ବମିଖାଲ୍‍ ଓଭରବ୍ରିଜ ଦୁର୍ଘଟଣାର ତଦନ୍ତ ଆରମ୍ଭ, ଲାଠିକଟାରେ ରାସ୍ତାରୋକ

0

ଭୁବନେଶ୍ୱର: ବମିଖାଲ୍‍ ଓଭରବ୍ରିଜ୍‍ ପୁଣି ଜଣକ ମୁଣ୍ଡ ନେଇଛି। ଗତକାଲି ବ୍ରିଜ୍‍ର ଲୁହା ରେଲିଂ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୁନ୍ଦରଗଡ଼ ଜିଲା ଲାଠିକଟାର ଅଜୟ ଭୂମିଜଙ୍କ ପରିବାର ଓ ଗାଁ ଲୋକ ଉପଯୁକ୍ତ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ତେବେ ଦୁର୍ଘଟଣାର ୧୨ ଘଣ୍ଟା ପରେ ମଧ୍ୟ ସରକାରୀ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ନଥିବା ଲୋକେ ଅଭିଯୋଗ କରିବା ପରେ ସରକାର ତତ୍ପର ହୋଇଛନ୍ତି। ଫରେନ୍‍ସିକ ଟିମ୍‍ର ୮ ଜଣିଆ ଦଳ ଘଟଣାସ୍ଥଳରେ ପହଞ୍ଚିଛି। କିଭଳି ଦୁର୍ଘଟଣା ଘଟିଲା ଓ କେଉଁ ପରିସ୍ଥିିତିରେ ଶ୍ରମିକଙ୍କ ମୃତ୍ୟୁ ହେଲା ସେ ସଂକ୍ରାନ୍ତରେ ଟିମ୍‍ ଯାଞ୍ଚ କରୁଛି। ନିମ୍ନମାନର କାମ ଓ ଶ୍ରମିକଙ୍କ ସୁରକ୍ଷା ପାଇଁ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ଉପଯୁକ୍ତ ବ୍ୟବସ୍ଥା କରି ଥିଲା କି ନାହିଁ ତାହାକୁ ନେଇ ମଧ୍ୟ ଟିମ୍‍ ଯାଞ୍ଚ କରୁଥିବା ଜଣାପଡ଼ିଛି। ଶ୍ରମିକଙ୍କ ରକ୍ତନମୁନା ସଂଗ୍ରହ କରିଛି ଟିମ୍‍। ବ୍ରିଜର ନିର୍ମାଣ ଦାୟିତ୍ୱ ନେଇଥିବା ପଣ୍ଡା ଇନ୍‍ଫ୍ରା କମ୍ପାନୀର ମାଲିକ ତଥା ଏମ୍‍ଡି ପ୍ରତାପ ପଣ୍ଡାଙ୍କୁ କମିଶନରେଟ୍‍ ପୁଲିସ ଗିରଫ କରିଛି। ଶ୍ରୀପଣ୍ଡାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍‍ର ୩୦୪, ୩୩୭, ୩୩୮ ଓ ୩୪ଦଫାରେ ମାମଲା ରୁୁଜୁ ହୋଇଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ତା’ ପୂର୍ବରୁ କ୍ୟାପିଟାଲ୍‍ ହସ୍ପିଟାଲ୍‍ରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଶ୍ରୀପଣ୍ଡାଙ୍କୁ ଗିରଫ କରାଯାଇଥିବା ବେଳେ ସେ ଜାମିନ୍‍ରେ ମୁକୁଳିଥିଲେ।
ଅପରପକ୍ଷରେ ବିଜେପି ଏହି ଘଟଣାର ନିନ୍ଦା କରିବା ସହିତ ସିବିଆଇ ତଦନ୍ତ ଦାବି କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି ଯେ ସରକାରୀ ଉଦାସୀନତା ଯୋଗୁଁ ଏଭଳି ଘଟଣା ଘଟୁଛି। ଏଥିରେ ସରକାରୀ ଦଳର ବଡ଼ପଣ୍ଡାମାନଙ୍କର ହାତ ରହିିଛି। ତେଣୁ ଏହି ଘଟଣାର ତଦନ୍ତ ଭାର ସିବିଆଇ କିମ୍ବା ରାଜ୍ୟ ବାହାରର କୌଣସି ସଂସ୍ଥାଙ୍କୁ ଦେବା ପାଇଁ ବିଜେପି ଦାବି କରିଛି।

Leave A Reply