www.samajalive.in
Wednesday, December 10, 2025
15.1 C
Bhubaneswar

ବିନା ପ୍ରଚାର ପ୍ରସାରରେ ଶେଷହେଲା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା

ହରଭଙ୍ଗା: ଓଡ଼ିଶା ସାମାଜିକ ସୁରକ୍ଷା ଉତ୍ତରଦାୟିତ୍ୱ ଓ ସୁରକ୍ଷା ସମିତି ଆନୁକୂଲ୍ୟରେ ବୁଧବାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମନରେଗା ଏବଂ ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟକ୍ରମର ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣି ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନରେଗା ଯୋଜନାର ତ୍ରୁଟିଥିବା ୬୩୯ଟି ଅଭିଯୋଗର ଜନଶୁଣାଣି କରାଯାଇଥିବାବେଳେ ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭୧୮୩ଟି ପ୍ରକଳ୍ପର ଅଭିଯୋଗର ଶୁଣାଣି ହୋଇଥିଲା। ନିଜେ ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର କୁମାର ମେହେର ବ୍ଲକ, ପଂଚାୟତ, ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗ, କ୍ଷୁଦ୍ରଜଳସେଚନ, ଜଳସେଚନ ବିଭାଗ ଏବଂ ମୃତିକା ସଂରକ୍ଷଣ ବିଭାଗ ତରଫରୁ କାର୍ଯ୍ୟକାରୀ ହୋଇଥିବା ଏପ୍ରିଲ-୨୦୨୨ରୁ ସେପ୍ଟେମ୍ବର-୨୦୨୨ ପର୍ଯ୍ୟନ୍ତ ସମସ୍ତ ମନରେଗା ଅଭିଯୋଗ ସମ୍ବଳିତ କାର୍ଯ୍ୟଗୁଡିକ ପଠନ କରିଥିଲେ। ମନରେଗା ସମ୍ବଳିତ ୬୩୯ଟି ଅଭିଯୋଗ ମଧ୍ୟରୁ ବନବିଭାଗ ପକ୍ଷରୁ ବନୀକରଣ କାର୍ଯ୍ୟରେ ଛତ୍ରଙ୍ଗ ପଂଚାୟତର ଶ୍ରମିକ ୩୦ କିଲୋମିଟର ଦୂର ଆଡେଣିଗଡ଼ ପଂଚାୟତରେ କାର୍ଯ୍ୟକରିବା ଭଳି ଗୁରୁତର ବ୍ୟତିକ୍ରମ ସମ୍ମୁଖକୁ ଆସିଥିଲା। ଉଦ୍ୟାନକୃଷି ବିଭାଗ ପକ୍ଷରୁ ବେଲପଦରରେ କାଜୁ ଚାରା ରୋପଣ ହୋଇଥିବାବେଳେ ୫/୬ଟି ଗଛ ଥିବାବେଳେ କାଜୁ ଗଛ ସୁରକ୍ଷା ପାଇଁ ଜାଲି ଇତ୍ୟାଦି ଲଗାଯାଇନଥିବା ଜଣାପଡ଼ିଥିଲା। ଜଳବିଭାଜିକା ଏବଂ ମୃତିକାସଂରକ୍ଷଣ ବିଭାଗ ପକ୍ଷରୁ କଙ୍କଲାରେ ଆମ୍ବ ବଗିଚା ନିମନ୍ତେ ବିନା ଜିଏସଟି ବିଲରେ ସାମଗ୍ରୀ ଟଙ୍କା ପୈଠ ହୋଇଥିବା ଭଳି ଗୁରୁତର ଅଭିଯୋଗ ସମ୍ମୁଖକୁ ଆସିଥିଲା। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଲୁଣିବାହାଲରେ ବ୍ଲକସ୍ତରୀୟ ଆମ୍ବ ଏବଂ ପଣଷ ନର୍ସରୀ ନିମନ୍ତେ ସୂଚନା ଫଳକ ଲାଗିଥନଥିବା ତ୍ରୁଟିର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମହାଲ୍ଲିକପଡ଼ା ପଂଚାୟତରେ ୧୨ଟି ମନରେଗା ଯୋଜନା ପ୍ରକଳ୍ପ କାର୍ଯ୍ୟର କେସ ରେକର୍ଡ ସାମାଜିକ ସମୀକ୍ଷା ସମୟରେ ପ୍ରଦାନ କରା ନ ଯିବାକୁ ନେଇ ଜିଲ୍ଲା ମନରେଗା ସଂଯୋଜକ ସତ୍ୟଜିତ୍‌‌ ସେନାପତି ଉଦବେଗ ପ୍ରକାଶ କରିଥିଲେ। ତୁରନ୍ତ ଏ ଦିଗରେ ଲୋକାୟୁକ୍ତଙ୍କ ପାଖରେ ରିପୋର୍ଟ ଦାଖଲ କରିବା ପାଇଁ ସରକାରୀ ଖସଡା କାର୍ଯ୍ୟକାରୀ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ୭୧୮୩ଟି ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଘର ସମୀକ୍ଷା କରାଯିବ ସହିତ ଚର୍ତୁଥ କିସ୍ତି ଟଙ୍କା ପାଇବା ପରେ ବି ୪୩ଟି ଘର କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ରିପୋର୍ଟରୁ ଧରାପଡ଼ିଥିଲା। ୦୩ଜଣଙ୍କ ଚତୁର୍ଥ କିସ୍ତି ଟଙ୍କା ପୈଠ ହୋଇନଥିବାବେଳେ ୨୧୨ଜଣଙ୍କ ଗୋଟିଏଦିନର ମଜୁରୀ ଟଙ୍କା ଦିଆଯାଇନଥିବା ରିପୋର୍ଟରୁ ଜଣାପଡ଼ିଥିଲା। ବିଶେଷକରି ମନରେଗା ପ୍ରକଳ୍ପଗୁଡିକରେ ନଥିପତ୍ର, ନାଗରିକ ସୂଚନାଫଳକ, ଶ୍ରମିକ ମଜୁରୀ ଏବଂ ବନବିଭାଗ ନର୍ସରୀ ରେଜିଷ୍ଟର ଅପଡେଟ, ଏମ.ଏମ.ଏସ, ଭଳି ଅନେକ ଅଭିଯୋଗ ଉପସ୍ଥାପନା କରାଯାଇଥିଲା। ସମସ୍ତ ଅଭିଯୋଗଗୁଡିକ ବିଭାଗୀୟ ଉଚ୍ଚସ୍ତରୀୟ ଅଧିକାରୀ ଆସନ୍ତା ୦୭ଦିନ ମଧ୍ୟରେ ସମାଧାନ କରି ଏକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା। ମାନବ ସମ୍ବଳ କର୍ମୀଙ୍କୁ ଏଗୁଡିକର କ୍ଷେତ୍ର ପରିଦର୍ଶନ କରି ଫାଇନାଲ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସାମାଜିକ ସମୀକ୍ଷା ଭଳି ଏକ ମହତ୍‌‌ ଲୋକାଭିମୁଖୀ କାର୍ଯ୍ୟକ୍ରମ ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ କୌଣସି ଖବରକାଗଜ ଜରିଆରେ ପ୍ରସାର, ପ୍ରଚାର କରାଯାଇ ନଥିଲା। ଯାହାଫଳରେ ହାତଗଣତି ବ୍ଲକ କର୍ମଚାରୀ, ଭି.ଆର.ପିମାନଙ୍କ ଉପସ୍ଥିତିରେ କୋଟି କୋଟି ଟଙ୍କାର ପ୍ରକଳ୍ପର ସମୀକ୍ଷା କାଗଜ କଲମରେ ଶେଷ କରାଯାଇ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ଅନ୍ଧାରରେ ରଖାଯିବା ଭଳି ଅବ୍ୟବସ୍ଥା, ତ୍ରୁଟି ଦେଖିବାକୁ ମିଳିଥିଲା।ସାମାଜିକ ସମୀକ୍ଷା ରିପୋର୍ଟ ମଧ୍ୟ ସମସ୍ତଙ୍କୁ ହସ୍ତାନ୍ତର କରାନଯିବା ବାସ୍ତବରେ ଏହି କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟଠାରୁ ଦୂରେଇ ଯିବା ଭଳି ଜଣାପଡୁଥିଲା। କିଛି ଅସାଧୁ କର୍ମଚାରୀଙ୍କ ମୁଖା ଖୋଲିଯିବା ଭୟରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ବିନା ପ୍ରଚାର ପ୍ରସାରରେ କରାଯିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

୨୦୧୭-୧୮ ଆର୍ଥିକ ବର୍ଷରୁ ଏହି ମହତ୍‌‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଶୁଣାଣି ପରେ ବି ଜଣେ ହେଲେ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆନଯାଇଥିବା ଜଣାପଡ଼ିଛି। ଗାଇଡ୍‌‌ଲାଇନ ଉଲ୍ଲଂଘନ କରିଥିବା ବାବୁଙ୍କଠାରୁ ଭରଣା ଅର୍ଥ ଲକ୍ଷଲକ୍ଷ ଟଙ୍କା ଅସୁଲନହେବା କାର୍ଯ୍ୟକ୍ରମର ବିଫଳତାକୁ ଦର୍ଶାଉଛି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ଜିଲ୍ଲା ମନରେଗା ସଂଜଯୋକ ସତ୍ୟଜିତ୍‌‌ ସେନାପତି, ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର କୁମାର ମେହେର, ବ୍ଲକ ସମୀକ୍ଷକ ବଂଶୀଧର ମେହେର,ସାମାଜିକ ସମୀକ୍ଷା ସଦସ୍ୟ ଦିଲ୍ଲୀପ ମହାପାତ୍ର, ଶୁଶିଳ ଦେହୁରୀ, ଲୋକକଳା ବିକାଶ କେନ୍ଦ୍ର ସଭ୍ୟ ସମେତ ପଂଚାୟତ ପିଇଓ, ଜି.ଆର.ଏସ, ଭି.ଆର.ପି ପ୍ରମୁଖ ଯୋଗଦାନ କରିଥିଲେ। ଜନଶୁଣାଣୀ ଭଳି ଏକ ମହତ୍‌‌ କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ପଦାଧିକାରୀ ଭଳି କେତେକ ସରକାରୀ କର୍ମଚାରୀଙ୍କ ଗହଣରେ ଶୁଣାଣି କାର୍ଯ୍ୟକ୍ରମ କେବଳ ପ୍ରହସନରେ କାଗଜ କଲମରେ ଶେଷ ହୋଇଥିବା ଦେଖିବାକୁ ମିଳିଛି। ଏ ସର୍ମ୍ପକରେ ବୌଦ୍ଧ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଅଶ୍ବିନୀ ମେହେରଙ୍କୁ ପ୍ରଚାର ପ୍ରସାର ଉପରେ ପଚାରିବାରୁ କିଛି ଖବରକାଜରେ ଦିଆଯାଇଥିବା କହିଥିଲେ। ମାତ୍ର ନିର୍ଦ୍ଦିଷ୍ଟ ଭାବେ ଏହାର ଉତର ଦେଇପାରିନଥିଲେ। ଏଥିରୁ ଜଣାପଡ଼ିଥିଲା ଯେ ସମୀକ୍ଷା କାର୍ଯ୍ୟକ୍ରମ ନିଜ କର୍ମଚାରୀମାନଙ୍କୁ ନେଇ ସାରିବା ଏକ ଅଦୃଶ୍ୟ ନିର୍ଦ୍ଦେଶ ରହିଥିଲା।

 

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories