ସ୍କୁଲହତା ସାଜିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

ବୌଦ୍ଧ:  ବୌଦ୍ଧ ଜିଲ୍ଲାରେ ବେଆଇନ ଭାବରେ ମଦ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ  ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ବେଆଇନ ମଦକାରବାରକୁ ରୋକିବାରେ ପ୍ରଶାସନର ଆନ୍ତରିକତାର ଅଭାବ ଦେଖିବାକୁ ମିଳୁଛି । ଯାହାଫଳରେ ଜିଲ୍ଲାରେ ଦିନକୁ ଦିନ କୁଚିଆ ମଦ ଦୋକାନ ବୃଦ୍ଧି  ପାଇବାରେ ଲାଗିଛି । ଏପରିକି ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଧର୍ମାନୁଷ୍ଠାନ ନିକଟରେ କୁଚିଆ ଭାଟି ଖୋଲି ଶାନ୍ତ ପରିବେଶକୁ ଅଶାନ୍ତ କରାଯାଉଥିବାର ଅଭିଯୋଗ ହେଉଛି । ସ୍କୁଲ ଗୁଡିକ ଶିକ୍ଷାଦାନ ପରେ ବନ୍ଦ ରହୁଛି । ସ୍କୁଲ ବନ୍ଦ ପରେ ସ୍ଥାନଟି ନିଛାଟିଆ ହୋଇରହୁଛି । ଯାହାଫଳରେ ମଦୁଆମାନଙ୍କ ପାଇଁ ଆଡ୍ଡାସ୍ଥଳୀ ପାଲଟୁଛି । ବିଶେଷକରି ସନ୍ଧ୍ୟା ସମୟରେ ମଦୁଆମାନେ ମଦ୍ୟପାନ କରିବା ପାଇଁ ସ୍କୁଲ ପରିବେଶ ମଧ୍ୟରେ ପଶି ନିର୍ଭୟରେ ମଦ୍ୟପାନ କରୁଛନ୍ତି । ଏପରିକି ଅନେକ ଶିକ୍ଷାନୁଷ୍ଠାନ ମଦ୍ୟପଙ୍କ ଆଡ୍ଡାସ୍ଥଳି ପାଲଟିଛି ।

ମଦ୍ୟପାନ କଲା ପରେ ସେଠାରେ ମଦ ବୋତଲ ଗୁଡିକ ଫିଙ୍ଗି ଚାଲିଯାଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିିଳିଛି ବୌଦ୍ଧ ସହରସ୍ଥିତ ଖଲିଆବଗିଚା ବିଦ୍ୟାଳୟରେ । ବିଦ୍ୟାଳୟଟି ସହରର ମଧ୍ୟ ଭାଗରେ ଜାତୀୟ ରାଜପଥ କଡରେ ରହିଥିବା ବେଳେ ବିଦ୍ୟାଳୟର ପାଚେରୀର ଉଚ୍ଚତା କମ ରହିଛି । ଯାହାଫଳରେ ମଦ୍ୟପମାନେ ପାଚେରୀ ଡେଇଁ ନିର୍ଭୟରେ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରି ସେଠାରେ ମଦ୍ୟପାନ କରି ବୋତଲ ଗୁଡିକ ସେଠାରେ ପକାଇ ଚାଲିଯାଉଛନ୍ତି । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହାର ପ୍ରତିକାର ପାଇଁ ଆସନ୍ତା ସୋମବାର ଦିନ ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ହେବାର ନିଷ୍ପତ୍ତି ନିଆଯାଇଛି । ଅନ୍ୟପାଖରେ ଜିଲ୍ଲାରେ ଅବକାରୀ ବିଭାଗ ନିଷ୍କ୍ରିୟ ରହିଛି । ବେଆଇନ ମଦ କାରବାରକୁ ରୋକିବା ପାଇଁ ବିଭାଗର ଆନ୍ତରିକତାର ଅଭାବ ଦେଖିବାକୁ ମିଳୁଛି । କେବଳ ଧର୍ମକୁ ଆଖି ଠାର ସଦୃଶ୍ୟ କାଁଭାଁ ଚଢାଉ କରି ନିଜର କାର୍ଯ୍ୟ ସଂପାଦନ କରୁଛି । ଯଦି ବିଭାଗର ଏଭଳି କାର୍ଯ୍ୟ ଚାଲେ ତାହାହେଲେ ଜିଲ୍ଲାରେ ଆଗାମୀ ଦିନରେ ବେଆଇନ ମଦ ଦୋକାନ ବୃଦ୍ଧି ହେବା ସହିତ ଆଇନଶୃଙ୍ଖଳା ଉପରେ ତାହାର ପ୍ରଭାବ ପଡିବ ।

Comments are closed.