ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ଦୁର୍ନୀତିଗ୍ରସ୍ତ ୨୨ ଜଣ ବରିଷ୍ଠ ଟିକସ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ଏହି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦେଶ ଦେଇଛି। ଅଧିକାରୀମାନଙ୍କ ବିରୋଧରେ ଦୁର୍ନୀତି ଏବଂ ଅନ୍ୟାନ୍ୟ ଅଭିଯୋଗ ରହିଥିଲା। କେତେଜଣ ଅଧିକାରୀ ସିବିଆଇ ହାତରେ ମଧ୍ୟ ଧରାପଡ଼ିଥିଲେ। ପୂର୍ବରୁ ମଧ୍ୟ ଅନେକ ଅଧିକାରୀଙ୍କୁ ମୋଦୀ ସରକାର ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦେଶ ଦେଇଛି।
ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ, ଟିକସ ପ୍ରଶାସନ କ୍ଷେତ୍ରରେ କାର୍ଯ୍ୟରତ କିଛି ଅଧିକାରୀ ସେମାନଙ୍କ କ୍ଷମତାର ଦୁରୁପଯୋଗ କରୁଛନ୍ତି ଏବଂ ଟିକସଦାତାମାନଙ୍କୁ ହଇରାଣ କରୁଛନ୍ତି। ଏଥିପାଇଁ ନିକଟରେ ସରକାର ଏକାଧିକ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ଅଧିକାରୀମାନଙ୍କ ଏପରି ବ୍ୟବହାରକୁ ସହ୍ୟ କରାଯିବ ନାହିଁ ବୋଲି ମୋଦୀ କହିଥିଲେ। ଏହା ପରେ ସିବିଆଇସି ଏପରି ପଦକ୍ଷେପ ନେଇଛି। ବୋର୍ଡ ନାଗପୁର, ଭୋପାଳ, ଚେନ୍ନାଇ, ବେଙ୍ଗାଲୁରୁ, ଦିଲ୍ଲୀ, ଜୟପୁର, କଲକାତା, ବେଙ୍ଗାଲୁରୁ କଷ୍ଟମ୍ସ ଜେନା, ମୁମ୍ବଇ କଷ୍ଟମ୍ସ ଜୋନ ଏବଂ ଚଣ୍ଡୀଗଡ଼ ସମେତ ୧୨ଟି ଜୋନର ଅଧିକାରୀଙ୍କୁ ବହିଷ୍କାର କରିଛି। ଗତ ଜୁନରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏହାର ୧୨ ଅଧିକାରୀଙ୍କ ସମେତ ୨୭ ଜଣ ଉଚ୍ଚ ପଦସ୍ଥ ଭାରତୀୟ ରାଜସ୍ବ ସେବା ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦେଶ ଦେଇଥିଲା।



