ବିଜେପି ସାଂସଦ ବନ୍ଦାରୁ ଦତ୍ତାତ୍ରୈୟଙ୍କ ପୁଅ ହୃଦ୍ଘାତରେ ମୃତ
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ବନ୍ଦାରୁ ଦତ୍ତାତୈ୍ରୟଙ୍କ ପୁତ୍ର ବନ୍ଦାରୁ ବୈଷ୍ଣବଙ୍କର ମଙ୍ଗଳବାର ରାତିରେ ହୃଦ୍ଘାତ ଯୋଗୁ ପରଲୋକ ଘଟିଛି। ତୃତୀୟ ବର୍ଷ ମେଡିକାଲ ଛାତ୍ର ଥିବା ୨୧ ବର୍ଷ ବୟସ୍କ ବନ୍ଦାରୁ ହାଇଦ୍ରାବାଦ୍ ଅନ୍ତର୍ଗତ ରାମନଗରସ୍ଥିତ ନିଜ ବାସଭବନରେ ପରିବାର ଲୋକଙ୍କ ସହିତ ମଙ୍ଗଳବାର ରାତ୍ରିଭୋଜନ କରିବା ବେଳେ ହଠାତ୍ ତଳେ ପଡିଯାଇଥିଲେ। ପିତା ଦତ୍ତାତୈ୍ରୟ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାତି ପ୍ରାୟ ୧୨ଟା ୩୦ ମିନିଟ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ହୃଦ୍ରୋଗରେ ପୀଡ଼ିତ ଥିବା ଦତ୍ତାତୈ୍ରୟଙ୍କୁ ବୁଧବାର ସକାଳେ ପୁତ୍ରର ମୃତ୍ୟୁ ଖବର ଦିଆଯାଇଥିଲା। ହାଇଦ୍ରାବାଦ୍ ମେୟର ବୋନ୍ଥୁ ରାମମୋହନ ଏବଂ ବିଜେପିର ବରିଷ୍ଠ ନେତା କେ. ଲକ୍ଷ୍ମଣଙ୍କ ସମେତ ଦଳର ବହୁ ନେତା ବୁଧବାର ସକାଳେ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।