ଲଙ୍କାରେ ଶ୍ରୀରାମ ଓ ରାବଣ ସେନା ମୁହାଁମୁହିଁ, ଇନ୍ଦ୍ରଜିତ ଦ୍ୱାରା ନାଗଫାସରେ ଶ୍ରୀରାମ ଓ ଲକ୍ଷ୍ମଣ
ବୌଦ୍ଧ ରାମଲୀଳା ଯାତ୍ରାର ନବମ ଦିବସ
ବୌଦ୍ଧ: ପ୍ରବଳ ଜନସମାଗମ ମଧ୍ୟରେ ବୌଦ୍ଧର ପ୍ରସିଦ୍ଧ ରାମଲୀଳା ଯାତ୍ରା ନବମ ଦିବସରେ ପହଞ୍ଚିଛି। ପୌରାଣିକ କଥାବସ୍ତୁ ଆଧାରରେ ଯାତ୍ରାରେ ମଞ୍ଚସ୍ଥ ନାଟକରେ ଲଙ୍କାକାଣ୍ଡ ଆରମ୍ଭ ହୋଇଥିବାବେଳେ ସେତୁବନ୍ଧ ପ୍ରତିଷ୍ଠା ପରେ ଶ୍ରୀରାମ ଓ ଲକ୍ଷ୍ମଣ ବାନର ସେନା ସହିତ ସମୁଦ୍ର ପାରି ହୋଇ ଲଙ୍କାରେ ପ୍ରବେଶ କରିଛନ୍ତି। ଲଙ୍କା ନଗରୀ ବାହାରେ ବାନରସେନାଙ୍କୁ ଦେଖି ହନୁମାନଙ୍କ ଦ୍ୱାରା ଲଙ୍କା ଦହନର ଜ୍ୱାଳା ଭୁଲିପାରିନଥିବା ରାବଣ ନିଜେ ଯୁଦ୍ଧକୁ ବାହାରି ବାନରସେନାକୁ ଆକ୍ରମଣ କରି ପ୍ରତିଶୋଧ ନେବାକୁ ରାଜଦରବାରରେ ପ୍ରକାଶ କରିଛନ୍ତି।
କିନ୍ତୁ ବୀର ପୁତ୍ର ଇନ୍ଦ୍ରଜିତ ଥାଉ ଥାଉ ରାବଣ ନିଜେ ଯୁଦ୍ଧକୁ ଯିବା ଅନୁଚିତ ବୋଲି ପ୍ରକାଶ କରିବା ସହିତ ନିଜେ ଇନ୍ଦ୍ରଜିତ ଯୁଦ୍ଧକୁ ଯିବାକୁ ବାହରିଛି। ଶ୍ରୀରାମ ଲକ୍ଷ୍ମଣ ଓ ବାନରସେନା ସହିତ ଇନ୍ଦ୍ରଜିତ ବୀରତ୍ୱର ସହିତ ଯୁଦ୍ଧ କରି ଶେଷରେ ନାଗଫାସ ବନ୍ଧନରେ ଶ୍ରୀରାମ ଓ ଲକ୍ଷ୍ମଣକୁ ବାନ୍ଧି ମୁର୍ଛିତ କରିଦେଇଛି। ଏହାକୁ ନେଇ ସୁଗ୍ରୀବ ଓ ବାନରସେନା ବିଚଳିତ ହୋଇପଡିଥିବାବେଳେ ବିଭୀଷଣ ନାଗଫାସ ବନ୍ଧନରୁ ମୁକ୍ତ ପାଇଁ ଗରୁଡଙ୍କ ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି। ହନୁମାନ ସ୍ୱର୍ଗଲୋକକୁ ଯାତ୍ରା କରି ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନାଗଫାସରୁ ଉଦ୍ଧାର ପାଇଁ ଗରୁଡଙ୍କୁ ନିବେଦନ କରିଛନ୍ତି। ଗରୁଡ ପହଞ୍ଚି ନାଗଫାସରୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କରିଛନ୍ତି। ଗରୁଡଙ୍କ ନିବେଦନ କ୍ରମେ ଶ୍ରୀରାମ ଗରୁଡଙ୍କୁ ବିଶ୍ୱରୂପ ଦର୍ଶନ ଦେଇଛନ୍ତି।
ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ରଚିତ ଓ ଭାବାନୀଶଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନାଟକରେ ଶ୍ରୀରାମ ଭୂମିକାରେ ଶିରିଶ ବେହେରା, ସୀତା ବିଶ୍ୱାମିତ୍ର ସାହୁ, ଲକ୍ଷ୍ମଣ ଦନାର୍ଦ୍ଦନ ମିଶ୍ର, ହନୁମାନ ଶାନ୍ତନୁ ବେହେରା, ସୁଗ୍ରୀବ ଦିବାକର ଜେନା, ଅଙ୍ଗଦ ଭୂମିକାରେ ସତ୍ୟଜିତ ମିଶ୍ର, ଗରୁଡ ତପନ ବାରିକ, ବିଭୀଷଣ ପ୍ରମୋଦ ପ୍ରଧାନ ଓ ରାବଣ ସୁଦାମ ବେରିହା ପ୍ରମୁଖ ଉଚ୍ଚକୋଟିର ଅଭିନୟ କରିଥିଲେ।
Comments are closed.