ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ
ବୌଦ୍ଧ: ବୌଦ୍ଧ ଜିଲା ପୁଲିସ ମନମୁଣ୍ଡା ଥାନା ଅନ୍ତର୍ଗତ କନାଗୁନ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା ଜିଲା ପୁଲିସ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବୌଦ୍ଧ-କନ୍ଧମାଳ ଜିଲା ସୀମାନ୍ତ ଜଙ୍ଗଲରେ କିଛିଦିନ ହେଲା ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଥିବା ସମ୍ପର୍କରେ ସୂଚନା ମିଳିବାରୁ ତଲାସି ଚାଲିଥିଲା। ମନମୁଣ୍ଡା ଥାନା ଗୁନ୍ଦୁଲିଆ ପଞ୍ଚାୟତର କନାଗୁନ ଗାଁ ପାଖରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଥିବା ସମ୍ପର୍କରେ ଜଣାପଡ଼ିବାରୁ ଜିଲା ସ୍ବୟଂକ୍ରିୟ ବଳ (ଡିଭିଏଫ୍) ଓ ବୋମା ନିଷ୍କ୍ରିୟକାରୀ ଦଳ ଦଳ ସେଠାକୁ ଯାଇଥିଲେ।
ବୋମା ନିଷ୍କ୍ରିୟକାରୀ ଦଳ ଶୁକ୍ରବାର ସକାଳେ ସେଠାରୁ ୨୩୦ଟି ଜିଲୋଟିନ ଷ୍ଟିକ୍, ୧ ମିଟର ସେଫ୍ଟି ଫ୍ୟୁଜ୍, ପ୍ରେସର୍ ମେକାନିଜମ୍, ୫ଟି ୧.୫ ଭୋଲ୍ଟ ବ୍ୟାଟେରି, ମାଓ ପୋଷାକ, ପାଣି ଡ୍ରାମ, ପ୍ରଚାରପତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛନ୍ତି। ଏହି ଘଟଣାରେ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ମନମୁଣ୍ଡା ଓ କଣ୍ଟାମାଳ ଥାନା ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡ଼ିବାରୁ ତଲାସି ଅଭିଯାନକୁ ବ୍ୟାପକ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ଗତ ୨୧ ତାରିଖରେ ମନମୁଣ୍ଡା ଥାନାର ବାହାବଳଖୋଲ ପାଖରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା।
Comments are closed.