୨୦୧୯: ବିଏସ୍ପି ଢାଞ୍ଚାକୁ ଆପଣେଇବ ବିଜେପି
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ୫୪୩ ଟି ଯାକ ସଂସଦୀୟ ଆସନରେ ଭାରପ୍ରାପ୍ତ ନେତା ନିଯୁକ୍ତ କରିବ। ଏହାସହିତ ପ୍ରତି ରାଜ୍ୟ ପାଇଁ ଏକ ୧୧ ଜଣିଆ କମିଟି ଗଠନ କରିବ। ଦେଶର ଦ୍ୱିତୀୟ ରାଜନୈତକ ଦଳ ଭାବରେ ବିଜେପି ଏଭଳି ସାଂଗଠନିକ ବ୍ୟବସ୍ଥା ଆପଣେଇବାକୁ ଯାଉଛି। ଏହାପୂର୍ବରୁ ବହୁଜନ ସମାଜ ପାର୍ଟି ଏଭଳି ଢାଞ୍ଚା ତିଆରି କରିଛି।
ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଭାରପ୍ରାପ୍ତ ନେତା ବା ପ୍ରଭାରୀମାନଙ୍କୁ ଅନ୍ୟ ସଂସଦୀୟ କ୍ଷେତ୍ରରୁ ଚୟନ କରାଯିବ। ତାଙ୍କ ନେତୃତ୍ୱରେ କମିଟିର ଅନ୍ୟ ସଦସ୍ୟଙ୍କୁ ନିଯୁକ୍ତ କରାଯିବ। ‘ଚୁନାଓ ତୟାରି ତୋଲି’ ନାମରେ ନାମିତ ହେବାକୁ ଥିବା ଏହି କମିଟି ପାଇଁ ମୁଖ୍ୟତଃ ୧୩ଟି ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ସମ୍ପୃକ୍ତ ରାଜ୍ୟର ପ୍ରମୁଖ ସାମାଜିକ ସମସ୍ୟା, ରାଜନୈତିକ ସ୍ଥିତି, ବିରୋଧୀ ଦଳର ସ୍ଥିତି, ମେଣ୍ଟ ଗଠନର ସମ୍ଭାବନା, ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନା ଦ୍ୱାରା ଉପକୃତ ହିତାଧିକାରୀ, ଦଳରେ ମିଶିବାକୁ ଚାହୁଁଥିବା ବ୍ୟକ୍ତି ଓ ନେତାଙ୍କ ଇତିହାସ ଆଦି ଯାଞ୍ଚ କରି କମିଟି ରିପୋର୍ଟ ପ୍ରସ୍ତୁତ କରିବ।
ଉକ୍ତ ୧୧ ଜଣିଆ ଟିମ୍ ମଧ୍ୟରୁ ୩ ଜଣ ପ୍ରମୁଖ ଗଣମାଧ୍ୟମ ଓ ୩ ଜଣ ସାମାଜିକ ଗଣମାଧ୍ୟମ ସହିତ ପ୍ରତ୍ୟକ୍ଷ ସମ୍ପର୍କ ଓ ଦାୟିତ୍ୱରେ ରହିବେ। ଆଉ ତିନି ଜଣ ଆଇନଗତ ଦିଗ ଓ ବିଷୟରେ ବୁଝାବୁଝି କରିବେ। ଆଉ ଦୁଇ ଜଣଙ୍କ ଉପରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ସଫଳ ରୂପାୟନ ତଦାରଖ ଦାୟିତ୍ୱ ନ୍ୟସ୍ତ ହେବ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୂତ କରିବାକୁ ମୋଦି ଓ ଶାହା ଏହି ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଶାହା ଜୁନ୍ ୧୦ ତାରିଖରେ ଛତିଶଗଡ଼ରୁ ଅଭିଯାନ ଆରମ୍ଭ କରିବେ। ଜୁଲାଇ ଶେଷ ସୁଦ୍ଧା ସବୁ ରାଜ୍ୟକୁ ଗସ୍ତ କରିବା ସହିତ କମିଟି ଗଠନ ପ୍ରକ୍ରିୟା ଚୂଡ଼ାନ୍ତ କରିବେ।