ବୁର୍ଲା: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ୧୪ରେ ସମାପ୍ତ ହେଉଥିବା ଲକ ଡ଼ାଉନକୁ ଆହୁରି ମାତ୍ରାରେ କଡ଼ାକଡ଼ି କରାଯାଇ ଆଗାମୀ ଏପ୍ରିଲ ୩୦କୁ ବୃଦ୍ଧି କରି ଦିଆଯାଇଛି। ସେପଟେ ପଶ୍ଚିମ ଓଡ଼ିଶାର ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ ସାଇନ୍ସ ଏବଂ ରିସର୍ଚ୍ଚ ଅନୁଷ୍ଠାନ କରୋନା ନୋଡ଼ାଲ ସେଣ୍ଟର ଭାବରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏକ ଗୁରୁଦାୟିତ୍ୱ ସମ୍ପାଦନ କରୁଛି। ତେବେ ବର୍ତ୍ତମାନ କରୋନା ପରୀକ୍ଷଣ ପାଇଁ ଭିମସାରରେ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର ଖୋଲାଯିବା ପାଇଁ ଗତ କିଛିଦିନ କାଳ ହେବ ବ୍ୟବସ୍ତା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସେପଟେ ଭିମସାରରେ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର ଭିମସାରରେ ହୋଇପାରିବ ନାହିଁ ବୋଲି କିଛି ସାମାଜିକ ଗଣମାଧ୍ୟମରେ ବ୍ୟକ୍ତ କରାଯାଇଛି। ତେବେ ଏହି ପ୍ରସଙ୍ଗକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିଜର ସ୍ପଷ୍ଟିକରଣ ଦେଇ ‘ସମାଜ’କୁ କହିଛନ୍ତି ଯେ ବୁର୍ଲା ଭିମସାରରେ ଆଜି ସମସ୍ତ କରୋନା ପରୀକ୍ଷଣ ମେସିନ ଅବସ୍ଥାପିତ ହେବ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ସମସ୍ତ ମେଡ଼ିକାଲ କଲେଜକୁ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର କରାଯିବା ପାଇଁ ଆଇସିଏମଆର ଅନୁମତି ଦିଆଯିବା ଏବଂ କିଛି ଘରୋଇ ମେଡ଼ିକାଲକୁ ମଧ୍ୟ ଅନୁମତି ଦିଆଯିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦାବୀ ଉପସ୍ଥାପିତ କରିଥିଲେ। ଏହା ସହିତ ରେପିଡ଼ ପରୀକ୍ଷା କରାଯିବା ପାଇଁ ମଧ୍ୟ ଦାବୀ କରିଥିଲେ। କେନ୍ଦ୍ର ସରକାର ତାଙ୍କ ଗାଇଡ଼ଲାଇନ ବଦଳାଇ ଏମସ-ଭୁବନେଶ୍ୱରର ନିର୍ଦ୍ଦେଶକଙ୍କୁ (ପ୍ରାଧିକୃତ) ଅନୁମତି ପାଇଁ ଭାର ହସ୍ତାନ୍ତର କରାଯାଇଛି। ଭିମସାରରେ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର ଆରମ୍ଭ କରାଯିବା ପାଇଁ ଏମସ-ଭୁବନେଶ୍ୱରକୁ ଜଣାଇ ଦିଆଯିବ ଏବଂ ଭିମସାରରେ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର ଆରମ୍ଭ ହୋଇଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସମାଜକୁ ଫୋନ ମାଧ୍ୟମରେ ସୁଚନା ଦେଇଛନ୍ତି। ସେପଟେ ଘରୋଇ ମେଡ଼ିକାଲ କିମସ, ସୋମ ଏବଂ ହାଇଟେକକୁ ମଧ୍ୟ ପରୀକ୍ଷଣ କେନ୍ଦ୍ର ଖୋଲାଯିବାରେ ବିଚାରକୁ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ସିବି ନେଟରେ ଟିବି ପରୀକ୍ଷା ହେଉଥିଲା ତାକୁ କୋଭିଡ଼ରେ ପରୀକ୍ଷା ମେସିନରେ ସମ୍ଭବପର କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି।
ଉଭୟ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ପରୀକ୍ଷଣ ଆରମ୍ଭ ହୋଇଯାଇଥିବା ବେଳେ ଏବଂ ବରହମ୍ପୁର ଏମକେସିଜିକୁ ଇଣ୍ଡିଆନ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ୍ଚ(ଆଇସିଏସଆର୍) ପରୀକ୍ଷଣ ପାଇଁ ଅନୁମତି ଦେଇସାରିଥିବା ଏବଂ ଭିମସାରରେ ମଧ୍ୟ କରୋନା ପରୀକ୍ଷଣ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ସମାଜକୁ ସୁଚନା ଦେଇଥିଲେ। ଭିମସାରରେ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର ଖୋଲାଯିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରାୟତଃ କାମ ମାପ୍ତ ହୋଇଯାଇଛି। କୋଭିଡ଼-୧୯ ପରୀକ୍ଷଣ ଏକ ବିଶାଳ ହଲ ମଧ୍ୟରେ ହୋଇଥିବା ବେଳେ ହଲ ମଧ୍ୟରେ ସମୁଦାୟ ୧୨ରୁ ଊର୍ଦ୍ଧ୍ବ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ତଥା ସ୍ୱତନ୍ତ୍ର ପରୀକ୍ଷଣ ବ୍ୟବସ୍ତା କରାଯାଇଥିବା ବେଳେ ପ୍ରତି ପରୀକ୍ଷଣ ସ୍ଥାନକୁ ଏୟାର ଟାଇଟ କରି ରଖଯାଇଛି। ଦୁଇପଟେ ପାରାମେଡ଼ିକାଲ କର୍ମଚାରୀଙ୍କ ପାଇଁ ଚେଞ୍ଜିଙ୍ଗ ରୁମ ଏବଂ ପ୍ରବେଶ ପଥରେ ନମୁନା ଗ୍ରହଣ କକ୍ଷର ବ୍ୟବସ୍ତା ରହିଛି। ପ୍ରାୟତଃ ପୁର୍ତ୍ତବିଭାଗର କାମ ସମ୍ପୁର୍ଣ୍ଣ ହୋଇସାରିଛି। ଆଗାମୀ କିଛିଦିନ ମଧ୍ୟରେ ଭିମସାରରେ କରୋନା ପରୀକ୍ଷଣ ବ୍ୟବସ୍ତା ସମ୍ଭବପର ହୋଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସମାଜକୁ ସୁଚନା ଦେବା ପରେ ଭିମସାରରେ ଏହା ଯଥାଶିଘ୍ର କାର୍ଯ୍ୟକ୍ଷମ ହେବା ଆଶା ସଞ୍ଚାର ହୋଇଛି।



