ବୌଦ୍ଧରେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ବାହୁଡା ନୀତିରେ ବିଭ୍ରାଟ ନେଇ ସାଧାରଣରେ ଅସନ୍ତୋଷ

ବୌଦ୍ଧ : ନବ ଦିନର ଯାତ୍ରା ସାରି ମାଉସୀ ଗୁଣ୍ଡିଚା ଘରୁ ଶ୍ରୀମନ୍ଦିରକୁ ଫେରିବା ରାସ୍ତାରେ ତିନିଠାକୁରଙ୍କ ରଥ ଆଜି ରଥଖଳାଠାରେ ପହଞ୍ଚିଛି। ଗତକାଲି ବିଳମ୍ବିତ ସମୟ ପର୍ଯ୍ୟନ୍ତ ପହଣ୍ଡି ହେବାପରେ ରାତ୍ର ପ୍ରାୟ ୧୦ ଘଣ୍ଟା ସମୟରେ ତିନି ଠାକୁରଙ୍କୁ ରଥାରୁଢ କରାଯାଇ ପରମ୍ପରା ମୁତାବକ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା ଏବଂ ଏହାପରେ ରଥଟଣା ଆରମ୍ଭ ହୋଇଥିଲା। ଏଠାରେ ଚଳିତବର୍ଷ ରାତି ୧୦ଟା ପର୍ଯ୍ୟନ୍ତ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଠାକୁରମାନଙ୍କ ନୀତିରେ ବିଭ୍ରାଟ ଜାଣିଶୁଣି କିଛି ବ୍ୟକ୍ତିବିଶେଷ କରୁଥିବା ନେଇ ଆଲୋଚନା ଚାଲିଥିବାବେଳେ ଏ ସଂପର୍କରେ ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯିବାକୁ ମତପ୍ରକାଶ ପାଉଅଛି।

prayash

ବିଳମ୍ବରେ ରଥଟଣା ହେବା ଯୋଗୁଁ ରଥର ଗତି ନିୟନ୍ତ୍ରଣରେ ସମସ୍ୟା ଦେଖାଦେଇଥିଲା। ଫଳରେ ଶ୍ରୀମନ୍ଦିରକୁ ଫେରିବା ରାସ୍ତା ରଥ ମୁଖ୍ୟଡାକଘର ନିକଟରେ ଏକ ବିଦ୍ୟୁତ ଖମ୍ବରେ ଫସି ରହିଯାଇଥିଲା। ଜିଲାପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଏସପି ରବିନ୍ଦ୍ର କୁମାର ରାଉତ, ଉପଜିଲାପାଳ ରବିନ୍ଦ୍ର ନାଥ କହଁର ଓ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଡାକଘର ଛକଠାରେ ଉପସ୍ଥିତ ରହି ବିଦ୍ୟୁତ ବିଭାଗ କର୍ମଚାରୀ, ଓଡ୍ରାପ ଟିମଙ୍କ ସହାୟତାରେ ରଥକୁ ବିଦ୍ୟୁତ ଖମ୍ବରୁ ଅଲଗା କରିଥିଲେ। ସେଠାରେ ତିନି ଠାକୁର ଅଟକି ରହିବା ପରେ ଗୁରୁବାର ସକାଳ ୯ ଘଣ୍ଟା ସମୟରେ ପୁଣିଥରେ ରଥଟଣା ଆରମ୍ଭ ହୋଇଥିଲା। ପୁଲିସ କର୍ମଚାରୀମାନଙ୍କ ସହାୟତାରେ ରଥକୁ ଟଣାଯାଇ ରଥଖଳା ପର୍ଯ୍ୟନ୍ତ ନିଆଯାଇଥିଲା।
ପବିତ୍ର ଏକାଦଶୀରେ ରଥ ଖଳାଠାରେ ସୁନାବେଶ ବେଶରେ ସଜ୍ଜିତ ହୋଇ ଚତୁର୍ଦ୍ଧାମୁରତୀ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବହୁ ସଂଖ୍ୟାରେ ଭକ୍ତ ରଥାରୁଢ ଠାକୁରଙ୍କ ସୁନାବେଶ ଦର୍ଶନ କରିଥିଲେ।

ରାତ୍ରି ୯ ଘଣ୍ଟା ପରେ ତିନି ଠାକୁରଙ୍କ ନିଳାଦ୍ରି ବିଜେ ଅନୁଷ୍ଠିତ ହୋଇଥିଲା। ରଥଖଳାଠାରେ ସଙ୍ଗିତାୟନ ଅନୁଷ୍ଠାନ ପକ୍ଷରୁ ଭଜନ ସମାରୋହ ପରିବେଷଣ କରାଯାଇଥିଲା।
ବାହୁଡାଯାତ୍ରା ଅବସରରେ ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ଓ ଧାରା ବିବରଣୀ ପ୍ରଦାନ କରାଯାଇଥିଲା। ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚନ୍ଦ୍ରକାନ୍ତ ନାୟକ, ହୃଷିକେଶ ପ୍ରଧାନ, ଦୁଃଖିଶ୍ୟାମ ବେହେରା, ରମେଶ ମେହେର, ସନ୍ତୋଷ କର୍ଣ୍ଣ, ସୁଶାନ୍ତ ମହାପାତ୍ର, ସତ୍ୟ ନାରାୟଣ ପାଣି ଓ ଜ୍ଞାନଚାନ୍ଦ ଶତପଥୀ ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ। ଉପଜିଲାପାଳ ରବିନ୍ଦ୍ର ନାଥ କହଁର ଧାରାବିବରଣୀ ପ୍ରଦାନ କରିଥିବା ସମସ୍ତଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଲାଇବ୍ରେରୀଆନ ଅକ୍ଷୟ କୁମାର ମହାକୁଡ, କନିଷ୍ଠ ରାଜସ୍ୱ ସହାୟକ ମଣ୍ଟୁ ପାଣ୍ଡେ ଓ କର୍ମଚାରୀ ବୀରବର ସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.