୨୦୨୫ରେ ସରିବ ତ ଖୋର୍ଦ୍ଧା-ବଲାଙ୍ଗିର !

ପାସେଞ୍ଜର ଟ୍ରେନ ଭଳି ଗଡୁଛି ରେଳପଥ କାମ

୨୮୯ରୁ ସରିଛି ୯୧ କିମି ରେଳ ଟ୍ରାକ,ଦଶପଲ୍ଲାରୁ ଚାରିଛକ ଜଙ୍ଗଲ ପରିବେଶ ମଞ୍ଚୁରୀ କେଁ

prayash

ବଲାଙ୍ଗିର : ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ । ପଶ୍ଚିମ ଓଡ଼ିଶା ମାନଚିତ୍ରରେ ଏହି ରେଳ ପ୍ରକଳ୍ପ ଭିନ୍ନ ପରିଚୟ ସୃଷ୍ଟି କରିବ। ନୟାଗଡ, ବୌଦ୍ଧ, ସୋନପୁର ଭଳି ଜିଲାର ଲୋକେ ରେଳପଥ ଜରିଆରେ ଉପକୃତ ହେବେ। ଉପକୂଳ ଓଡ଼ିଶା ସହ  ପଶ୍ଚିମ ଓଡ଼ିଶାର ଅନ୍ୟତମ ଜିଲାଗୁଡ଼ିକ ଯୋଡିହେବ। ଶିକ୍ଷା, ବ୍ୟବସାୟ ସହ ସାଧାରଣ ସଂପର୍କ ପ୍ରତିଷ୍ଠା ହେବ। ଇତିମଧ୍ୟରେ ୬ଟି ରେଳ ବଜେଟ୍ ପାରିତ ହେଲାଣି। କିନ୍ତୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ବୟସ ଗଡି ଗଡି ଚାଲିଛି। ୨୦୨୫ ମସିହା ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର କାମ ଶେଷ ହେବ ବୋଲି ଓଡ଼ିଶା ବିଧାନସଭା ଷ୍ଟାଣ୍ଡି କମିଟି ଘୋଷଣା କରିଛି । କିନ୍ତୁ ଷ୍ଟାଣ୍ଡି କମିଟିର ଘୋଷଣାକୁ ନେଇ ସନ୍ଦେହ ଦେଖା ଦେଇଛି।
୧୯୯୫ ମସିହାରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପକୁ ମଞ୍ଚୁରୀ ମିଳିଥିଲା । ୨୦୦୧ ମସିହାରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଖୋର୍ଦ୍ଧା-ବଲାଙ୍ଗିରର ଦୂରତା ୨୮୯ କିଲୋମିଟର ଧାର୍ଯ୍ୟ କରାଯାଇଥିଲା । ଖୋର୍ଦ୍ଧା-ନୟାଗଡ-ବୌଦ୍ଧ-ସୋନପୁର-ବଲାଙ୍ଗିର ମଧ୍ୟରେ ଏହି ରେଳ ପ୍ରକଳ୍ପ କାର୍ଯ୍ୟ କରାଯିବ ବୋଲି ସ୍ଥିର ହୋଇଥିଲା । ଇତିମଧ୍ୟରେ ୨୧ ବର୍ଷ ବିତିଗଲାଣି । ୨୮୯ କିଲୋମିଟର ରେଳପଥରୁ ମାତ୍ର ୯୧ କିଲୋମିଟର୍ କାମ ଶେଷ ହୋଇଛି । ତେବେ ପାସେଞ୍ଜର ଟ୍ରେନ ଗଡିବା ଭଳି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ ଚାଲିଛି । ଯେମିତି କାମ ହେଉଛି ସେଥିରେ ୨୦୨୫ ମଧ୍ୟରେ ପ୍ରକଳ୍ପ କାମ ସରିବନି ବୋଲି ମତପ୍ରକାଶ ପାଉଛି । ସୂଚନା ଅନୁସାରେ, ଖୋର୍ଦ୍ଧା ପଟୁ କାମ ଆରମ୍ଭ ହୋଇ ନୟାଗଡ ଜିଲାର ମହିପୁର ଯାଏଁ ଶେଷ ହୋଇଛି। ୭୭ କିଲୋମିଟର କାମ ଶେଷ ହୋଇଥିବା ବେଳେ ଟ୍ରେନ ଗଡୁଛି । ବଜେଟ୍ ପରେ ବଜେଟ ଆସୁଛି, ଅର୍ଥ ବ୍ୟୟ ବରାଦ ହେଉଛି । କିନ୍ତୁ ମନ୍ଥର ଗତିରେ ପ୍ରକଳ୍ପ କାମ ଜାରି ରହିଛି । ତଥ୍ୟ ହିସାବରେ ବୌଦ୍ଧ ଜିଲାରେ ୧୧୮ କିଲୋମିଟର ରେଳପଥ କାମ ହେବାର ଅଛି। ମାତ୍ର ଏଠାରେ ରେଳପଥ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। ତେବେ ୯୮ଟି ରାଜସ୍ୱ ଗାଁରୁ ୯୫ଟି ଗାଁର ଜମି ଅଧିଗ୍ରହଣ ହୋଇ ସାରିଛି। ବିଶେଷ କରି ନୟାଗଡ ଜିଲାର ଦଶପଲ୍ଲାରୁ ବୌଦ୍ଧ ଚାରି ଛକ ଯାଏ ଜଙ୍ଗଲ ରହିଛି। ଏଠାରେ ପରିବେଶ ଅନୁମତି ମିଳିପାରୁନି । ତେଣୁ ଧିମେଇ ଯାଇଛି ପ୍ରକଳ୍ପ।
ଅନ୍ୟପଟେ ବଲାଙ୍ଗିର ପଟୁ ବିଛୁପାଲି ଯାଏ ରେଳପଥ କାମ ଶେଷ ହୋଇଛି । ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିରରୁ ବିଛୁପାଲି ୧୪ କିଲୋମିଟର୍ ମଧ୍ୟରେ ୨ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ। କିନ୍ତୁ କରୋନା ପରେ ପରେ ହିଁ ଏହି ପଥରେ ଟ୍ରେନ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସୂଚନା ଅନୁସାରେ, ୨ଟି ଟ୍ରେନ ଚାଲୁଥିଲେ ମଧ୍ୟ ସେଭଳି ରାଜସ୍ୱ ଆଦାୟ କରିପାରିନି ରେଳବାଇ। ତେଣୁ ଟ୍ରେନ ଚଳାଚଳ ନେଇ କୌଣସି ଶୋର ଶବ୍ଦ ଶୁଭୁନି। ତେବେ ସୋନପୁର ଜିଲା ଝାର ତରଭା ଯାଏ ରେଳପଥ କାମ ହୋଇଛି । ଅନ୍ତତଃ ପକ୍ଷେ ବଲାଙ୍ଗିରରୁ ସୋନପୁର ମଧ୍ୟରେ ବର୍ଷେ ୨ ବର୍ଷ ମଧ୍ୟରେ ରେଳପଥ ସହ ଆବଶ୍ୟକ ପୋଲ କାମ ସାରିଦେଲେ ଖୋର୍ଦ୍ଧା-ନୟାଗଡ ମଧ୍ୟରେ ଟ୍ରେନ ଚଳାଚଳ କଲା ଭଳି ବଲାଙ୍ଗିର-ସୋନପୁର ଜିଲା ମଧ୍ୟରେ ଟ୍ରେନ ଚଳାଚଳ ହୋଇପାରନ୍ତା। କିନ୍ତୁ ସରକାରଙ୍କ ଆଭିମୁଖ୍ୟ ଯେଉଁଭଳି ସେଥିରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ ୨୦୨୫ରେ ସରିବ ତ ବୋଲି ପ୍ରଶ୍ନ ଉଙ୍କି ମାରୁଛି।

kalyan agarbati

Comments are closed.