ଯାତ୍ରୀ ହେଉନାହାନ୍ତି, ବନ୍ଦ ହେବ ବସ୍‌

ଖୁବ୍‌ଶୀଘ୍ର ମନ୍ତ୍ରୀଙ୍କୁ ଭେଟିବେ ବସ୍‌ ସଂଘ ପ୍ରତିନିଧି

ଚାଲୁଛି ୧୫ ଘରୋଇ ବସ୍, ଦୈନିକ କ୍ଷତି ୧୫ ହଜାର

ଭୁବନେଶ୍ବର : ଯାତ୍ରୀ ନହେବା ଯୋଗୁଁ ଘରୋଇ ବସ୍‌ ମାଲିକ ବସ୍‌ ଚଳାଇ ପାରୁନାହାନ୍ତି। କମ୍‌ ସଂଖ୍ୟକ ଯାତ୍ରୀରେ ବସ୍‌ ଚଳାଇବା ଦ୍ବାରା ଦୈନିକ ୧୫ ହଜାର ଟଙ୍କା କ୍ଷତି ହେଉଛି। ଫଳରେ ବସ୍‌ ଚଳାଚଳ ବନ୍ଦ କରିବାକୁ ମାଲିକ ଚିନ୍ତା କରୁଛନ୍ତି। ଆଗକୁ ୩/୪ଦିନ ଏମିତି ପରିସ୍ଥିତି ଲାଗି ରହିଲେ ଘରୋଇ ବସ୍‌ ମାଲିକ ସଂଘ ପରିବହନ ମନ୍ତ୍ରୀ ଏବଂ ସଚିବଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇବ। ତେବେ ମେ ୨୮ରେ ୨୯୦ ଖଣ୍ଡ ଘରୋଇ ବସ୍ କଟକ ଏବଂ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ବାହାରି ବିଭିନ୍ନ ଜିଲାକୁ ଚଳାଚଳ ଆରମ୍ଭ କରିଥିଲା; କିନ୍ତୁ ଏବେ ୧୫ ଖଣ୍ଡ ବସ୍‌ ଚଳାଚଳ କରୁଛି। ଅବଶିଷ୍ଟ ବସ୍ ଚଳାଚଳକୁ ମାଲିକ ବନ୍ଦ କରି ଦେଇଛନ୍ତି। ପୁରୀ ଜିଲାକୁ ଛାଡି ଦେଲେ କଟକ ଏବଂ ଭୁବନେଶ୍ବର ସମେତ ଅନ୍ୟ ସମସ୍ତ ଜିଲାକୁ ଏହି ବସ୍‌ ଗଡୁଛି ବୋଲି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଅନଲକ୍‌ ୧.୦ ଘୋଷଣା କରାଯିବା ପରେ କେନ୍ଦ୍ର ସରକାରଙ୍କ ନିୟମାବଳି ଅନୁଯାୟୀ ରାଜ୍ୟ ସରକାର ଅାନ୍ତଃରାଜ୍ୟ ବସ୍‌ ଚଳାଚଳ ପାଇଁ ସ୍ଥିର କଲେ। ଏହିକ୍ରମେ ଘରୋଇ ବସ୍‌ ମାଲିକଙ୍କୁ ବସ୍‌ ଚଳାଚଳ କରିବାକୁ କୁହାଗଲା। ସଂଘ ମେ ୨୭ରେ ବୈଠକ କରି ୨୮ ତାରିଖରୁ ବସ୍‌ ଚଳାଇବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଲା। ସରକାର ତିନିମାସର ଟିକସ ମଧ୍ୟ ଛାଡ କରିବାକୁ କହିଲେ। ବସ୍‌ ଚଳାଚଳ କଲା; ହେଲେ ଯାତ୍ରୀ ନହେବାରୁ କିଛି ମାଲିକ ଦୁଇ ତିନିଦିନ ପରେ ବସ୍‌ ଚଳାଇବା ବନ୍ଦ କରିଦେଲେ। ମେ ୨୮ରେ କଟକରୁ ୧୦୦ ଖଣ୍ଡ ବସ୍‌ ଏବଂ ଭୁବନେଶ୍ବର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ୧୯୦ ବସ୍ ଦିନ ଏବଂ ରାତିରେ ବିଭିନ୍ନ ଜିଲାକୁ ଗଡୁଥିଲା। କଟକ ଏବଂ ଭୁବନେଶ୍ବରରୁ ବସ ବାହାରିଲା ବେଳେ ୧୨ରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିଲା। ଫେରିବା ବେଳକୁ ଜଣେ ହେଲେ ଯାତ୍ରୀ ହେଉ ନଥିଲେ କି ବାଟରୁ ଗୋଟିଏ ହେଲେ ଯାତ୍ରୀ ଚଢୁ ନଥିଲେ। ବସ୍‌ ମାଲିକ ରାତି ବସ୍ ପିଛା ଦୈନିକ ୧୫ ହଜାର ଟଙ୍କା ତେଲ ଖର୍ଚ୍ଚ କରୁଥିଲା ବେଳେ ୩ରୁ ସାଢେ ୩ ହଜାର ଟଙ୍କା ରୋଜଗାର ହେଉଥିଲା। ସେଥିରୁ ଷ୍ଟାଫ୍‌ଙ୍କ ଖର୍ଚ୍ଚ ବହନ କରିବାକୁ ପଡୁଥିଲା। ଗଡୁଥିବା ୧୫ ଖଣ୍ଡ ବସ୍‌ ମଧ୍ୟରୁ ବ୍ରହ୍ମପୁର ୩, ଆସ୍କା , ନୟାଗଡ଼-ବୌଦ୍ଧ ଗୋଟିଏ ଲେଖାଁଏ ବାଲେଶ୍ବର-ବାରିପଦା ୩ ଏବଂ ପଶ୍ଚିମ ଓଡ଼ିଶାରେ ୭ ଖଣ୍ଡ ବସ୍‌ ଚଳାଚଳ କରୁଛି। ଅପରପକ୍ଷରେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ହେଲେ ବସ୍‌ କଟକ ଏବଂ ଭୁବନେଶ୍ବର ଆସୁନାହିଁ। ଯାତ୍ରୀ ହେଉ ନଥିବା ଯୋଗୁଁ ମାଲିକ ବସ୍‌ ବାହାର କରୁ ନଥିବା ଜଣାପଡିଛି।
ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବାଶିଷ ନାୟକ କହିଛନ୍ତି, କରୋନାକୁ ଭୟ କରି ଲୋକେ ପଦାକୁ ବାହାରୁ ନାହାନ୍ତି। ଯେଉଁମାନଙ୍କ ଜରୁରୀ କାମ ରହୁଛି ବାଇକ ଏବଂ ଚାରି ଚକିଆ ଗାଡି ଭଡ଼ା କରି ଯାଉଛନ୍ତି। ବସରେ ଯିବା ଦ୍ବାରା ପାଖ ସିଟ୍‌ରେ ଯେଉଁ ଲୋକଟି ବସିଛି ସେ କେଉଁଠୁ ଆସିଛି, କ’ଣ ତା’ର ଟ୍ରାଭେଲ ହିଷ୍ଟ୍ରି ତାକୁ ନେଇ ଲୋକ ଦ୍ବନ୍ଦ୍ବରେ ପଡିବାକୁ ଚାହଁୁନାହାନ୍ତି। ସଂଘ ନିଷ୍ପତ୍ତି ନେଇଛି ବସ୍‌ ଚଳାଚଳ ବନ୍ଦ କରିବାକୁ କୌଣସି ମାଲିକଙ୍କୁ କହିବ ନାହିଁ। ମାଲିକ ଇଚ୍ଛା କଲେ ବସ୍‌ ଚଳାଇବେ କିମ୍ବା ନ କରିବେ ତାହା ତାଙ୍କର ନିଜସ୍ବ ଇଚ୍ଛା। ଏମିତି ପରିସ୍ଥିତି ଲାଗି ରହିବାରୁ ସଂଘ ବିଚାର କରିଛି ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇବ ବୋଲି ସେ କହିଛନ୍ତି।

Comments are closed.