ଚୌଦ୍ୱାର ଟେନାମେଣ୍ଟ ବାସିନ୍ଦାଙ୍କୁ ମିଳିବ ସ୍ଥାୟୀ ପଟ୍ଟା
ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୦ ନମ୍ବର ୱାର୍ଡ଼ସ୍ଥିତ ଲେବର ଟେନାମେଣ୍ଟରେ ରହୁଥିବା ୧୧୬ ପରିବାରକୁ ସେମାନେ ରହୁଥିବା ସ୍ଥାନର ସ୍ଥାୟୀପଟ୍ଟା ପ୍ରଦାନ କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆ ଯାଇଛି। ଏହି ଖବର ଜାଣିବା ପରେ ଟେନାମେଣ୍ଟରେ ରହୁଥିବା ଶ୍ରମିକ ଓ ସେମାନଙ୍କ ପରିବାର ବର୍ଗ ଉଲ୍ଲସିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।ଆଜକୁ ଦୀର୍ଘ ବର୍ଷଧରି ଶ୍ରମିକଙ୍କ ପାଇଁ ନିର୍ମିତ ସରକାରୀ ଘରେ ରହିଆସୁଥିବା ଏହି ଶ୍ରମିକ ଓ ପରିବାର ବର୍ଗ ସେମାନଙ୍କ ଘରର ସ୍ଥାୟିତ୍ୱ ପାଇଁ ଆଜକୁ ୪୦ବର୍ଷରୁ ଉର୍ଦ୍ଧକାଳଧରି ସରକାରଙ୍କ ନିକଟରେ ଲଗାତାରଭାବେ ଦାବି କରିଆସୁଥିଲେ ।ଶେଷରେ ସେମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଥିବାରୁ ଟେନାମେଣ୍ଟବାସୀ ଶୁକ୍ରବାର ଦତିନ ବାଣ ଫୁଟାଇ, ମିଠା ବାଣ୍ଟ ଏବଂ ପରସ୍ପର ମଧ୍ୟରେ କୋଳାକୋଳି ହୋଇ ବିଜୟ ଉତ୍ସବ ମନାଇଛନ୍ତି ।
ସ୍ଥାନୀୟ ଯଯାତୀ କେଶରୀ କ୍ଲବ୍ରେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ ସୌଭିକ୍ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଟେନାମେଣ୍ଟ ତଥା ଚୌଦ୍ୱାରବାସୀଙ୍କ ତରଫରୁ ତାଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ ।ସ୍ଥାନୀୟ ବାସିନ୍ଦା ତଥା ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରି ଟେନାମେଣ୍ଟ ବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଦୀର୍ଘ ଦିନ ଧରି ନିରବିଚ୍ଛିନ୍ନ ପ୍ରଚେଷ୍ଟା କରି ଶେଷରେ ସୁଫଳ ଆଣି ଦେଇଥିବାରୁ ତାଙ୍କୁ ଟୋନମେଣ୍ଟ ବାସୀଙ୍କ ତରଫରୁ କୃତଜ୍ଞତା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ, କ୍ୟବିନେଟ ସଦସ୍ୟବୃନ୍ଦ ଓ ସ୍ଥାନୀୟ ବିଧାୟକଙ୍କ ନିକଟରେ ଟୋନମେଣ୍ଟବାସୀ ଋଣୀ ରହିବେ ବୋଲି ପ୍ରକାଶ କରିଥିଲେ ।ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କାଉନସିଲର ବିଜୟ କୁମାର ମଲ୍ଲିକ, ସୁବ୍ରତ ସାମଲ, ରମେଶ ଚନ୍ଦ୍ର ଭୁୟାଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ । ବରିଷ୍ଟ ନାଗରିକ ବିଚିତ୍ରାନନ୍ଦ ଖଟୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.