ରାସ୍ତା କାମରେ ଦୁର୍ନୀତି ଅଭିଯୋଗ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଗଣଧାରଣା

ବୌଦ୍ଧ: କଣ୍ଟାମାଳ ବ୍ଳକର ସର୍ଗୀପାଲି ଗ୍ରାମ ରାସ୍ତାରେ ଦୁର୍ନୀତି ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନହେବାରୁ ଗ୍ରାମବାସୀମାନେ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ କଣ୍ଟାମାଳ ପଞ୍ଚାୟତର ସର୍ଗୀପାଲି ମୌଜାରେ  ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସର୍ଗୀପାଲି ଠାରୁ ବନ୍ଧପାଲି ରାସ୍ତାରେ ଜିଆଇ ମେଟାଲିଙ୍ଗ ରାସ୍ତା କାମ ହୋଇଛି । କିନ୍ତୁ ଉକ୍ତ ରାସ୍ତା କାମରେ  ଜେଇ ଓ ଜିଆରଏସ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ପାଖରେ ଦୀର୍ଘ ୧୫ ଦିନ ହେବ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ଜିଲ୍ଳାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇନଥିବା  ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।  ଶେଷରେ ଅଭିଯୋଗ କରିବାର ୧୫ ଦିନ ବିତିଯାଇଥିଲେ ସୁଧା କୌଣସି ପଦକ୍ଷେପ ନିଆନଯାଇଥିବାରୁ ସୋମବାର ଦିନ ଗ୍ରାମବସୀମାନେ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଆରମ୍ଭ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ  ଏହି ଗଣଧାରଣା ଦିଆଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Comments are closed.