ଭୁବନେଶ୍ୱର: ବୁଦ୍ଧ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ବୌଦ୍ଧ ସଂଗଠନ ସମୂହ ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡ଼ିଶା ସରକାର, ସମସ୍ତ ଗଣମାଧ୍ୟମ ଓ ସର୍ବସାଧାରଣଙ୍କ ନିକଟରେ ବିଚାର କରିବା ପାଇଁ ଦାବି କରୁଛୁ କି ବୁଦ୍ଧ ଜୟନ୍ତୀ ଓଡ଼ିଶା ସରକାରଙ୍କ ଛୁଟି ଦିବସ ରହିଥିଲା। କିନ୍ତୁ ଗତ କିଛିବର୍ଷ ହେବ ଏହାକୁ ସରକାରୀ ଛୁଟି ତାଲିକାରୁ ବାଦ୍ ଦିଆଯାଇଛି। ଏହା ସମସ୍ତ ବୌଦ୍ଧପ୍ରେମୀମାନଙ୍କୁ ବ୍ୟଥିତ କରିଛି। ବୌଦ୍ଧଧର୍ମ ହେଉଛି ପୃଥିବୀର ଏକମାତ୍ର ଧର୍ମ, ଯାହାଦ୍ୱାରା ବିନା ହିଂସାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ହୋଇପାରିଥିଲା।
ପୃଥିବୀର ସବୁ ତତ୍ତ୍ୱ, ବାଦ, ଆଇନର ମୂଳ ଉତ୍ସ ହେଉଛି ବୁଦ୍ଧଙ୍କ ନୀତିବାଣୀ। ବୁଦ୍ଧଙ୍କୁ ପୃଥିବୀର ଆଲୋକ ହିସାବରେ ଗ୍ରହଣ କରାଯାଇଛି ଏବଂ ଜାତିସଂଘରେ ୧୯୯୯ ମସିହା ରିଜୋଲ୍ୟୁସନ ୫୪ ଜରିଆରେ ବୌଦ୍ଧଧର୍ମକୁ ମାନ୍ୟତା ମିଳିସାରିଛି। ଏହି ଦିନ ତଥାଗତ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ, ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିଲେ ଓ ମହାପରିନିର୍ବାଣ ଲାଭ କରିଥିଲେ। ଏହି ଦିନ ମଧ୍ୟ ଓଡ଼ିଶାର ବିଶ୍ୱକବି ଓ ଦଳିତଙ୍କ ବିଶ୍ୱଗୁରୁ ସନ୍ଥ ଭୀମଭୋଇଙ୍କ ଜୟନ୍ତୀ। ଜଗତର ନାଥ ଜଗନ୍ନାଥଙ୍କ ଚନ୍ତନ ଯାତ୍ରା ଏହି ଦିନ ଅନୁଷ୍ଠିତ ହୁଏ। ତେଣୁ ସରକାରଙ୍କୁ ସବିନୟ ଅନୁରୋଧ କରୁକି, ଏହି ଦିନଟିକୁ ପୁନଃ ସରକାରୀ ଛୁଟି ଦିବସ ଘୋଷଣା କରାଯାଉ। ମହାମାନ୍ୟ ଓଡ଼ିଶାର ସରକାର ଅନ୍ୟ ଧର୍ମପୀଠମାନଙ୍କୁ ଉନ୍ନତି ନିମିତ୍ତ ସରକାରୀ ସହାୟତା ପ୍ରଦାନ କରୁଛନ୍ତି। କିନ୍ତୁ ବୌଦ୍ଧ ଧର୍ମାନୁଷ୍ଠାନମାନଙ୍କୁ ସହାୟତା ମିଳୁନାହିଁ। ଏଣୁ ସରକାରଙ୍କ ପାଖରେ ବିନୀତ ଅନୁରୋଧ କରୁକି, ବୌଦ୍ଧ ଧର୍ମାନୁଷ୍ଠାନମାନଙ୍କର ଉନ୍ନତି ପାଇଁ ସରକାର ସହାୟତ ପ୍ରଦାନ କରନ୍ତୁ। ଓଡ଼ିଶାରେ ଥିବା ବିଶିଷ୍ଟ ବୌଦ୍ଧ ଧର୍ମପୀଠ ଭୁବନେଶ୍ୱରର କଳିଙ୍ଗ ବୁଦ୍ଧବିହାର, ଧଉଳି ବୁଦ୍ଧବିହାର ଓ ନୂଆପାଟଣା ଜେମାଦେଈପୁର ବୁଦ୍ଧବିହାରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳୁ ଏବଂ ବୌଦ୍ଧ କୀର୍ତ୍ତିସ୍ଥଳଗୁଡ଼ିକର ଉନ୍ନତି ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଉ।
ଯାହାଦ୍ୱାରାକି ଓଡ଼ିଶାକୁ ବହୁ ବିଦେଶୀ ପର୍ଯ୍ୟଟକ ଆସିପାରିବେ। ଧଉଳିଠାରେ ବୌଦ୍ଧ ସଂଗ୍ରହାଳୟ ଓ ଏକ ବୌଦ୍ଧ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଉ। ଉଦୟଗିରି, ଲାଙ୍ଗୁଡ଼ି ପାହାଡ଼ ଓ ଜଉଗଡ଼ଠାରେ ବୌଦ୍ଧ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଉ ଓ ପର୍ଯ୍ୟଟକଙ୍କ ସୁବିଧା ନିମିତ୍ତ ବିଶ୍ରାବସ୍ଥଳ ଓ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଦାନ କରାଯାଉ। ଲାଙ୍ଗୁଡ଼ିପାହାଡ଼ଠାରେ ପ୍ରସ୍ତାବିତ ବୌଦ୍ଧ ବିଶ୍ୱବିଦ୍ୟାଳୟକୁ ତୁରନ୍ତ ପ୍ରତିଷ୍ଠା କରାଯାଉ। ବୁଦ୍ଧଗୟା, ନାଳନ୍ଦା ଓ ରାଜଗୃହ ପରି ଓଡ଼ିଶାର ବୌଦ୍ଧ କୀର୍ତ୍ତିସ୍ଥଳୀମାନଙ୍କରେ ବୁଦ୍ଧବିହାର, ବୁଦ୍ଧ ଉଦ୍ୟାନ ଓ ସୁଉଚ୍ଚ ବୁଦ୍ଧ ମୂର୍ତ୍ତି ପ୍ରତିଷ୍ଠା କରିବା ନିମିତ୍ତ ବ୍ୟବସ୍ଥା କରାଯାଉ ଓ ଏଥିପାଇଁ ସରକାରୀ ଜାଗା ଯୋଗାଇ ଦିଆଯାଉ। ଯାହାଦ୍ୱାରା ବହୁ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିପାରିବେ ଏବଂ ପର୍ଯ୍ୟଟନ ଶିଳ୍ପର ଆୟ ବୃଦ୍ଧି ପାଇବ। ଓଡ଼ିଶାର ହଜାର ହଜାର ପାରମ୍ପରିକ ବୌଦ୍ଧ ଧର୍ମାବଲମ୍ବୀ, ଲକ୍ଷ ଲକ୍ଷ ବୌଦ୍ଧ ଦୀକ୍ଷା ଗ୍ରହଣକାରୀ ଓ କୋଟିଏରୁ ଉଦ୍ଧ୍ୱର୍ ବୁଦ୍ଧପ୍ରେମୀମାନଙ୍କ ଭାବନାକୁ ସମ୍ମାନ ଜଣାଇ ସରକାର ତୁରନ୍ତ ବୁଦ୍ଧ ଜୟନ୍ତୀକୁ ଛୁଟି ଦିବସ ରୂପେ ଘୋଷଣା କରନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀକୁ ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ଇଂ ଅଲେଖ ମଲ୍ଲିକ, ପ୍ରଫେସର ଡ. ବସନ୍ତ କୁମାର ମଲ୍ଲିକ, ଯୁବନେତା ବିଦ୍ୟାଧର ଦେହୁରୀ, ଗୋପାଳ ଗୌତମ, ସୁନାକର ବେହେରା, ରବି ସେଠୀ ପ୍ରମୁଖ ପରିଚାଳନା କରିଥିଲେ।



