ହାଫିଜ୍‍ ସୟିଦ୍‍ଙ୍କୁ ନେଇ ଜିନ୍‍ପିଙ୍ଗ୍‍ଙ୍କ ପରାମର୍ଶ ଖବରକୁ ଚୀନର ଖଣ୍ଡନ

0

ବେଜିଂ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ ଉଦ୍‍ ଦାବା ମୁଖ୍ୟ ଆତଙ୍କବାଦୀ ହାଫିଜ୍‍ ସୟିଦଙ୍କୁ ନେଇ ପାକିସ୍ତାନକୁ ଚୀନ ରାଷ୍ଟ୍ରପତି ଜିନ୍‍ପିଙ୍ଗ୍‍ କେତେକ ପରାମର୍ଶ ଦେଇଥିବା ଖବରକୁ ଚୀନ ଖଣ୍ଡନ କରିବା ସହ ଏହା ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛି। ପ୍ରକାଶ ଯେ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ନେଇ ଆମେରିକା ସହ ଅନ୍ତର୍ଜାତୀୟ ସମୂହର ଚାପ ବଢୁଥିବାରୁ ପାକିସ୍ତାନ ତାଙ୍କୁ ପଶ୍ଚିମ ଏସିଆର କୌଣସି ଦେଶକୁ ସ୍ଥାନାନ୍ତର କରିବାକୁ ଚୀନ ରାଷ୍ଟ୍ରପତି ଜିନ୍‍ପିଙ୍ଗ୍‍ ପରାମର୍ଶ ଦେଇଛନ୍ତି ବୋଲି ଏକ ଇଂରାଜୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଜିନ୍‍ପିଙ୍ଗ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ୍‍ ଖାକାନଙ୍କୁ ଏହି ପରାମର୍ଶ ଦେଇଥିଲେ ବୋଲି ଉଲ୍ଲେଖ କରାଯାଇଥିଲା। ଗୁରୁବାର ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଏହା ଉପରେ ସ୍ପଷ୍ଟୀକରଣ ଦେଇ ଖବରରେ କରାଯାଇଥିବା ଦାବି ଆଶ୍ଚର୍ଯ୍ୟଜନକ, ଚୀନ ରାଷ୍ଟ୍ରପତି ଏଭଳି କିଛି କହିନାହାନ୍ତି ଓ ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି। ଉଲ୍ଲେଖ ଯେ ହାଫିଜ ସୟିଦଙ୍କୁ ଆମେରିକା ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ସହ ତା ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ରାଶି ରଖିଛି। କିଛି ଦିନ ତଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମ୍‍ଏଲ(ଏନ୍‍) ଅଧ୍ୟକ୍ଷ ନୱାଜ ସରିଫ ପ୍ରଥମ ଥର ଏକ ସାକ୍ଷାତକାରରେ ମୁମ୍ବଇ ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀଙ୍କ ହାତ ଥିବା ସ୍ୱୀକାର କରିଥିଲେ। ନୱାଜ ସରିଫ ପରୋକ୍ଷରେ ମୁମ୍ବଇ ଆକ୍ରମଣ ପାଇଁ ହାଫିଜ ସୟିଦଙ୍କୁ ଦାୟୀ କରିଥିଲେ। ନ୍ୟୁଜ୍‍ ଏଜେନ୍ସି ଖବର ଅନୁସାରେ ଗତ ମାର୍ଚ୍ଚ ମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖାକାନ ଆବାସୀ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍‍ ହାଫିଜଙ୍କୁ ନେଇ ପ୍ରାୟ ୧୦ ମିନିଟ୍‍ ଆଲୋଚନା କରିଥିଲେ। ଏହି ଅବସରରେ ଜିନ୍‍ପିଙ୍ଗ୍‍ ହାଫିଜଙ୍କୁ ପଶ୍ଚିମ ଏସିଆର କୌଣସି ଦେଶକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ଆବାସୀଙ୍କ ଜଣେ ନିକଟତମ ଲୋକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ବୋଲି ଏଥିରେ ଉଲ୍ଳେଖ କରାଯାଇଛି। ଏହି ଖବରକୁ ଚୀନ ଖଣ୍ଡନ କରିଛି। ପ୍ରକାଶ ଯେ ଚୀନ ଆତଙ୍କବାଦୀ ହାଫିଜ୍‍କୁ ଅନ୍ତର୍ଜାତୀୟ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେଇ ଆସୁଛି।

Leave A Reply