BJD Bijuli 480×75 Mob

ବିଜେଡି ବିଜେପିର ଅଘୋଷିତ ମେଣ୍ଟକୁ ନେଇ ଜିଲା କଂଗ୍ରେସର ଅଭିନବ ପ୍ରତିବାଦ

BJD Bijuli 480×75 Mob

ବୌଦ୍ଧ: ରାଜ୍ୟସଭା ନିର୍ବାଚନରେ ତୃତୀୟ ପ୍ରାର୍ଥୀ ଭାବରେ ବିଜେପି ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ତୁରନ୍ତ ବିଜେଡି ପକ୍ଷରୁ ତାଙ୍କର ପ୍ରାର୍ଥୀତ୍ୱକୁ ସମର୍ଥନ ଘୋଷଣା କରାଯାଇଛି। ଯଦିଓ ବିଜେପି ଓ ବିଜେଡି ମେଣ୍ଟକୁ ନେଇ କିଛି ସ୍ପଷ୍ଟ କରିନାହାନ୍ତି ଶ୍ରୀ ବୈଷ୍ଣବଙ୍କୁ ଦ୍ୱିତୀୟଥର ବିଜେଡି ସମର୍ଥନରେ ରାଜ୍ୟସଭା ପଠାଯିବା ଏକ ପ୍ରକାର ଚୂଡାନ୍ତ ହୋଇସାରିଥିବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ରହିଥିବା ବୁଝାମଣା ବା ଅଘୋଷିତ ମେଣ୍ଟକୁ ନେଇ ରାଜନୈତିକମହଲ ସରଗରମ ହୋଇଛି।

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଶ୍ରୀ ବୈଷ୍ଣବଙ୍କୁ ବିଜେଡିର ନିସର୍ତ୍ତ ସମର୍ଥନ ଯୋଗୁଁ ଉଭୟ ଦଳ ମଧ୍ୟରେ ରହିଥିବା ମେଣ୍ଟ ବୁଝାମଣା ସ୍ପଷ୍ଟ ହୋଇସାରିଥିବା ବିରୋଧୀ କଂଗ୍ରେସ ପକ୍ଷରୁ କୁହାଯିବା ସହିତ ସାଧାରଣଲୋକଙ୍କୁ ଆଉ ଭୁଆଁ ନବୁଲାଇ ଉଭୟ ଦଳ ଏହାକୁ ସାଧାରଣରେ ସ୍ପଷ୍ଟ କରିବାକୁ କୁହାଯାଇଛି।  ଉପରେ ବିରୋଧ ଭିତରେ ବୁଝାମଣା ରହିଥିବା ବିଜେପି ବିଜେଡିର ସଂପର୍କକୁ ସ୍ୱାମୀ ସ୍ତ୍ରୀର ସଂପର୍କ ସହିତ ତୁଳନା କରାଯାଇ ଆଜି ବୌଦ୍ଧରେ ଜିଲା କଂଗ୍ରେସ ପକ୍ଷରୁ ସର୍ବସାଧାରଣରେ ଉଭୟ ଦଳର ବିବାହ ଉତ୍ସବ ପାଳନ କରାଯିବା ରାଜନୈତିକ ମାହୋଲକୁ ଗରମ କରିଦେଇଛି।

ଏହି ଅଭିନବ ପ୍ରତିବାଦ ତଥା ବିବାହ ଉତ୍ସବରେ ବିଜେପିର ଦଳୀୟ ଚିହ୍ନ ପଦ୍ମଫୁଲକୁ ବର ବେଶରେ ଓ ବିଜେଡିର ଦଳୀୟ ଚିହ୍ନ ଶଙ୍ଖକୁ କନିଆଁ ବେଶରେ ସଜାଇ ବ୍ରାହ୍ମଣଙ୍କ ଦ୍ୱାରା ମନ୍ତ୍ରୋଚାରଣ ଦ୍ୱାରା ବିବାହ ବିଧି ସଂପର୍ଣ୍ଣ କରାଯାଇଥିଲା। ଏଥିପାଇଁ ସହରର ଜିଲାକୋର୍ଟ ନିକଟସ୍ଥ ମଧୁବାବୁ ଛକରେ ବିବାହ ମଣ୍ଡପ ପ୍ରସ୍ତୁତ କରାଯାଇଥିଲା। ହାତୀଶାଳ ଛକଠାରୁ ବିଜେପିର ପଦ୍ମଫୁଲ ବରଯାତ୍ରୀ ଶୋଭାଯାତ୍ରାରେ ବାହାରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଦଳର ସଭାପତି ଜେପି ନଡ୍ଡା, ମହିଳା ସଶକ୍ତିକରଣ ମନ୍ତ୍ରୀ ସ୍ମୃତି ଇରାନୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଦିଙ୍କ ମୁଖା ଲଗାଇ କର୍ମୀମାନେ ବରଯାତ୍ରୀ ଦଳରେ ସାମିଲ ହୋଇଥିଲେ। ଏହି ବରଯାତ୍ରୀ ଦଳ ବାଣଫୁଟାଇ, ଢୋଲ, ନିଶାଣ ଓ ତାଶାର ତାଳେ ତାଳେ ନୃତ୍ୟ ସହିତ ଶିଶୁମନ୍ଦିର ଛକରେ ପହଞ୍ଚିଥିଲା। ସେଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖା ଲଗାଇ ପାରମ୍ପରିକ ରୀତିରେ ବିଜେପିର ଦଳୀୟ ଚିହ୍ନ ପଦ୍ମଫୁଲ(ମୁଖାଧାରୀ)କୁ ଜ୍ୱାଇଁ ବରଣ କରି ମଧୁବାବୁ ଛକ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା।

ମଧୁବାବୁ ଛକଠାରେ ପ୍ରସ୍ତୁତ ହୋଇଥିବା ବିବାହ ମଣ୍ଡପରେ ଉଭୟ ଦଳର ଦଳୀୟ ଚିହ୍ନ(ମୁଖାଧାରୀ)ଙ୍କୁ ବରବଧୁ ଭାବରେ ସଜାଇ ବିବାହ ସମ୍ପନ୍ନ କରାଯାଇଥିଲା। ବ୍ରାହ୍ମଣ ଅଶୋକ କୁମାର ମିଶ୍ରଙ୍କ ମନ୍ତ୍ରୋଚାରଣ ସହିତ ମହିଳାମାନଙ୍କ ହୁଳହୁଳି ଶବ୍ଦରେ ମଧୁବାବୁ ଛକ ଉଛୁଳି ଉଠିଥିଲା। ନାଟକୀୟ ଢଙ୍ଗରେ ହୋଇଥିବା ଏହି ବିବାହ ଉତ୍ସବରେ ଉଭୟ ଦଳର ନେତୃମଣ୍ଡଳୀଙ୍କ ମୁଖା ଲଗାଇ କଂଗ୍ରେସ କର୍ମୀମାନେ ଅଂଶଗ୍ରହଣ କରିଥିଲେ।

ଏହି ବିବାହ ଉତ୍ସବକୁ ଉତ୍କଣ୍ଠାର ସହିତ ସ୍ଥାନୀୟ ଅଧିବାସୀମାନେ ଉପଭୋଗ କରିଥିଲେ। ଜିଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ବିବାହ ଉତ୍ସବ ସଂପର୍ଣ୍ଣ ହୋଇଥିବାବେଳେ ଉପସଭାପତି ସମରେଶ ମିଶ୍ର,ମୁଖ୍ୟ ପ୍ରବକ୍ତା ଶାନ୍ତନୁ ମହାପାତ୍ର, କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରଶାନ୍ତ କୁମାର ସାହୁ, ପଙ୍କଜ କୁମାର କର୍ଣ୍ଣ, ପ୍ରଦୀପ ଦାସ, ଅର୍ଜୁନ ମହାନନ୍ଦିଆ, ବେଣୁ ମେହେର, ବୁଧୁ ପ୍ରଧାନ, ନେତ୍ରାନନ୍ଦ ଦୀପଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ମହିଳା କଂଗ୍ରେସର ନେତ୍ରୀ ଓ କର୍ମୀମାନେ ସାମିଲ ହୋଇଥିଲେ। ବିଜେପି ବିଜେଡିର ଅଘୋଷିତ ମେଣ୍ଟ ବା ଗୁପ୍ତ ବୁଝାମଣାକୁ ନେଇ ବିବାହ ଉତ୍ସବ ମାଧ୍ୟମରେ କଂଗ୍ରେସର ଏହି ଅଭିନବ ପ୍ରତିବାଦ ଜିଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.