ମାଟି ତଳୁ ବାହାରିଲା ଶିବଲିଙ୍ଗ, ଗ୍ରାମରେ ଭକ୍ତିମୟ ପରିବେଶ
ଚାନ୍ଦିପୁଟ : ଗଜପତି ଜିଲା ମୋହନା ବ୍ଲକ ମୁଡୁମୁଡିଆ ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ଗ୍ରାମ ନିକଟରେ ଥିବା ରାମଢ଼ିମୀରା ପାହାଡ଼ରେ ମହାପ୍ରଭୁ ଶିବଶଙ୍କରଙ୍କ ଏକ ଶିବଲିଙ୍ଗ ଆବିର୍ଭାବ ହୋଇଛି। ଗ୍ରାମବାସୀଙ୍କ ସୂଚନା ପ୍ରକାରେ କିଛି ଦିନଧରି ରାମଗିରି ଅଞ୍ଚଳର ଭିକାରୀ ଚରଣ ରଣା ନାମକ ପୂଜକ ମୁଡୁମୁଡିଆ ଗ୍ରାମକୁ ଆସି ରାମଢ଼ିମୀରା ପାହାଡ଼ ନିକଟରେ ଥିବା ଏକ ଉଇହୁଙ୍କା ବିଳା ନିକଟରେ ପୂଜାର୍ଚ୍ଚନା କରିବା ସହ ଗ୍ରାମବାସୀଙ୍କୁ ମଧ୍ୟ ୨୧ ଦିନ ଉକ୍ତ ସ୍ଥାନରେ ପୂଜାର୍ଚ୍ଚନା କରିବା ପାଇଁ ପରାମର୍ଶ ଦେଇଥିଲେ। ସେବେଠାରୁ ଗ୍ରାମବାସୀ ସେହି ସ୍ଥାନରେ ପୂଜାର୍ଚ୍ଚନା କରୁଥିଲେ।
ତେବେ ଗତ ବୁଧବାର ମହାପ୍ରଭୁ ଜଗନ୍ନାଥ ଙ୍କ ବାହୁଡା ଯାତ୍ରା ରାତିରେ ଗ୍ରାମର ରୋହିତ ନାୟକଙ୍କୁ ରାତିରେ ସ୍ୱପ୍ନାଦେଶ ହୋଇଥିଲା, ସ୍ବପ୍ନରେ ଜଣେ ବୃଦ୍ଧ ତାଙ୍କୁ ଉଠାଇବା ସହ ଉକ୍ତ ପାହାଡ଼ର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଶିବଲିଙ୍ଗ ଥିବାର ସ୍ବପ୍ନ ଦେଖିଥିଲେ । ସ୍ବପ୍ନାଦେଶ ପ୍ରକାରେ ରୋହିତ ଭୋର ସମୟରେ ଉକ୍ତ ସ୍ଥାନକୁ ଯିବା ସହ ସେଠାରେ ଏକ ନାଗ ସର୍ପ ଥିବା ଦେଖିଥିଲେ। ଏହାପରେ ସେହି ସର୍ପ କେଉଁଆଡେ଼ ଉଭାନ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବାସହ ସ୍ୱପ୍ନାଦେଶ ପ୍ରକାରେ ସାତଜଣ ଅବିବାହିତ ଝିଅଙ୍କୁ ଦ୍ୱାରା ସତଗରା ପାଣି ଉକ୍ତ ସ୍ଥାନରେ ଅଭିଷେକ କରିଥିଲେ।
ଏହାପରେ ସେଠାରେ ବୃଷବ ସଦୃଶ୍ୟ ଛୋଟିଆ ଶିଳା ସହ ଶିବଙ୍କର ଲିଙ୍ଗ ଦୃଶ୍ୟମାନ ହୋଇଥିଲା। ଉକ୍ତ ପୀଠକୁ ‘ମୁକ୍ତେଶ୍ବର’ ମହାଦେବ ଭାବେ ନାମକରଣ କରାଯାଇଛି । ଏଭଳି ଅଲୌକିକ ଘଟଣା ପ୍ରଚାର ହେବାପରେ ମୁଡୁମୁଡିଆ ଗ୍ରାମକୁ ଆଖପାଖ ଅଞ୍ଚଳର ଭକ୍ତ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିବା ସହ ଦୀପ ଧୂପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା ଚାଲିଛି । ପୂର୍ବରୁ ଗ୍ରାମ ଆଖ ପାଖରେ ଶୈବ ପୀଠ ନଥିବାରୁ ମୋହନା, ଚାନ୍ଦିପୁଟ, ତପ୍ତପାଣି ଭଳି ଶୈବପୀଠ କୁ ଯାଉଥିଲେ। ଏବେ ଗାଁରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ପାଇଁ ସୁଯୋଗ ପାଇଥିବାରୁ ଗ୍ରାମବାସୀ ଖୁସି ହେବା ସହ ରୀତିନୀତି ଅନୁସାରେ ସମସ୍ତ ପୂଜାର୍ଚ୍ଚନା କରାଯିବ ବୋଲି ପ୍ରକାଶ କରିଛନ୍ତି।
Comments are closed.