କାଡାଭେରିକ୍ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ : ଏକ ଅନୁଭୂତି
ଦୈନିକ ‘ସମାଜ’ରେ ଫେବୃଆରୀ ୪ତାରିଖ ଖବର ଯେତେ ଚାଞ୍ଚଲ୍ୟକର ନୁହେଁ ତା’ ଅପେକ୍ଷା ବେଶ ଆନନ୍ଦମୟ। ଖବରରେ ପ୍ରକାଶ ପାଇଥିଲା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ମଧ୍ୟରାତ୍ରରେ ଏକ କିଡ୍ନୀ ପ୍ରତିରୋପଣ ପାଇଁ ଅଣାଗଲା ଓ ସଫଳ ପ୍ରତିରୋପଣ ମଧ୍ୟ କରାଯାଇଥିଲା। ଏହି ସମ୍ବାଦ ପଢ଼ିବା ପରେ ମୋର ମନ ଅତିଶୟ ଆନନ୍ଦରେ ଭରି ଯାଇଥିଲା। ଉଭୟ ଡାକ୍ତରୀ ଦଳ ଓ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବାଦକୁ ମୁଖ୍ୟ ପୃଷ୍ଠାରେ ସ୍ଥାନିତ କରିଥିବା ‘ସମାଜ’କୁ ମନେମନେ ହାର୍ଦିକ ଅଭିନନ୍ଦନ ଜଣାଇଥିଲି।
ଆଜି ବି ମୋର ମନେପଡ଼େ, ୧୯୯୪ ମସିହା ୧୨ମାର୍ଚ୍ଚ ତାରିଖ ମଧ୍ୟରାତ୍ରରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଆମେ କେତେଜଣ ଡାକ୍ତର ଜଣେ ବ୍ରେନ୍ଡେଡ୍ ରୋଗୀକୁ ପାଇ ଚଳଚଞ୍ଚଳ ହୋଇ ଉଠିଥିଲୁ। ଆମ ଡାୟାଲିସିସ୍ ୟୁନିଟ୍ରେ ଏଣ୍ଡ୍ ଷ୍ଟେଜ କିଡ୍ନୀ ଫେଲୁଅର ଡାୟାଲିସିସ ହେଉଥିବା ଦୁଇଜଣଙ୍କୁ ରୋତକ୍ ଆମ୍ବୁଲାନ୍ସ ପଠାଇ ଆଣି ରାତାରାତି ତାଙ୍କର କିଡ୍ନୀ ପ୍ରତିରୋପଣ କରିଥିଲୁ। ତାହା ଥିଲା ଭାରତର ପ୍ରଥମ ରେଗୁଲାର କାଡାଭେରିକ୍ (ମୃତ ବ୍ୟକ୍ତିଙ୍କ କିଡ୍ନୀ-ଡିସିଡି) ସଫଳ କିଡ୍ନୀ ପ୍ରତିରୋପଣର ଅୟମାରମ୍ଭ। ତା’ ପୂର୍ବରୁ ଅବଶ୍ୟ କାଁ ଭାଁ ହୋଇ କେତୋଟି ହସ୍ପିଟାଲରେ କାଡାଭେରିକ (ଡିସିଡି) ନେଇ ରୋପଣ କରାହୋଇଥିଲା। ତାହା କିନ୍ତୁ ନିୟମିତ ସମୟ ବ୍ୟବଧାନରେ ହେଉ ନ ଥିଲା ଏବଂ ସେଭଳି ସଫଳ କିଡ୍ନୀ ପ୍ରତ୍ୟାରୋପଣର କୌଣସି ରେକର୍ଡ ମଧ୍ୟ ନାହିଁ। ଏହାର ଅନ୍ୟ ଏକ କାରଣ, ସେତେବେଳେ ଅରଗାନ୍ ଟ୍ରାନ୍ସପ୍ଲାଣ୍ଟ ଆଇନ୍ ହୋଇନଥିଲା।
ମୋର ଅତି ବିଶ୍ୱସ୍ତ ସହକାରୀ ଡାକ୍ତର ତଥା ବେଶ ଉତ୍ସାହୀ ଯୁବ ଟ୍ରାନ୍ସପ୍ଲାଣ୍ଟ୍ ସର୍ଜନ ସନ୍ଦୀପ ଗୁଲେରିଆ ଇଂଲଣ୍ଡରୁ ସଦ୍ୟ ଭାରତ ପ୍ରତ୍ୟାବର୍ତ୍ତନ କରି ନୂଆଦିଲ୍ଲୀ ଏମ୍ସରେ ଯୋଗ ଦେଇଥାନ୍ତି। ଅସ୍ତ୍ରୋପଚାର ପୂର୍ବରୁ ସେ ମୋତେ ପଚାରିଲେ ‘ସାର୍! ଦେୟାର ଇଜ୍ ନୋ ଲ’ ଇନ୍ ଇଣ୍ଡିଆ ଫର ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟେସନ୍ ଆଜ୍ ୟେଟ୍’। ଆପଣ ପରମିସନ ଦେଲେ ମୁଁ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପ୍ରସ୍ତୁତ ଅଛି। ଡା ସନ୍ଦୀପ ଗୁଲେରିଆଙ୍କ ଉତ୍ସାହ ଓ ସାହସ ମୋତେ ବେଶ ପ୍ରଭାବିତ କରିଥିଲା। ମୁଁ କୌଣସି ବିଷୟ ନଭାବି ସନ୍ଦୀପଙ୍କୁ କହିଥିଲି ‘ସନ୍ଦୀପ୍ ! ତୁମେ ଅପରେସନ କର, ମୁଁ ଲିଗାଲ୍ କନସିକ୍ୟୁଏନ୍ସ ଫେସ୍ କରିବାକୁ ପ୍ରସ୍ତୁତ ଅଛି।’ ଏ କଥା ସନ୍ଦୀପଙ୍କୁ ସିନା କହିଦେଲି, ହେଲେ ଏହାର ଆଇନଗତ ଦିଗ ପ୍ରତି ମୁଁ ମଧ୍ୟ ବିଶେଷ ଜ୍ଞାତ ନଥିଲି। ତେଣୁ ସେହିଦିନ ସଂଧ୍ୟାରେ ମୁଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ତତ୍କଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କୁ ତାଙ୍କ ବାସଭବନରେ ଭେଟି ମୋର ଭୟ କଥା କହିଲି। ସେ କହିଲେ ‘ସୁରେଶ ବାବୁ! ଯଦି କୌଣସି ଡାକ୍ତର ରୋଗୀର ଜୀବନ ବଞ୍ଚାଇବାକୁ କୌଣସି ଚିକିତ୍ସା ସାଧୁତା ଅବଲମ୍ବନ କରି ଏବଂ କୌଣସି ଆର୍ଥିକ ଲାଭକୁ ଦୃଷ୍ଟିରେ ନରଖି କରେ ଆଇନ୍ ତାକୁ ତ ସୁରକ୍ଷା ଦେବ।’ ରୋଗୀଙ୍କ ପରିଜନଙ୍କଠାରୁ ସରକାରଙ୍କ ନିର୍ଦିଷ୍ଟ ଥିବା ଫର୍ମରେ ସମ୍ମତି ଆଣି ଆପଣ ଅସ୍ତ୍ରୋପଚାର କରି ପାରିବେ। ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ଏହି ପଦକ କଥା ଶୁଣିବା ପରେ ମୋର ଉତ୍ସାହ ବହୁଗୁଣିତ ହୋଇଯାଇଥିଲା। ୧୯୯୪ ମାର୍ଚ୍ଚ ଏବଂ ତା’ ପରେପରେ ଆମେ ପ୍ରାୟ ପାଖାପାଖି ୧୦ଟି ସଫଳ କାଡାଭେରିକ କିଡ୍ନୀ ପ୍ରତିରୋପଣ କରିଥିଲୁ। ୧୯୯୪ ଅଗଷ୍ଟ ମାସରେ ପାର୍ଲାମେଣ୍ଟରେ ହୋଟା(ହ୍ୟୁମାନ୍ ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟ ଆକ୍ଟ) ପାରିତ ହେଲା। ଏହି ନିୟମ ଆସିବା ପରେ ଡା. ଭେନୁଗୋପାଲ ଏସିଆର ପ୍ରଥମ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ କରିଥିଲେ।
ଓଡ଼ିଶା ଫେରିବା ପରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ)ରେ ଯୋଗ ଦେଲି। ଯୋଗଦେବା ପରେ ବଲାଙ୍ଗୀରରୁ ୭୦ ବର୍ଷ ବୟସ୍କ ଜଣେ ହୋମିଓପାଥିକ ଡାକ୍ତର ଡାୟାଲିସିସ୍ ପାଇଁ ସପ୍ତାହରେ ଦୁଇଥର କିମ୍ସ ଆସନ୍ତି। ସେ ସବୁବେଳେ ଇଣ୍ଟରସିଟି ଟ୍ରେନରେ ଆସନ୍ତି। ଥରେ ସେ ଭୁବନେଶ୍ୱର ଆସୁଥିବା ସମୟରେ ଦୁର୍ଘଟଣା ଯୋଗୁଁ ରେଳଷ୍ଟେସନ ଓଭରବ୍ରିଜରୁ ଖସିପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେହି ଅବସ୍ଥାରେ ତାଙ୍କୁ କିମ୍ସରେ ଭର୍ତ୍ତି କରାଗଲା ଓ ନେଫ୍ରୋଲୋଜି ୟୁନିଟରେ ସେ ରହିଲେ। ଅବଶ୍ୟ ଡାକ୍ତରମାନେ ବହୁ କଷ୍ଟ କରି ତାଙ୍କୁ ବଞ୍ଚାଇ ଦେଲେ। ଏହି ଘଟଣା ମୋତେ ଅତି ବିଚଳିତ କରିଥିଲା। ଏଭଳି ରୋଗୀଙ୍କ ପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇପାରେ? ଓଡ଼ିଶାରେ ସେଭଳି କୌଣସି ସୁବିଧା କରାନଗଲେ ଆମ ରାଜ୍ୟର ଲୋକମାନେ ଅକାଳରେ ମୃତ୍ୟୁ ମୁଖରେ ପଡ଼ିବେ ବୋଲି ମୋର ମନେହେଲା।
ଏହି ପ୍ରସଙ୍ଗ ନେଇ ମୁଁ ୨୦୧୪ ମସିହାରେ ଦିନେ ତତ୍କାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥାହେଲି। ସେ ଅବଶ୍ୟ ମୋତେ ପୂର୍ବରୁ ଜାଣିଥିଲେ। ମୁଁ ନୂଆଦିଲ୍ଲୀ ଏମ୍ସରେ ଥିବା ସମୟରୁ ତାଙ୍କ ସହ ମୋର ପରିଚୟ ଥିଲା। ଆପଏଣ୍ଟମେଣ୍ଟ ନେବା ପରେ ସେ ସକାଳ ୮ଟା ବେଳେ ତାଙ୍କ କ୍ୱାର୍ଟରକୁ ଡାକିଲେ। ଦୀର୍ଘ ସମୟ ଧରି ଆମ ମଧ୍ୟରେ ଓଡ଼ିଶାରେ କିଡ୍ନୀ ରୋଗୀଙ୍କ ସମସ୍ୟା ଓ ଡାୟାଲିସିସ୍ ବ୍ୟବସ୍ଥା ଉପରେ ଆଲୋଚନା ଚାଲିଲା। ମନ୍ତ୍ରୀ ମହୋଦୟ ଅତ୍ୟନ୍ତ ଶ୍ରଦ୍ଧାର ସହ ମୋ କଥା ଶୁଣିଲେ। ମନ୍ତ୍ରୀଙ୍କ ନିକଟରେ ମୁଁ ମୋଟ ଦୁଇଟି ପ୍ରସ୍ତାବ ରଖିଲି। ପ୍ରଥମତଃ ଓଡ଼ିଶାର ୭-୮ଟି ଜିଲ୍ଲା ମୁଖ୍ୟାଳୟରେ ଡାୟାଲିସିସ୍ ୟୁନିଟ୍ ଖୋଲୁ। ଦ୍ୱିତୀୟରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜରେ କିଡ୍ନୀ ପ୍ରତିରୋପଣ ୟୁନିଟ୍ ଖୋଲାଯାଉ। ଓଡ଼ିଶାର ଯେଉଁସବୁ ମୁଖ୍ୟାଳୟରେ ଡାୟାଲିସିସ୍ ୟୁନିଟ୍ ଖୋଲିବ ସେସବୁକୁ ମୁଁ ଏବଂ ମୋର ସହକାରୀ ଡାକ୍ତର ଓ ଡାକ୍ତରୀ ଦଳ ଯାଇ ସହଯୋଗ ଯୋଗାଇ ଦେବା ସହ ଡାକ୍ତରଙ୍କୁ ତାଲିମ ମଧ୍ୟ ଦେବୁ। ସେଠକାର ଜଣେ ବିଭାଗୀୟ ମୁଖ୍ୟ ଡାକ୍ତରଙ୍କୁ ଆମେ କିମ୍ସରେ ଏକମାସ ପର୍ଯ୍ୟନ୍ତ ତାଲିମ୍ ପ୍ରଦାନ କରିବୁ ଓ ସେ ପରବର୍ତ୍ତୀ ସମୟରେ ନିଜ ବିଭାଗରେ ସୁଚାରୁ ରୂପେ କାମ ଚଳେଇ ନେବେ। ଖୁସିର କଥା କିଟ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ଏଥି ପାଇଁ ମତେ ଅନୁମତି ଦେଇଥିଲେ। ଏହା ସହିତ ଡାୟାଲିସିସ୍ ୟୁନିଟ୍ ଓ କିଡ୍ନୀ ଟ୍ରାନସ୍ପ୍ଲାଣ୍ଟ ୟୁନିଟ୍ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଲୋକବଳ ସଂପର୍କରେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲି। କେତେଜଣ ଭଲ ବିଶେଷଜ୍ଞ ଡାକ୍ତର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଓ ପିଜିଆଇଙ୍କ ନାମ ପ୍ରସ୍ତାବ ଦେଇଥିଲି। ଏହା ସହିତ ପିଜିଆଇ, ଚଣ୍ଡୀଗଡ଼ର ଦକ୍ଷ, ଅଭିଜ୍ଞ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ମୁକୁଟ ମିଞ୍ଜଙ୍କ ନାମ ମଧ୍ୟ ପ୍ରସ୍ତାବ ଦେଇଥିଲି। ସେ ଓଡ଼ିଶାର ଜଣେ ସୁଯୋଗ୍ୟ ଦାୟାଦ। ଡା. ମିଞ୍ଜଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜାଣିଥିଲି। ମୁଁ ତାଙ୍କୁ ଓଡ଼ିଶା ଆସିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲି। ସେ ଅତି ଆନନ୍ଦର ସହ ଓଡ଼ିଶା ଆସିବାକୁ ସମ୍ମତି ଜଣାଇଥିଲେ।
ମୋର ଏଭଳି ଏକ ଭଲ ପ୍ରସ୍ତାବ ପରେ ମନ୍ତ୍ରୀ ସଚିବସ୍ତରୀୟ ଏକ ବୈଠକ ଡାକିଲେ ଏବଂ ଏହି ବୈଠକରେ ଡିଏମ୍ଇଟି, ଏସ୍ସିବିର ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ଭଳି ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ବୈଠକରେ ମୋତେ ପ୍ରତିରୋପଣ ବିଷୟରେ ସୂଚନା ଦେବାକୁ କୁହାଗଲା। ମୁଁ ଦୀର୍ଘ ଅଧଘଣ୍ଟା ଧରି ପ୍ରତିରୋପଣ ବିଷୟରେ କହିଥିଲି। ଏହା ସହିତ ଟ୍ରାନ୍ସପ୍ଲାଣ୍ଟ ପାଇଁ ରୋଡ୍ମ୍ୟାପ୍ ମଧ୍ୟ ଦର୍ଶାଇଥିଲି।
ସେ ଯାହା ହେଉ କାଡାଭେରିକ୍ ଟ୍ରାନ୍ସ୍ପ୍ଲାଣ୍ଟ ହୋଇଛି ଜାଣି ଆଜି ମୁଁ ବହୁତ ଖୁସି- ମୋର ସ୍ୱପ୍ନ ଆଜି ସାକାର ହୋଇଛି। ମୋର ଜୀବନ କିଡ୍ନୀ ରୋଗ, ଡାୟାଲିସିସ୍ ଓ ପ୍ରତିରୋପଣ ସହ ଜଡ଼ିତ ରହିଆସିଛି। ଓଡ଼ିଶାରେ କାଡାଭେରିକ୍ କିଡ୍ନୀ ପ୍ରତିରୋପଣ ଅତ୍ୟନ୍ତ ଆବଶ୍ୟକ ଥିଲା। ଜନସାଧାରଣଙ୍କ ମଧ୍ୟରେ ଅଙ୍ଗଦାନ ପାଇଁ ପ୍ରେରଣାଦାୟୀ ପ୍ରସାର ଓ ପ୍ରଚାର ଓ ସଚେତନତା ଜରିଆରେ ଏ ସଂପର୍କିତ ଜ୍ଞାନ ଯଥେଷ୍ଟ ବୃଦ୍ଧି ପାଇବ, ଏଥିରେ ସନ୍ଦେହ ନାହିଁ।
(ପ୍ରାକ୍ତନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଏମ୍ସ, ନୂଆଦିଲ୍ଲୀ)
Comments are closed.