ଅଜଣା ରୋଗକୁ ନେଇ ଆତଙ୍କ : ଚୀନ୍‍ରେ ଦୂତାବାସ ଖାଲି କରୁଛି ଆମେରିକା

0

ଗୁଆଙ୍ଗଝୋଉ : ଚୀନ୍‍ସ୍ଥିତ ଆମେରିକୀୟ ଦୂତାବାସର କୂଟନୀତିଜ୍ଞ ଏବଂ ସେମାନଙ୍କ ପରିବାର ଲୋକେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅତ୍ୟଧିକ ଶବ୍ଦ ପ୍ରଦୂଷଣ ଯୋଗୁ ଏହି ରୋଗ ସୃଷ୍ଟି ହେଉଥିବା ଆଶଙ୍କା କରି ଆମେରିକା ଏବେ ଚୀନ୍‍ସ୍ଥିତ ଦୂତାବାସ ଖାଲି କରିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ବିଭାଗ ଚୀନରେ ଅବସ୍ଥାପିତ କୂଟନୀତିଜ୍ଞଙ୍କୁ ସ୍ୱଦେଶ ଫେରାଇ ନେଉଛି। ବୁଧବାର ଦୁଇ ଜଣ ଅଧିକାରୀ ଦୂତାବାସ ଛାଡିଛନ୍ତି। ଏମାନେ ଗୁଆଙ୍ଗଝୋଉସ୍ଥିତ କାର୍ଯ୍ୟାଳୟରେ କାମ କରୁଥିଲେ।
ମେ ମାସରେ ଏହି କାର୍ଯ୍ୟଳୟରେ କାର୍ଯ୍ୟରତ ଜଣେ ଆମେରିକୀୟ ଶବ୍ଦ ଏବଂ ମାନସିକ ଚାପ ଯୋଗୁ ଅସ୍ୱାଭିକ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଥିଲେ। ପରେ ସେ ମସ୍ତିଷ୍କ ଆଘାତର ଶିକାର ହୋଇଥିଲେ। ଏହି ଘଟଣା ପରେ ଚୀନରେ ନିଯୁକ୍ତ ନିଜ ଦେଶର କର୍ମଚାରୀମାନଙ୍କୁ ଆମେରିକା ପ୍ରଶାସନ ସତର୍କ କରିଥିଲା। ଏଥିସହ ଅନ୍ୟ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ନିଯୁକ୍ତ କରାଯାଇଥିଲା। ଇତିମଧ୍ୟରେ ଏହି ଅଧିକାରୀମାନଙ୍କ ସହକର୍ମୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। କେତେ ଜଣଙ୍କଠାରେ ଉକ୍ତ ଅଜଣା ରୋଗର ଲକ୍ଷଣ ପ୍ରକାଶ ପାଇଛି ତାହା ଏଯାବତ୍‍ ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ଏକାଧିକ ଲୋକଙ୍କୁ ପରବର୍ତ୍ତୀ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆମେରିକା ପଠାଯାଇଥିବା ବିଭାଗୀୟ ମୁଖପାତ୍ର ହିଥର୍‍ ନୁଏର୍ଟ ସୂଚନା ଦେଇଛନ୍ତି। ଏହି ରୋଗ ପ୍ରଥମେ କ୍ୟୁବାରୁ ଆରମ୍ଭ ହୋଇଥିବା କୁହାଯାଉଛି। ରୋଗର ଲକ୍ଷଣ ଏବଂ କାରଣ ଯାଞ୍ଚ କରିବା ସହିତ ଏହି ରୋଗ କେବଳ ସରକାରୀ କର୍ମଚାରୀଙ୍କଠାରେ ପ୍ରକାଶ ପାଉଛି ଅଥବା ସରକାରୀ କର୍ମସ୍ଥଳି ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ ସେ ବିଷୟରେ ରିପୋର୍ଟ ପ୍ରଦାନ କରିବାକୁ ବିଶେଷଜ୍ଞ ଡାକ୍ତରଙ୍କୁ ନିର୍ଦେଶ ଦିଆଯାଇଥିବା ନୁଏର୍ଟ କହିଛନ୍ତି।

Leave A Reply