ବଲାଙ୍ଗିର/ଖପ୍ରାଖୋଲ: ବଲାଙ୍ଗିର ଜିଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଓ ବରଗଡ଼ ଜିଲାର ନୃସିଂହନାଥ ମନ୍ଦିର ମଧ୍ୟରେ ରହିଛି ଗନ୍ଧମାର୍ଦ୍ଦନ ପର୍ବତ। ତେଣୁ ପର୍ଯ୍ୟଟକଙ୍କୁ ଉଭୟ ମନ୍ଦିର ଦର୍ଶନ କରିବାକୁ ସଡକ ପଥରେ ୬୦ କିଲୋମିଟର ବୁଲିବାକୁ ପଡେ। ବିଭିନ୍ନ ସମୟରେ ଉଭୟ ଜିଲାର ସଂଗଠନଗୁଡ଼ିକ ହରିଶଙ୍କର-ନୃସିଂହନାଥ ମନ୍ଦିର ମଧ୍ୟରେ ରୋପୱେ ବ୍ୟବସ୍ଥା କରିବାକୁ ଦାବି କରି ଆସୁଥିଲେ। ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ରୋପୱେ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା। ଆଶାଥିଲା ରୋପୱେ ହେଲେ ପର୍ଯ୍ୟଟନର ବିକାଶ ସହ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ଗତିଶୀଳ ହେବ। କିନ୍ତୁ ନିକଟରେ ରାଜ୍ୟ ସରକାର ହରିଶଙ୍କର-ନୃସିଂହନାଥ ମଧ୍ୟରେ ରୋପୱେ ପ୍ରସ୍ତାବରୁ ଓହରି ଯାଇଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରି ସୋମବାରଠାରୁ ହରିଶଙ୍କର ଝରଣାରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତେବେ ୨୯ ଘଣ୍ଟା ବିତିଯିବା ପରେ ବି କୌଣସି ପ୍ରତିକ୍ରିୟା ପ୍ରକାଶ ନପାଇବା, ଜଣେ ଅସୁସ୍ଥ ହେବା ସହ ସ୍ଥାନୀୟ ଲୋକେ ବିକଳ୍ପ ପ୍ରତିବାଦର ମାଧ୍ୟମ ସଂପର୍କରେ ପ୍ରସ୍ତାବ ଦେବା ପରେ ସତ୍ୟାଗ୍ରହ ମଙ୍ଗଳବାର ପ୍ରତ୍ୟାହୃତ ହୋଇଛି।
ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ହରିଶଙ୍କର ଓ ନୃସିଂହନାଥ। ରାଜ୍ୟ ସରକାର ମନ୍ଦିରର ବିକାଶ ପାଇଁ ଅନୁଦାନ ଦେବେ ବୋଲି ମୁଖ୍ୟଶାସନ ସଚିବ ସୁରେଶ କୁମାର ମହାପାତ୍ର, ୫ଟି ସଚିବ ଭି.କେ.ପାଣ୍ଡିଆନ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ଏଥିସହିତ ହରିଶଙ୍କର-ନୃସିଂହନାଥ ମଧ୍ୟରେ ରୋପୱେ କାର୍ଯ୍ୟକ୍ଷମ କରିବାକୁ ସବୁଜ ସଙ୍କେତ ମିଳିଥିଲା। କିନ୍ତୁ ନିକଟରେ ଘୋଷଣା ହୋଇଥିବା ରୋପୱେ ମଧ୍ୟରେ ହରିଶଙ୍କର-ନୃସିଂହନାଥ ରୋପୱେ ପ୍ରସ୍ତାବ ପ୍ରତ୍ୟାହାର କରାଯାଇଥିବା ଜଣାପଡ଼ିଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ଅବହେଳା ଓ ଉପେକ୍ଷା କରୁଥିବା ଅଭିଯୋଗ କରି ସେମାବାର କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆବାହକ ବୋଲାଉଥିବା ଚଙ୍ଗରିଆ ସରପଞ୍ଚ ସୁଶୀଲ କୁମାର ଗୁରୁ, ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ୫ଜଣ ହରିଶଙ୍କର ଝରଣା ନିକଟରେ ଜଳ ସତ୍ୟାଗ୍ରହରେ ବସିଥିଲେ। ଲଘୁଚାପ ଜନିତ ବର୍ଷା ହେଉଥିବା ବେଳେ ଥଣ୍ଡା ପାଣିରେ ଜଳ ସତ୍ୟାଗ୍ରହ ସହଜ ନଥିଲା। ତେବେ ସେମାବାର ମଧ୍ୟରାତ୍ରରେ ଆଲୋକ ବୁଡେକ ନାମକ ଜଣେ ସତ୍ୟାଗ୍ରହୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିଲା। ସେ ଏବେ ସୁସ୍ଥ ରହିଛନ୍ତି। ତେବେ ଅନ୍ୟମାନଙ୍କ ଅବସ୍ଥା ବି ଧୀରେ ଧୀରେ ଖରାପ ହେଉଥିଲା। ଘଟଣାସ୍ଥଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଖପ୍ରାଖୋଲ ତହସିଲଦାର ଆଦିତ୍ୟ ମିଶ୍ର ଓ ଆଇଆଇସି ରାମକାନ୍ତ ସାହୁ ସେଠାରେ ଥିବା ବେଳେ ପୁଲିସ ବଳ ମୁତୟନ ହୋଇଥିଲା। ମଙ୍ଗଳବାର ଖପ୍ରାଖୋଲ ସହ ହରିଶଙ୍କର ବଣିକ ସଂଘ ଦୋକାନ ବଜାର ବନ୍ଦ ରଖିଥିଲା। ହରିଶଙ୍କର ମନ୍ଦିର ମଧ୍ୟ ବନ୍ଦ ରହିଥିଲା। ଛତିଶଗଡ଼ ସହ ରାଜ୍ୟର ଉପକୂଳ ଅଞ୍ଚଳରୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନେ ଦର୍ଶନ ନକରି ନିରାଶ ହୋଇ ଫେରିଥିଲେ। ସତ୍ୟାଗ୍ରହୀମାନେ ପ୍ରଶାସନ ସହ ଆଲୋଚନା କରିବାକୁ ଚାହୁଁଥିଲେ ବି କେହି ସେଠାକୁ ଯାଇ ନଥିଲେ। ତେବେ ପ୍ରଶାସନିକ ନୀରବତା ବିରୋଧରେ ଆଗାମୀ ଦିନରେ ବିକଳ୍ପ ପ୍ରତିବାଦ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଜଳ ସତ୍ୟାଗ୍ରହକୁ ସମର୍ଥନ କରୁଥିବା ବିଭିନ୍ନ ସଂଗଠନର ସଦସ୍ୟମାନେ ମଙ୍ଗଳବାର ଦିନ ୫ଟା ବେଳେ ଜଳ ସତ୍ୟାଗ୍ରହୀଙ୍କୁ ସତ୍ୟାଗ୍ରହ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ। ରୋପୱେ ଓ ମନ୍ଦିର ବିକାଶ ପାଇଁ ଆନ୍ଦୋଳନ ଜୋରଦାର କରିବାକୁ ପ୍ରତିଶ୍ରୁତି ଦେବା ପରେ ଜଳ ସତ୍ୟାଗ୍ରହ ଓହରି ଆସିଥିଲେ ସତ୍ୟାଗ୍ରହୀମାନେ।



