ସର୍ପାଘାତରୁ ମାଲିକ ଜୀବନ ରକ୍ଷାକରି ରୂଣ ସୁଝିଲା କୁକୁର

ବୌଦ୍ଧ: ବର୍ତ୍ତମାନ ସମୟରେ ସ୍ୱାର୍ଥପାଇଁ ମଣିଷ ମଣିଷର ଗଳାକାଟିବାକୁ ପଛାଉନାହିଁ ଫଳରେ ସମାଜରେ ମଣିଷ ପ୍ରତି ବିଶ୍ୱାସ ମଧ୍ୟ ତୁଟିବାକୁ ଲାଗିଲାଣି। କେତେବେଳେ ମାଲିକକୁ ହତ୍ୟାକରି ସମ୍ପତି ଲୁଟି ନେଲାଣିତ ଆଉ କେତେବେଳେ ମାଲିକର ବିଶ୍ୱାସରେ ବିଷ ଦେଇ ନିଜର କ୍ରୁରତାର ପରିଚୟ ଦେଇଛି ଏହି ମଣିଷ। ହେଲେ ପୋଷା କୁକୁର ନିଜ ମାଲିକର ଜୀବନ ସାପ ମୁହଁରୁ ବଞ୍ଚାଇ ସମାଜ ପାଇଁ ଏକ ବିଶ୍ୱାସର ଉଦାହରଣ ସୃଷ୍ଟିକରିପାରିଛି। ଘଟଣାଟି ଘଟିଛି ସହରର ପୋଡାପଡା ସାହିରେ। ଏଠାରେ ଥିବା ଏକ ସରକାରୀ କ୍ୱାଟରରେ ନିଜ ମାଲିକର ଗେହ୍ଲା ଝିଅ ଭାବେ ରହି ଆସୁଥିଲା କୁକୁର ବ୍ଲାକି। ମାଲିକ ଘର ସାମନାରେ ଚଉକିରେ ବସିଥିବାବେଳେ ତାଙ୍କ ଚଉକି ତଳଦେଇ ଏକ ଚାରିଫୁଟର ଗୋଖର ନାଗସାପ ଘର ଭିତରକୁ ପଶିବା ପାଇଁ ଯାଉଥିବାର ଦେଖି ମାଲିକ ସମ୍ମୁଖରେ ଶୋଇଥିବା ବ୍ଲାକି ହଠାତ୍ ଝାମ୍ପିପଡିଥିଲା ସାପ ଉପରକୁ। ସାପର ବେକକୁ ଦାନ୍ତରେ ଚୋବେଇ ଟାଣି ଆଣିଥିଲା ବାହାରକୁ। କୁକୁରର ଆଘାତପାଇ ସାପ ମଧ୍ୟ ଲାଞ୍ଜରେ ଠିଆହୋଇ ଫଣାଟେକି ଚୋଟ ମାରିବା ଆରମ୍ଭ କରିଥିଲା। କାଳେ ମାଲିକକୁ ଆଘାତ ଲାଗିବ ଏପରି ଚିନ୍ତାରେ କୁକୁରଟି ସାପର ଚୋଟଖାଇ ମଧ୍ୟ ତା ସହିତ ଲଢେଇ କରିଥିଲା। ଶେଷରେ କୁକୁରଟି ସାପକୁ ମାରି ଦେଇଥିଲା।

ଏସବୁ ଘଟଣା ମାଲିକ ଦେଖି ହତଚକିତ ହୋଇ ଯାଇଥିଲେ। ନିଜ ଜୀବନକୁ ଖାତିର ନକରି ତିନି ତିନିଜଣ ମଣିଷର ଜୀବନକୁ ରକ୍ଷା କରିପାରିଛି କୁକୁର ବ୍ଲାକି। ତାପ୍ରତି ମାଲିକର ଥିବା ବିଶ୍ୱାସନୀୟତାର ରୂଣ ସେ ସୁଝି ଦେଇଛି। ହେଲେ ଆମେ କ୍ଷଣିକ ଲୋଭ ମାୟାରେ ବଷିଭୁତ ହୋଇ ବିଶ୍ୱାସଘାତକତା କରିବାପାଇଁ ଟିକିଏବି ପଛାଉନାହୁଁ । କୁକୁରର ବିଶ୍ୱାସନୀୟତା ଆମପାଇଁ ପ୍ରେରଣାଦାୟୀ ନୁହେଁକି? ସର୍ପାଘାତରେ ଆହାତ ବ୍ଲାକି ବର୍ତ୍ତମାନ ଠିକ ସମୟରେ ଚିକିତ୍ସାପାଇ ସୁସ୍ଥ ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.