାଦ କରି ପ୍ରତ୍ୟାବର୍ତ୍ତନ କରିଥିଲେ ଛଦ୍ମବେଶୀ ଶ୍ରୀକୃଷ୍ଣ। ମାର୍ଗରେ ସଖା ଅର୍ଜୁନଙ୍କୁ କହିଥିଲେ- ‘ଦେଖିଲ ତ ମୁଁ କାହିଁକି କର୍ଣ୍ଣଙ୍କ ମହାନୁଭବତା, ଦାତାପଣିଆର ପ୍ରଶଂସା କରିଥାଏ। ଧର୍ମରାଜ ଯୁଧିଷ୍ଠିରଙ୍କ ନିକଟରୁ ଆମେ ନିରାଶ ହୋଇ ଫେରିଥିଲେ। ସେ ଚାହିଁଥିଲେ ରାଜନଅରରେ ଥିବା ଚନ୍ଦନ କାଠ ନିର୍ମିତ ପଲଙ୍କ, କବାଟ ଇତ୍ୟାଦି ଅନୁରୂପ ଭାବରେ ସେବାକାରୀଙ୍କ ମାଧ୍ୟମରେ ଚିରି ଆମକୁ ଦେଇପାରିଥାନ୍ତେ, ଏଥିରେ କର୍ଣ୍ଣଙ୍କ ଅତିଥି ପରାୟଣତା, ଉଦାରତାର ପ୍ରଶଂସା କଲେ ଭୁଲ ରହିଲା କେଉଁଠି?’
କିଛି ବ୍ୟକ୍ତି ଉଚ୍ଚ ବିଚାରଧାରା ଯୁକ୍ତ ହେଲେ ମଧ୍ୟ ସ୍ଥଳବିଶେଷରେ ଏହା ପ୍ରୟୋଗ କରିନଥାନ୍ତି। ଆଉ କିଛି ବ୍ୟକ୍ତି ବିଚାରଧାରା ଅପେକ୍ଷା କାର୍ଯ୍ୟ ମାଧ୍ୟମରେ ନିଜ ବ୍ୟକ୍ତିତ୍ବର ଶ୍ରେଷ୍ଠ ଦିଗକୁ ଦେଖାଇବାକୁ ଚେଷ୍ଟା କରିଥାଆନ୍ତି। ସେମାନଙ୍କର ତ୍ୟାଗ ଓ ମହାନୁଭବତା ଅନ୍ୟମାନଙ୍କ ପାଇଁ ଆଦର୍ଶର ପ୍ରତୀକ ହୋଇ ରହିଥାଏ।



