ଭୁବନେଶ୍ୱର: ରାଜ୍ୟ ବିେଜେପି ପକ୍ଷରୁ ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଶନିବାର ଠାରୁ ଆରମ୍ଭ ହେବ। ଆଜି ଅପରାହ୍ନରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଧାୟକଦଳ ନେତା କେ.ଭି.ସିଂହଦେଓଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଯୋଗ ଦେବେ। ସେହିପରି ଦ୍ୱିତୀୟଦିନ ବୈଠକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଧାୟକ ଦଳ ନେତା କେ.ଭି.ସିଂହଦେଓଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦମଧ୍ୟ ଯୋଗ ଦେବେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକକୁ ରବିବାର ଦିନ ପୂର୍ବାହ୍ନରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ଉଦ୍ଘାଟନ କରିବେ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ଶାସକ ବିଜେଡିର ଅସହିଷ୍ଣୁତା ଏବଂ ଅପାରଗତା କାରଣରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରିବକଲ୍ୟାଣ ଯୋଜନାଗୁଡିକ ରାଜ୍ୟବାସୀ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଦୁଇ ଦିନିଆ କାର୍ଯ୍ୟକାରିଣୀରେ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
Popular Categories



