ଚିକିଟି: ଆଉ ମାତ୍ର ୪ଦିନ ପରେ ଖୋଲିବ ପ୍ରାଥମିକ ବିଦ୍ୟାଳୟ । ପ୍ରାୟ ଦୁଇ ବର୍ଷ ପରେ ସ୍କୁଲ ଖୋଲିଥିବାରୁ ସବୁ ପିଲା ଖୁସି ଓ ଆନନ୍ଦିତ ଥିବା ବେଳେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଲାଲମେଣ୍ଟ ପଂଚାୟତର ବିରମେଖପୁର ଗ୍ରାମର କୁନିକୁନି ଛାତ୍ରଛାତ୍ରୀଙ୍କ ମୁହଁରୁ ହସ ଉଭେଇ ଯାଇଛି । ସ୍କୁଲ ଖୋଲିବା ନେଇଁ ଗ୍ରାମରେ କୌଣସି ସ୍ଵଷ୍ଟ ଚିତ୍ର ମିଳୁନି । ଏହାକୁ ନେଇ ଗ୍ରାମବାସୀ ଓ ଅଭିଭାବକ ମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ଗତକାଲି ଗ୍ରାମ ବୈଠକରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ଓ ଅଭିଭାବକ । ଗ୍ରାମର ପ୍ରାଥମିକ ବିଦ୍ୟାଳୟ କାର୍ୟ୍ୟକ୍ଷମ ନହେଲେ ଚଳିତ ପଂଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ସର୍ବସମ୍ମତି କ୍ରମେ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ୪୦ରୁ କମ ପିଲା ଥିବା ଦର୍ଶାଇ ସ୍କୁଲକୁ ନିକଟ ଗ୍ରାମ ଗୁମା ବିରସିଂହପୁର ସ୍କୁଲରେ ମିଶାଇ ଦିଆଯାଇଥିଲା । ଗ୍ରାମବାସୀ ଏହାକୁ ବିରୋଧକରି ଏବିଇଓ ଓ ସିଆରସିସିଙ୍କୁ ତାଲା ପକାଇ ଅଟକ ରଖି ଧାରଣା ଦେଇଥିଲେ ।
ତତ୍କାଳୀନ ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଇ ଉଭୟ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ନଭେମ୍ବର ୧୧ରେ ଗ୍ରାମବାସୀ ବିଇଓ କାର୍ୟ୍ୟାଳୟର ଧାରଣା ଦେଇଥିଲେ । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନନେବାରୁ ପରବର୍ତ୍ତୀ ସମୟରେ ଗ୍ରାମବାସୀ ହାଇକୋର୍ଟ ର ଦ୍ବାରସ୍ଥ ହୋଇଥିଲେ । ଏବେ ଗ୍ରାମର ୩୦ ପିଲାଙ୍କ ଭାଗ୍ୟ ଅନିଶ୍ଚିତତା ଦେଇ ଗତି କରୁଛି । ଆଗାମୀ ୧୪ ତାରିଖରେ ପ୍ରାଥମିକ ବିଦ୍ୟାଳୟ ଖୋଲିବ । ସ୍କୁଲ ଖୋଲିବା ନେଇ କୌଣସି ପଦକ୍ଷେପ ନନେବାରୁ ଗ୍ରାମବାସୀ ଗତକାଲି ରାତିରେ ଏପରି କଠୋର ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ୧୨୦ ପରିବାର ବିଶିଷ୍ଟ ଏହି ଗ୍ରାମରେ ପ୍ରାୟ ୪୪୧ ଭୋଟର ଅଛନ୍ତି ଓ ଭୋଟ ବର୍ଜନ ପାଇଁ ସମୁହ ଚେତାବନୀ ଦେଇଛନ୍ତି । ଗତକାଲି ରାତିରେ ପୁଣି ବୈଠକ ବସିଥିଲା । ଲିଖିତ ଭାବେ ଏହି ଦାବିକୁ ଅଞ୍ଚଳବାସୀ ମାନେ ବିଡିଓ ଓ ଜିଲ୍ଲାପାଳଙ୍କୁ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିବାସୂଚନା ମିଳିଛି ।



