ବିକ୍ଷୋଭରେ ସାମିଲ ଦୁଇ ବିଜେପି ମନ୍ତ୍ରୀଙ୍କ ଇସ୍ତଫା
ଶ୍ରୀନଗର : କଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଜାମ୍ମୁ-କାଶ୍ମୀର ରାଜ୍ୟ କ୍ୟାବିନେଟରୁ ଦୁଇଜଣ ବିଜେପି ମନ୍ତ୍ରୀ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଦୁଇ ମନ୍ତ୍ରୀ ହେଲେ ଜଙ୍ଗଲ ମନ୍ତ୍ରୀ ଚୌଧୁରୀ ଲାଲ ସିଂହ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଚନ୍ଦ୍ର ପ୍ରକାଶ ଗଙ୍ଗା। ଉଭୟ ସେମାନଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ସତ ଶର୍ମାଙ୍କ ନିକଟକୁ ପଠାଇଛନ୍ତି। ରାଜ୍ୟରେ ପିଡିପି ଓ ବିଜେପି ମେଣ୍ଟ ସରକାର ଚାଲିଥିବାବେଳେ ପିଡିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଦାବି ଆଧାରରେ ଦୁଇମନ୍ତ୍ରୀ ଇସ୍ତଫା ଦେଇଛନ୍ତି। କଠୁଆ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୁକ୍ତି ଦାବିରେ ହିନ୍ଦୁ ମୌଳବାଦୀ ସଂଗଠନ ପକ୍ଷରୁ ରାଜ୍ୟରେ ବିକ୍ଷୋଭ ସମାବେଶ ହୋଇଥିଲା। ଏହି ବିକ୍ଷୋଭ ସମାବେଶରେ ଉକ୍ତ ଦୁଇମନ୍ତ୍ରୀ ସାମିଲ ହୋଇଥିଲା। ବିକ୍ଷୋଭରେ ମନ୍ତ୍ରୀଙ୍କ ସାମିଲକୁ ବିରୋଧ କରି ବିରୋଧୀ ନ୍ୟାସନାଲ କନଫରେନ୍ସ ସେମାନଙ୍କର ଇସ୍ତଫା ଦାବି କରିଥିଲା।