ବେଜିଂ : ଚୀନ୍ରେ କରୋନା ଭୂତାଣୁ ସଂକ୍ରମଣ କ୍ରମାଗତ ଦ୍ବିତୀୟ ଦିନ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଚୀନ୍ ନ୍ୟାସନାଲ ହେଲ୍ଥ କମିସନ୍ ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ସଂକ୍ରମଣ ସଂଖ୍ୟା ୨୦୧୫ ରହିଛି; କିନ୍ତୁ ମୃତ୍ୟୁ ସଂଖ୍ୟା ୯୭ ବୃଦ୍ଧିପାଇ ୧୧୧୩ରେ ପହଞ୍ଚିଛି। ମଙ୍ଗଳବାର ସଂକ୍ରମିତଙ୍କ ସଂଖ୍ୟା ୨୪୭୮ ଥିଲା। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୬୫୪ ହୋଇଛି; ତେବେ ଗଣମାଧ୍ୟମ ସୂଚନାନୁଯାୟୀ, ବହୁ ସଂକ୍ରମିତଙ୍କ ହିସାବ ରଖାଯାଇ ନାହିଁ। ବେଜିଂର ଦକ୍ଷିଣ-ପୂର୍ବାଞ୍ଚଳ ତିଆନଜିନ୍ରେ ୧୦୪ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଅପରପକ୍ଷରେ ହଂକଂ ଓ ଫିଲିପାଇନ୍ସରେ ଜଣେ ଲେଖାଏଁ ମୃତ୍ୟୁମୁଖରେ ପଡ଼ିଥିବା ସୂଚନା ମିଳିଛି।
ସେହିଭଳି ୟୋକୋହାମା ବନ୍ଦର ନିକଟରେ ଅଟକିଥିବା ଜାପାନୀ ଜାହାଜ ‘ଡାଇମଣ୍ଡ ପ୍ରିନ୍ସେସ୍’ରେ ସଂକ୍ରମିତ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିପାଇ ୧୭୪ରେ ପହଞ୍ଚିଥିବା ସେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାର ନୂଆ ୩୯ଜଣ ସଂକ୍ରମିତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ଥିବା ମନ୍ତ୍ରୀ କହିଛନ୍ତି। ସମ୍ପ୍ରତି ଜାହାଜରେ ୧୩୮ ଭାରତୀୟ ଥିବାବେଳେ ନିଜ ଦେଶକୁ ଫେରାଇ ଆଣିବା ପାଇଁ ସେମାନେ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଭାରତୀୟଙ୍କୁ ଫେରାଇ ଆଣିବା ଓ ସଂକ୍ରମିତଙ୍କ ଚିକିତ୍ସା ବାବଦରେ ଟୋକିଓସ୍ଥିତ ଭାରତୀୟ ଦୂତାବାସ କର୍ତ୍ତୃପକ୍ଷ ଜାପାନ ସରକାରଙ୍କ ସହିତ ଯୋଗାଯୋଗ ରଖିଛନ୍ତି।
ଅନ୍ୟ ଏକ ଖବର ଅନୁଯାୟୀ, ବିଭିନ୍ନ ଦେଶରୁ ଚୀନ୍କୁ ବିମାନ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଡାକ ପରିବହନ ଓ ବଣ୍ଟନରେ ସମସ୍ୟା ସୃଷ୍ଟିହୋଇଛି। ବହୁ ସଂଖ୍ୟକ ଚିଠିପତ୍ର ବଣ୍ଟା ନ ହୋଇ ପଡ଼ିଛି। ଡାକ ମାଧ୍ୟମରେ ଭୂତାଣୁ ସଂକ୍ରମଣର ଆଶଙ୍କା ଏହାର ଅନ୍ୟତମ କାରଣ ହୋଇଥିବାରୁ ଏଭଳି ଆଶଙ୍କା ଅମୂଳକ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଚୀନ୍ ସ୍ବାସ୍ଥ୍ୟ ବିଭାଗ ବିଶେଷଜ୍ଞମାନେ ଏକ ମହତ୍ତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି। ଜଣେ ସଂକ୍ରମିତଙ୍କ ମାଧ୍ୟମରେ ତାଙ୍କ ଚିକିତ୍ସା ଓ ସହାୟତାରେ ନିୟୋଜିତ ଡାକ୍ତର ତଥା କର୍ମଚାରୀଙ୍କ ମଧ୍ୟରୁ ଅନ୍ୟୂନ ୧୦ଜଣ ସଂକ୍ରମିତ ହେଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ଚିକିତ୍ସାଧୀନ ୧୩୮ଜଣଙ୍କ କ୍ଷେତ୍ରରେ ଅନୁଧ୍ୟାନରୁ ଏହା ଜଣାପଡ଼ିଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଉହାନ ବିଶ୍ବବିଦ୍ୟାଳୟ ଅଧୀନ ଝୋଙ୍ଗନାନ୍ ହସ୍ପିଟାଲରେ ଏହି ଅନୁଧ୍ୟାନ ହୋଇଥିବା ପ୍ରକାଶ। ଏହି ପରିପ୍ରେକ୍ଷୀରେ କର୍ତ୍ତୃପକ୍ଷ ଯଥାସମ୍ଭବ ରୋବଟ୍ ସହାୟତାରେ ଚିକିତ୍ସା ଚଳାଇଥିବା ଓ ଏଥିପାଇଁ ନୂଆ ରୋବଟ ପ୍ରସ୍ତୁତ କରାଯାଉଥିବା କୁହାଯାଇଛି। ଏତଦ୍ବ୍ୟତୀତ ରୋଗୀ ସଂସ୍ପର୍ଶରେ ନ ଆସିବା ପାଇଁ ସେ ରହୁଥିବା କୋଠରି ବାହାରୁ ଯଥାସମ୍ଭବ ଚିକିତ୍ସା ଜାରି ରହିଥିବା ରିପୋର୍ଟରେ କୁହାଯାଇଛି। ସଂକ୍ରମିତଙ୍କ ମଧ୍ୟରେ ୯୦ପ୍ରତିଶତରୁ ଅଧିକ ବୟସ୍କ ଓ ୫୪ପ୍ରତିଶତ ପୁରୁଷ ଥିବା ଏଥିରେ ଦର୍ଶାଯାଇଛି।



