ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ବ୍ଲାକ୍ମେଲ୍ ଅଭିଯୋଗରେ ଜଣେ ଗିରଫ
ଚନ୍ଦ୍ରଶେଖରପୁର: ରାଜଧାନୀରେ ମାତ୍ର ୨୦ ଦିନରେ ୪ଟି ନାମୀଦାମୀ ହସ୍ପିଟାଲ୍ର କର୍ତ୍ତୃପକ୍ଷଙ୍କୁ ଚକିତ୍ସା ଅବହେଳାର ଭୟ ଦେଖାଇ ଲକ୍ଷାଧିକ ଟଙ୍କା ଦାବି କରି ନାକେଦମ୍ କରି ପକାଇଥିବା ଜଣେ ଅଣଓଡ଼ିଆ ଯୁବକ ସଚିନ୍ ଲରେନ୍ସ ଏଲେନ୍ଞ୍ଜିିିକାଲ(୨୭)ଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦାଦାବଟି ଓ ଧମକ ଦେବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ସଚିନଙ୍କ ଘର ମହାରାଷ୍ଟ୍ର ରାଇଘର ଜିଲା ୱାହାଲ ଥାନା ଅଧୀନ ଉଲୱେ।
ଗତ ମେ ୨୩ରେ ଚନ୍ଦ୍ରଶେଖରପୁର ଥାନା ଅଧୀନ ଏକ ଘରୋଇ ହସ୍ପିଟାଲ୍ରେ ନିଜକୁ ଜଣେ କିନ୍ନର ବୋଲି ପରିଚୟ ଦେଇ ନିଜର ଯୌନାଙ୍ଗର ଚିକିତ୍ସା କରିଥିଲେ। ଡାକ୍ତରଙ୍କର ଚିକିତ୍ସା ପରେ ତାଙ୍କର କୌଣସି ଉନ୍ନତି ହେଲାନାହିଁ ବୋଲି ଅଭିଯୋଗ କରି ହସ୍ପିଟାଲ କର୍ତୃପକ୍ଷଙ୍କୁ ଧମକଚମକ ଦେଇଥିଲେ। ବିଭିନ୍ନ ସ୍ତରରେ ଅଭିଯୋଗ କରି ହସ୍ପିଟାଲ୍କୁ ବଦ୍ନାମ କରିବା ଲାଗି ଧମକ ଦେଇ ସେଠାରୁ ୨ ଲକ୍ଷ ଟଙ୍କା ଦାବି କରି ୮୦,୦୦୦ ଟଙ୍କା ନେଇଥିଲେ। ସଚିନଙ୍କ ହାବଭାବ ସନ୍ଦେହଜନକ ଥିବାରୁ ଏନେଇ ହସ୍ପିଟାଲ୍ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ସଚିନଙ୍କୁ ଗିରଫ କରିବା ପରେ ସେ ଏହା ପୂର୍ବରୁ ରାଜଧାନୀର ଆଉ ୩ଟି ହସ୍ପିଟାଲ୍ରେ ବିଭିନ୍ନ ରୋଗୀଙ୍କ ଚିକିତ୍ସା ଅବହେଳାକୁ ନେଇ ଧମକଚମକ ଦେଇ ଲକ୍ଷାଧିକ ଟଙ୍କା ଦାବି କରିଥିବା ଜଣାପଡିଛି। ସହିଦନଗର ଥାନା ଅଧୀନରେ ଥିବା ଏକ ନାମୀ ହସ୍ପିଟାଲ୍ରୁ ଚିକିତ୍ସିତ ହୋଇ ୨୦୧୭ ଡିସେମ୍ବରରେ ଘରକୁ ଯିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଗତ ମେ ୧୦ରେ ସଚିନ୍ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ସଚିନ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଧମକଚମକ ଦେବା ସହିତ ଚିକିତ୍ସା ବାବଦରେ ଖର୍ଚ୍ଚ ୧.୮୦ ଲକ୍ଷ ଟଙ୍କା ଫେରସ୍ତ କରିବାକୁ ଧମକ ଦେଇଥିଲେ। ହସ୍ପିଟାଲ୍ କର୍ତ୍ତୃପକ୍ଷ ରୋଗୀର ଚିକିତ୍ସା ସମ୍ପର୍କିତ ସମସ୍ତ କାଗଜପତ୍ର ଦେଖାଇବା ସତ୍ତେ୍ୱ ସେ ହସ୍ପିଟାଲ୍ର ଅବହେଳା ପ୍ରଦର୍ଶନ ସମ୍ପର୍କରେ ବିଭିନ୍ନ ସ୍ତରରେ ଲିଖିତ ଭାବେ ଅଭିଯୋଗ କରିବାକୁ ଧମକଚମକ ଦେଇଥିଲେ। ହେଲେ ସଚିନ୍ ସେଠାରେ ସଫଳ ହୋଇପାରି ନ ଥିଲେ।
ସେହିପରି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଅନ୍ୟ ଏକ ନାମୀ ହସ୍ପିଟାଲ୍ ଏବଂ ନୂଆପଲ୍ଲୀ ଥାନା ଅଧୀନ ଇନ୍ଦ୍ରଧନୁ ମାର୍କେଟ ନିକଟରେ ଥିବା ଏକ ହସ୍ପିଟାଲ୍ର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିକିତ୍ସା ଅବହେଳାର ବାହାନାରେ ବିଭିନ୍ନ ପ୍ରକାର ଆଇନକାନୁନ୍ର ପାଠ ପଢ଼ାଇ ଦାବାବଟି ଆଦାୟ କରିଥିବା ତଦନ୍ତ ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜାଣିବାକୁ ପାଇଛି। ସଚିନ ଏକାଧିକ ହସ୍ପିଟାଲ୍ରୁ ଏଭଳି ସମାନ ଢ଼ଙ୍ଗରେ ଦାଦାବଟି ଆଦାୟ କରିବାର ଏକ ନୂଆ କୌଶଳ ଆପଣାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।