ଗ୍ରାମାଞ୍ଚଳର ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟ ଖାଦ୍ୟ ଆମାଜନରେ ବିକ୍ରି ହେବ !
ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ପାଳନ ଅବସରରେ
ଚାନ୍ଦିପୁଟ: ଲୋପ ପାଇବାକୁ ବସିଥିବା ମାଣ୍ଡିଆ ଜାତୀୟ ଫସଲର ପୁନଃ ଉଦ୍ଧାର ସହ ବହୁଳ ବ୍ୟବହାର ଉପଯୋଗୀ କରିବା ଉଦ୍ଦେଶ୍ୟରେ ଚଳିତବର୍ଷ ଅନ୍ତର୍ଜାତୀୟ ସ୍ତରରେ ମିଲେଟ ମିଶନ ବର୍ଷ ମାଧ୍ୟମରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମପଞ୍ଚାୟତର କପୁରୀପଟା ଗ୍ରାମରେ ମାଣ୍ଡିଆ କ୍ଷୁଦ୍ର ଶସ୍ୟ ଜାତୀୟ ଖାଦ୍ୟ ବ୍ୟଞ୍ଜନ ପ୍ରିତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ଗଜପତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ବୈଜ୍ଞାନିକ ଡଃ.ସଂଗ୍ରାମ ପରମଗୁରୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ଳକର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ମହିଳା ନିଜ ଦ୍ବାରା ପ୍ରସ୍ତୁତ ଭିନ୍ନ ଭିନ୍ନ ସ୍ବାଦିଷ୍ଟ ବ୍ୟଞ୍ଜନ ଆଣି ପ୍ରଦର୍ଶନ କରିଥିଲେ। ବୈଜ୍ଞାନିକ ଡ. ସଞ୍ଜୀବ କୁମାର ମାଣ୍ଡି ମିଶନ ଶକ୍ତିର ମହିଳାଙ୍କୁ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ପଚାରି ବୁଝିବା ସହ ମାନ ନିର୍ଦ୍ଧାରଣ ପାଇଁ ଉପସ୍ଥିତ ସଦସ୍ୟଙ୍କ ପରାମର୍ଶ ନେଇ ଗୁଣବତ୍ତା ମାନ ପରଖିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଭାବେ ବ୍ଲକ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ ଯୋଗଦେଇ ମାଣ୍ଡିଆ ଜାତୀୟ ଶସ୍ୟର ବହୁଳ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଚାନ୍ଦିପୁଟ ପଞ୍ଚାୟତ ସମିତି ସଭ୍ୟ ସୋମନାଥ ମଣ୍ଡଳ, ସ୍ଥାନୀୟ ୱାର୍ଡ ମେମ୍ବର ଉମାକାନ୍ତ ମଳିକ, ମିଶନ ଶକ୍ତି ମୋହନା ବ୍ଳକ ପ୍ରଗ୍ରାମ ଅଫିସର ଚୌଧୁରୀ ପୁଜାରୀ, ସ୍ବୟଂ ସହାୟିକା ଗୃଫ ସଦସ୍ୟ ମେଙ୍ଗୀ ନାୟକ, ତପ୍ତପାଣି ଫାରର୍ମରସ କମ୍ପାନୀ ସିଇଓ ଅଜିତ କୁମାର ସାହୁ, ସକାଳ ଅନୁଷ୍ଠାନ ସଂଯୋଜକ ରାମକୃଷ୍ଣ ବିଶୋଇ ପ୍ରମୁଖ ଯୋଗଦେଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରି ମାନ ନିର୍ଦ୍ଧାରଣ କରିଥିଲେ। ଶରୀର ପ୍ରତି ଉପକାରୀ ଓ ଅମୂଲ୍ୟ ଲାଭଦାୟକ ଖାଦ୍ୟ ଭାବେ ମାଣ୍ଡିଆ, ଜନା, କାଙ୍ଗୁ ଆଦି କ୍ଷୁଦ୍ର ଶସ୍ୟ ଦ୍ବାରା ମାଣ୍ଡିଆ ଲଡୁ, ମୁଡକି, ଖାସ୍ତା, ସର୍ବତ, ସୁପ୍, ଜନା ଲଡୁ, ମାଣ୍ଡିଆ ଇଡିଲି, ପକୁଡ଼ି, କ୍ଷୀରି, ଉପମା, ମାଣ୍ଡିଆ କେକ୍, ମାଲପୁଆ ଆଦି ବିଭିନ୍ନ ସ୍ବାଦିଷ୍ଟ ବ୍ୟଞ୍ଜନ ଆଣି ପ୍ରଦର୍ଶନ କରିଥିଲେ ମହିଳାମାନେ। ତେବେ ବଜାରରେ ଏହାର ବିକ୍ରିବଟା ସହ ଉଚ୍ଚିତ ମୂଲ୍ୟ ସହ ଆମାଜନରେ କିଭଳି ଉପଲବ୍ଧ ହେବ ସେନେଇ ନେଇ ଚେଷ୍ଟା ଜାରୀ ରଖିଥିବା ବରିଷ୍ଠ ବୈଜ୍ଞାନିକ ପରମଗୁରୁ କହିଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ବୈଜ୍ଞାନିକ ଡଃ ସଞ୍ଜିବ କୁମାର ମାଣ୍ଡି ପରିଚାଳନା କରିଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Comments are closed.