ପାଣି ପିଇବାକୁ ଯାଇ ଚୁଆରେ ପଡ଼ିଗଲା ଛୁଆ ହାତୀ : ୭ ଘଣ୍ଟା ପରେ ଉଦ୍ଧାର
ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ମାଓ ପ୍ରବଣ ଅଞ୍ଚଳଭାବେ ପରିଚିତ ପକାରି ପଞ୍ଚାୟତର ଜିଡ଼ିଙ୍ଗିପଡ଼ା ଠାରେ ଘଟିଛି ଏକ ଅଭାବନିୟ ଘଟଣା। ପାଣି ପିିଇବାକୁ ଯାଇଥିବା ଏକ ୨ ରୁ ୩ ବର୍ଷର ଛୁଆହାତୀ ଜିଡ଼ିଙ୍ଗିପଡ଼ା ଗ୍ରାମର ଏକ ଚୁଆରେ ପଡ଼ିଯିବା ଫଳରେ ପ୍ରାୟ ୭ ଘଂଟା ପରେ ବନ ବିଭାଗର କର୍ମଚାରୀଙ୍କ ଉଦ୍ୟମ ପରେ ଉଦ୍ଧାର ହୋଇଥିବାର ଜଣାଯାଇଛି।
ସବୁଦିନ ପରି ଆଜି ମଧ୍ୟ ପ୍ରାୟ ୫ ରୁ ୬ଟି ହାତୀ ପକାରି ନିକଟସ୍ଥ ବାଘନଦୀ ନିକଟସ୍ଥ ଜଙ୍ଗଲକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ୨ ରୁ ୩ ବର୍ଷର ହାତୀ ପାଣି ପିଇବା ପାଇଁ ଏକ ଚୁଆ ନିକଟକୁ ଆସିଥିଲା । ସେହିସମୟରେ ହାତୀର ଗୋଡ଼ କୌଣସି ପ୍ରକାର ଖସିଯିବା ଫଳରେ ଚୁଆ ଭିତର ଖସିପଡ଼ିଥିଲା। ଏହା ଦେଖିବା ପରେ ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ବିଜୟ ମଲିକଙ୍କ ନେତୃତ୍ୱରେ ଗୋଛାପଡ଼ା ବନପାଳ ଦିଲିପ ବିଶୋୟୀ ଓ ବାଲନ୍ଦାପଡ଼ା ବନପାଳ ବିମଳା ପଟନାୟକ ଓ ଗାର୍ଡ଼ ସନ୍ତୋଷ ସାହୁ ଓ ଅନ୍ୟ ବହୁ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିବା ସହିତ ଜେସିବି ଦ୍ୱାରା ଉକ୍ତ ଚୁଆକୁ ଖୋଳି ରାସ୍ତା ବାହାର କରିବା ପରେ ହାତିଟୀ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା । ତେବେ ହାତିଟି ସଂପୂର୍ଣ୍ଣ ଭାବେ ସୁସ୍ଥ ଥିବା ବନାଞ୍ଚଳ ଅଧିକାରୀ ବିଜୟ ମଲିକ ସୂଚନା ଦେଇଛନ୍ତି। ବନବିଭାଭ ଓ ଗ୍ରାମବାସୀଙ୍କ ସହଯୋଗ ଫଳରେ ହାତିଟି ଉଦ୍ଧାର ହୋଇଥିବା ଯୋଗୁଁ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ମଧ୍ୟ ସାଧୁବାଦ ଦିଆଯାଇଥିଲା।
Comments are closed.