ମାଓନେତାଙ୍କ ହାତରେ କଳାଧନ ; ବଢ଼ାଉଛନ୍ତି ହିଂସା
କଟକ : ବିପୁଳ କଳାଧନର ମାଲିକ ହୋଇଛନ୍ତି ମାଓବାଦୀ ନେତା। ମାଲକାନାଗିରି ପରି ମାଓ ପ୍ରବଣ ଅଞ୍ଚଳରୁ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଚାଲାଣ ସମୟରେ ଧରାପଡିଛି। ମାଓ ନେତାଙ୍କର ବହୁ ସଂପତ୍ତି ଜବତ କରାଯାଇଛି। ତେବେ ମାଓ ନେତାମାନେ କଳାଧନ ଅର୍ଜନ କରି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କରୁଥିବା କଥା କହିଛନ୍ତି କଳାଧନ ପ୍ରସଙ୍ଗର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।
ଏସଆଇଟିର କଳାଧନ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜଷ୍ଟିସ ପଶାୟତଙ୍କ ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଶନିବାର ହୋଇଥିଲା। ବୈଠକ ପରେ ଜଷ୍ଟିସ୍ ପଶାୟତ ଗଣମାଧ୍ୟମକୁ ଉପରୋକ୍ତ ସୂଚନା ଦେଇଛନ୍ତି। ମାଓ ନେତାଙ୍କ ଠାରୁ ନିଶାଦ୍ରବ୍ୟ ଜବତ ହୋଇଥିବାବେଳେ ସେମାନଙ୍କର କୋଟି କୋଟି ଟଙ୍କାର ସଂପତ୍ତି ଠାବ କରାଯାଇ ଜବତ ହୋଇଛି। ଏହି ନିଶାଦ୍ରବ୍ୟ ଓଡିଶାରୁ ପରିବହନ ହୋଇଯିବା ପରେ ଲକ୍ଷ୍ନୌ, କୋଲକତା ଓ ଦିଲ୍ଲୀ ଭଳି ସହରରୁ ଏହା ଜବତ ହୋଇଛି ବୋଲି ସେ କହିଛନ୍ତି।
ତେବେ ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ ଓ ଇଡି ପକ୍ଷରୁ କୋଟି କୋଟି ଟଙ୍କାର କଳାଧନ ନକ୍ସଲ ଓ ମାଓନେତାଙ୍କ ଠାରୁ ଜବତ ହୋଇଥିବା ଜଣାପଡିଛି। ଏହା ସହିତ ଓଡିଶାର ଧଳସାମନ୍ତ ବ୍ରଦର୍ସ, ସୁର ଓ ସାରଥୀଙ୍କ କଳାଧନ ଇଡି ଜବତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଖଣି ଦୁର୍ନୀତିରେ କେତେ ଟଙ୍କା ଜୋରିମାନା ଆଦାୟ ହୋଇପାରିଛି ଓ ଆଉ କେତେ ଆଦାୟ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ରାଜ୍ୟ ବାହାରର ୬ଟି ଶିକ୍ଷା ସଂସ୍ଥାରୁ ୭ଶହ କୋଟି ଟଙ୍କାର ଟିକସ ଆଦାୟ ହୋଇଥିବା ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ପଶାୟତ ସୂଚନା ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ହୋଇଥିବା ଚିଟ୍ଫଣ୍ଡ ଠକେଇର ସ୍ଥିତିପତ୍ର ନେଇଥିଲେ ଏସଆଇଟି।
୨୦୧୪ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରରେ ସିବିଆଇ ପକ୍ଷରୁ ୪୪ଟି ଚିଟ୍ଫଣ୍ଡ ସଂସ୍ଥା ବିରୋଧରେ ମାମଲା ଦାୟର କରାଯାଇଥିଲା। ସେଥିମଧ୍ୟରୁ ୨୯ଟି ଚିଟଫଣ୍ଡ ମାମଲା ରୁଜୁ ହୋଇଥିବାବେଳେ ୭ଟି ମାମଲାରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ ହୋଇସାରିଛି। ୧୫ଟି ମାମଲାର ପ୍ରମୁଖ ଚାର୍ଜସିଟ ଦାଖଲ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର ଭଳି ୬ଟି ଚିଟ୍ଫଣ୍ଡ ମାମଲାର ଯାହା ଓଡିଶାରେ ଚାଲୁଥିଲା ତାହାର ତଦନ୍ତ ଜାରି ରହିଛି। ଅନେକ ସଂସ୍ଥାର ବହୁ ସଂପତ୍ତି ଚିହ୍ନଟ କରାଯାଇଛି। କିଛି ସଂପତ୍ତି ଇଡି ଜରିଆରେ ଜବତ କରାଯାଇଛି। ୧୧ଟି ମାମଲାରେ ଚିଟଫଣ୍ଡ ସଂସ୍ଥା ମାଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିଜେଏମ କୋର୍ଟ। ସେହିଭଳି ଇଡି ସୂଚନା ଅନୁଯାୟୀ ଚାରୋଟି ପ୍ରମୁଖ ଚିଟଫଣ୍ଡ କଂପାନୀର ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସଂପତ୍ତି ଜବତ ହୋଇଥିବାବେଳେ ଏହିସବୁ ସଂପତ୍ତିକୁ ବାଜ୍ୟାପ୍ତି ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି। ଏସଆଇଟି ଅଦ୍ୟାବଧି ସୁପ୍ରିମକୋର୍ଟଙ୍କ ନିକଟରେ ୬ଟି ଅନ୍ତରୀଣ ରିପୋର୍ଟ ଦାଖଲ କରି ସାରିଲେଣି।
ଏହି ବୈଠକରେ ଓଡିଶାରେ କାର୍ଯ୍ୟ କରୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦାଧିକାରୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ପଙ୍କଜ ଶ୍ରୀବାସ୍ତବ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବାଞ୍ଚଳ ସ୍ୱତନ୍ତ୍ର ନିର୍ଦ୍ଦେଶକ ଯୋଗେଶ ଗୁପ୍ତା, ଓଡିଶା ଶାଖା ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର, ଡିଜିପି ଆର.ପି ଶର୍ମା, ସିବିଆଇ ଏସପି ପ୍ରମୋଦ ମାନ୍ଝି, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ଷ୍ଟିଲ ଆଣ୍ଡ ମାଇନ୍ସର ପ୍ରମୁଖ ସଚିବ ଆର.କେ ଶର୍ମା, ଖଣି ବିଭାଗ ନିର୍ଦ୍ଦେଶକ ଦୀପକ ମହାନ୍ତି, ଆରବିଆଇ ଜିଏମ ଏସ.ବି ପଟେଲ, ସିଆଇଟି(ପ୍ରଶାସନ)ସରୋଜ କୁମାର ମହାପାତ୍ର, ରାଜସ୍ୱ ଗୁଇନ୍ଦା ବିଭାଗ ଉପସଚିବ ଏନ.ଗାନ୍ଧି କୁମାର, ଏଫଆଇୟୁ ପକ୍ଷରୁ ଅତିରିକ୍ତ ନିର୍ଦ୍ଦେଶକ ସର୍ବଭନ ଗୋତ୍ରୁ, ସିରିୟସ ଫ୍ରଡ ଇନଭେଷ୍ଟିଗେସନ ଅଫିସ ଉପ ନିର୍ଦ୍ଦେଶକ ବିଜୟ ଗୁପ୍ତା, ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟର ଟ୍ୟାକ୍ସେସ(ସିବିଡିଟି) ତଦନ୍ତ ଅଧିକାରୀ ଏସ.କେ ସିଂହ, ରାଜସ୍ୱ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଡି.ପି ଦାସ, ସେବି ଡିଜିଏମ ପ୍ରୀତି ମାହେଶ୍ୱରୀ, ସେବି ଡିଜିଏମ ଅମନ ଜୈନ, ଡିଆରଆଇ ଉପ ନିର୍ଦ୍ଦେଶକ ଏ.ତୁଷାର ପରାସର, ବାଣିଜ୍ୟକର ଯୁଗ୍ମ ଆୟୁକ୍ତ ବିଶ୍ୱଜିତ ପାଲ ପ୍ରମୁଖ ବହୁ ବିଭାଗର ପଦାଧିକାରୀ ଏହି ବୈଠକରେ ଯୋଗଦେଇ ସ୍ଥିତିପତ୍ର ଦାଖଲ କରିଛନ୍ତି।