ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ମିଛ ଧରାପଡିଛି : ବିଧାୟକ ନାଉରୀ ନାୟକ
ସମ୍ବଲପୁର : ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳରୁ ବଞ୍ଚିତ ରଖାଯିବା ପାଇଁ ରାଜ୍ୟ ସରକାଙ୍କ ବିରାଟ ଷଡଯନ୍ତ୍ର ଧରା ପଡିଛି । ଏହି ଷଡଯନ୍ତ୍ର ଯୋଗୁଁ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି ଓ ଏହି ମିଛଧରା ପଡିଛି ବୋଲି ବିଧାୟକ ନାଉରୀ ନାୟକ ଅଭିଯୋଗ କରିଛନ୍ତି। ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଉପ ସଭାପତି ତଥା ବିଧାୟକ ନାଉରୀ ନାୟକଙ୍କ ନେତୃତ୍ୱରେ ନୁଆଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଫସଲ ବୀମା ସଂକ୍ରାନ୍ତରେ କୃଷି ବିଭାଗର ଅତିରିକ୍ତ ସଚିବଙ୍କୁ ସାକ୍ଷାତ କରିଥିଲେ।
ସମସ୍ତ ଟେକନିକାଲ ବିଷୟରେ ଅବଗତ ହେବା ପରେ ବିଧାୟକ ଶ୍ରୀ ନାୟକ ରାଜ୍ୟ ସରକାରଙ୍କ ଉପରେ ବର୍ଷି କହିଛନ୍ତି ଯେ, ନିଜ ଦୋଷ ଲୁଚାଇବା ପାଇଁ ଯେତେ ସମ୍ଭବ, ତାହା ଠାରୁ ଅଧିକ ମିଛ କହିବାକୁ ରାଜ୍ୟ ସରକାର ସଙ୍କୋଚ ମଧ୍ୟ କରୁ ନାହାନ୍ତି । ରାଜ୍ୟ ସରକାରଙ୍କ ଷଡଯନ୍ତ୍ର କରି ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣକାରୀ ଯୋଜନା ସମେତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ବାଧକ ସାଜିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ତଥା ବିଭିନ୍ନ ଦୁର୍ବିପାକ ଓ ରୋଗପୋକ ଦାଉରୁ ଫସଲ ନଷ୍ଟ ହେଲେ, ଚାଷୀ ମାନଙ୍କୁ କ୍ଷତିପୂରଣ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିକୁ ନେଇ ସମସ୍ୟା ଉପୁଜିଲେ, ତାହାର ସମାଧାନ ନିମନ୍ତେ କେନ୍ଦ୍ର ସରକାର ସଂଶୋଧିତ ପରିଚାଳନା ନିୟମାବଳୀ ୨୦୨୦ ମସିହାରୁ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି । ଉକ୍ତ ନିୟମାବଳୀ ଅନୁଯାୟୀ ବୀମା କମ୍ପାନୀ ଓ ଚାଷୀ ମାନଙ୍କ ମଧ୍ୟରେ ସମସ୍ୟାକୁ ସମାଧାନ ନିମନ୍ତେ ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶ କମିଟି (ଏସଟିଏସି) ଦ୍ୱାରା ବିଚାର କରାଯାଇ ସମାଧାନ କରାଯାଇପାରିବ । ସେହି କମିଟିର ମୁଖ୍ୟ ଭାବରେ କୃଷି ବିଭାଗର ପ୍ରମୁଖ ସଚିବ ଏବଂ ସଦସ୍ୟ ରୂପେ ରାଜ୍ୟର ବିଶ୍ୱବିଦ୍ୟାଳୟର ପ୍ରଫେସର, ରାଜ୍ୟ ରିମୋଟ ସେନ୍ସିଂର ବରିଷ୍ଠ ଅଧିକାରୀ ଓ ଆସିଏଆରର ପ୍ରତିନିଧି ରହିବାର ନିୟମ ରହିଛି । କିନ୍ତୁ ଦୀର୍ଘ ୨ ବର୍ଷ ବିତିଯିବା ସତ୍ୱେ ୫-ଟି ସରକାର ବୋଲାଉଥିବା ରାଜ୍ୟ ସରକାର କେନ୍ଦ୍ରୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ କମିଟି ଗଠନ କରି ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ରାଜ୍ୟ ବିଜେଡି ସରକାର ମନଇଚ୍ଛା ଅନ୍ୟ ଏକ କମିଟି ଏସଏଲଟିସି (ଷ୍ଟେଟ ଲେବଲ ଟେକ୍ନିକାଲ କମିଟି) ଗଠନ କରି କୃଷି ବିଭାଗର ନିର୍ଦ୍ଦେଶକଙ୍କୁ ମୁଖ୍ୟ କରିଛନ୍ତି, ଯାହା ବୈଧ୍ୟ ନୁହେଁ ବୋଲି କେନ୍ଦ୍ର ସରକାର ଗତ ଅଗଷ୍ଟ ୩୧ ତାରିଖରେ ପତ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ଭାବରେ ଜଣାଇ ସାରିଛନ୍ତି । ଗୋଟିଏ ନିୟମକୁ ଭାଙ୍ଗି ଜଣେ ନିର୍ଦ୍ଦେଶକ ସ୍ତରର ଅଧିକାରୀଙ୍କ ଦ୍ୱାରା ଏ ସର୍ମ୍ପକୀତ ବିବାଦ ସମାଧାନ କରିବା ଉଦ୍ୟମ ଅତ୍ୟନ୍ତ ଲଜ୍ଜାଜନକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିଗତ ଦିନରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସମସ୍ୟା ସର୍ମ୍ପକରେ ପତ୍ରାଚାର ହେବା ପରେ ସେପ୍ଟେମ୍ବର ୧୬ ତାରିଖରେ କେନ୍ଦ୍ରକୁ ଚିଠି ଲେଖି ମୋଟ ୧୮୯ ମାମଲାର ସମାଧାନ ହୋଇ ପାରି ନ ଥିବା ରାଜ୍ୟ ସରକାର ଜଣାଇଛନ୍ତି । ଏଣୁ ଏହି ୧୮୯ ମାମଲାର ତର୍ଜମା କରି କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶ କମିଟି ୩ ନଭେମ୍ବରରେ ଏକ ବୈଠକ କରି ନିର୍ଣ୍ଣୟ ନେବା ପରେ ନିର୍ଦ୍ଦେଶନାମା ଜାରି କରିବେ । ଅନ୍ୟ ପଟରେ ୧୮୯ଟି ମାମଲା ପାଇଁ ବଳକା ଲକ୍ଷ ଲକ୍ଷ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନରେ ରାଜ୍ୟ ସରକାର ବାଧକ କଣ ପାଇଁ ସାଜିଛନ୍ତି ବୋଲି ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାୟକ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୮୯ ମାମଲାର ନିଷ୍ପତ୍ତି ନିଆଯିବା ଜଣାପଡିବା ପରେ ରାଜ୍ୟରେ ଚାଷୀ ମାନଙ୍କ ମଧ୍ୟରେ ବିଜେଡି ଜାଣିଶୁଣି ବିଭ୍ରାଟ ସୃଷ୍ଟି କରୁଛି । ଏଣୁ ଏଥିରେ ବିରାଟ ଷଡଯନ୍ତ୍ର ଓ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ନୁଆଦିଲ୍ଲୀ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଓ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ମଧ୍ୟ ସାମିଲ ରହିଥିଲେ।
Comments are closed.