ବୀରନରସିଂହପୁରରେ ଜିଲା ସ୍ତରୀୟ ବନ ମହୋତ୍ସବ, ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ
ବୌଦ୍ଧ : ବୌଦ୍ଧ ଜିଲା ବନ ବିଭାଗ ପକ୍ଷରୁ ରବିବାର ଦିନ ହରଭଙ୍ଗା ବ୍ଳକ ବୀରନରସିଂହପୁର ବନ ବିଭାଗର ନର୍ସରୀ ଠାରେ ୭୪ତମ ଜିଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଜିଲା ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟଅତିଥିଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇଥିଲେ।
ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇଚାଲିଥିବାବେଳେ ପରିବେଶର ସନ୍ତୁଳନ ପାଇଁ ବୃକ୍ଷ ରୋପଣହିଁ ଏକମାତ୍ର ବିକଳ୍ପ ବୋଲି ପ୍ରକାଶ କରିଥିଲେ। ତେଣୁ ଭବିଷ୍ୟତ ପିଢିର ସୁରକ୍ଷା ଏବଂ ପରିବେଶର ସୁରକ୍ଷା ପାଇଁ ଜିଲାସ୍ତରରେ ବ୍ୟାପକ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାକୁ ମନ୍ତ୍ରୀ ଶ୍ରୀଅମାତ ପରାମର୍ଶ ଦେଇଥିଲେ। ଊତ୍ସବରେ ସମ୍ମାନୀତ ଅତିଥି ଭାବେ ଜିଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ଏସିଏଫ ଆଶିଷ କହଁର ଓ ମିନାକ୍ଷୀ କୁମରା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଅମାତ ବୀରନରସିଂହପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ କରିଥିଲେ। ଏହା ପରେ ଜାଇକା ପ୍ରକଳ୍ପରୁ ଏକ ନୂତନ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ।
Comments are closed.