ବୌଦ୍ଧରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ

ବୌଦ୍ଧ: ଭକ୍ତଙ୍କ ପାଇଁ ପୁରୀ ଶ୍ରୀ ମନ୍ଦିରର ଚାରି ଦ୍ୱାରା ଖୋଲିବା ଦାବୀରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ବୌଦ୍ଧ ଜିଲା କଂଗ୍ରେସ କମିଟି ପକ୍ଷରୁ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଆଗରେ ଗୁୁରୁବାର ସଂକିର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱର ଦଳର ନେତା ଓ କର୍ମୀମାନେ ସଂକୀର୍ତ୍ତନ କରି ଏକ ଶୋଭଯାତ୍ରାରେ ସହର ପରିକ୍ରମା କରିବାସହ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ ଏବଂ ମନ୍ଦିର ପରିସରରେ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନର ଉଦ୍ଦେଶ୍ୟ ହେଲା ରାଜ୍ୟ ସରକାର ତୁରନ୍ତ ଭକ୍ତଙ୍କ ପାଇଁ ପୁରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲାଯିବା ସହ ରତ୍ନ ଭଣ୍ଡାରର ଗଣତି, ମଣତି ଓ ମରାମତି , ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମି ଓ ଚାଷୀଙ୍କ ଚାଷ ଜମି ତୁରନ୍ତ ଫେରସ୍ତ ଦାବୀରେ ଏହି ସଂକିର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିଲା। ଏହି ସତ୍ୟାଗ୍ରହ ଅବସରରେ ଦଳ ପକ୍ଷରୁ ମନ୍ଦିର ଆଗରେ ସଂକୀର୍ତ୍ତନ କରାଯାଇଥିଲା। ଏହି ସତ୍ୟାଗ୍ରହରେ ଦଳର ମୁଖ୍ୟ ପ୍ରବକ୍ତା ଶାନ୍ତନୁ କୁମାର ମହାପାତ୍ର, ଉପସଭାପତି ସମରେଶ ମିଶ୍ର, ହରଭଙ୍ଗା ବ୍ଲକ ସଭାପତି ପଙ୍କଜ କର୍ଣ୍ଣ, ଯୁବନେତା ରାୟ ସଂଜିବ କୁମାର ଦେଓ, ପୌଲସ୍ତି ପ୍ରଧାନ, ରୋହିତାଶ୍ୱ ବେହେରା,ପ୍ରଦିପ କୁମାର ଦାସ, ଅର୍ଜୁନ ମହାନନ୍ଦିଆ, ଜୟନ୍ତ ପାଣିଗ୍ରାହୀଙ୍କ ସମେତ ବହୁ ସଂଖ୍ୟାରେ ଦଳର ନେତା ଓ କର୍ମୀ ସାମିଲ ଥିଲେ।

Comments are closed.