ପଦୋନ୍ନତି ଖୁସିରେ ଫାଙ୍କା ଗୁଳି ଚଳାଇ ଅଡୁଆରେ ପୁଲିସ ଅଧିକାରୀ

0

ପାଟନା : ବିହାରର କଟିହାରଠାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜ ପଦୋନ୍ନତିର ଖୁସି ପାଳନ ନିମନ୍ତେ ଫାଙ୍କା ଗୁଳି ଚାଳନା କରି ବିବାଦୀୟ ହୋଇପଡିଛନ୍ତି। ଏସ୍‌ପି ସିଦ୍ଧାର୍ଥ ମୋହନ ଜୈନ୍‌ଙ୍କୁ ନିକଟରେ ସିବିଆଇ ଅଧିକାରୀ ଭାବେ ପଦୋନ୍ନତି ପ୍ରଦାନ କରାଯାଇଥିଲା। ତାଙ୍କ ସମ୍ମାନାର୍ଥେ ବିଭାଗ ପକ୍ଷରୁ ରେଳବାଇ ଗଲ୍‌ ପଡିଆଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବେଳେ ଜୈନ୍‌ ନିଜ ପକେଟ୍‌ରୁ ଏକ ବନ୍ଧୁକ ବାହାର କରି ଆକାଶକୁ ଲକ୍ଷ୍ୟ କରି ଫାଙ୍କା ଗୁଳିମାଡ଼ କରିଥିଲେ। ଏହି ସମୟରେ ତାଙ୍କ ଚତୁଃପାର୍ଶ୍ୱରେ ବହୁ ଲୋକ ଉପସ୍ଥିତ ଥିଲେ ମଧ୍ୟ ତାଙ୍କର ସେଥିପ୍ରତି ଦୃଷ୍ଟି ନ ଥିଲା। ଯଦିଓ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ତଥାପି ଜଣେ ପୁଲିସ ଅଧିକାରୀଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟକଳାପକୁ ନେଇ ଅଭିଯୋଗ ହୋଇଛି। ଏହି ଘଟଣା ପୁଲିସ ମହାନିର୍ଦେଶକ ଏସ୍‌. କେ. ସିଙ୍ଘାଲଙ୍କ ଜ୍ଞାତସାରକୁ ଆସିବା ପରେ ଜୈନ୍‌ଙ୍କ ପଦୋନ୍ନତିକୁ ସ୍ଥଗିତ ରଖାଯାଇଛି। ତାଙ୍କ ବିରୋଧରେ ଉପଯୁକ୍ତ ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଙ୍ଘାଲ କହିଛନ୍ତି।

Leave A Reply