ଲୋକସଭା ନିର୍ବାଚନ ପାଇଁ ବିଜେପିର ରଣନୀତି, ସବୁ ଆସନ ଲାଗି ନିଯୁକ୍ତ ହେବେ ପ୍ରଭାରୀ
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଦେଶରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ପାଇଁ ବିଜେପି ତାର ରଣନୀତି ପ୍ରସ୍ତୁତ କରିଛି। ପ୍ରତ୍ୟେକ ଲୋକସଭା ଆସନକୁ ଦୃଷ୍ଟିରେ ରଖି ବିଜେପି ରଣନୀତି ପ୍ରସ୍ତୁତ କରିଛି। ଏଥିପାଇଁ ଦଳର ସମସ୍ତ ଲୋକସଭା ଆସନ ଲାଗି ଜଣେ ଜଣେ ପ୍ରଭାରୀ ନିଯୁକ୍ତ କରିବାର ବ୍ୟବସ୍ଥା କରିଛି। ଏହି ପ୍ରଭାରୀମାନେ ସମ୍ପୃକ୍ତ ଲୋକସଭା ନିର୍ବାଚନମଣ୍ଡଳୀ ବାହାର ଲୋକ ରହିବେ। ଏମାନେ ନିର୍ବାଚନମଣ୍ଡଳୀର ନିର୍ବାଚନ ପରିଚାଳନାକୁ ତଦାରଖ କରିବେ। ଏହି ପ୍ରଭାରୀ ସହିତ ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ଜଣିଆ ସୋସିଆଲ ମିଡିଆ ଟିମ୍, ତିନିଜଣିଆ ନ୍ୟାୟିକ ଟିମ୍, କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତାକୁ ଅନୁଧ୍ୟାନ ପାଇଁ ଏକ ଦୁଇଜଣିଆ ଟିମ୍ ଗଠନ କରାଯିବ। ମିଡିଆ ଟିମ୍ ମିଡିଆ ପରିଚାଳନା କରିବେ। ସେହିପରି ପ୍ରତ୍ୟେକ ରାଜ୍ୟର ନିର୍ବାଚନକୁ ପରିଚାଳନା ପାଇଁ ଏକ ୧୧ଜଣିଆ କମିଟି ଗଠନ କରାଯିବ। ଏହାକୁ ନିର୍ବାଚନ ପ୍ରସ୍ତୁତି ଦଳ (ଚୁନାବ ତୟାରି ଟୋଲି) କୁହାଯିବ। ଏହା ରାଜ୍ୟ ସମ୍ପର୍କିତ ୧୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବ।
ବିଜେପି ପ୍ରଥମ କରି ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଭାରୀ ନିଯୁକ୍ତି ବ୍ୟବସ୍ଥା କରିଛି। ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି) ଏପରି ପ୍ରଭାରୀ ନିଯୁକ୍ତିର ବ୍ୟବସ୍ଥା କରିଆସୁଛି। ଜଣେ ବିଜେପି ନେତାଙ୍କ କହିବା ଅନୁଯାୟୀ ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି। ଦଳର ନେତାଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଦଳର ଦୁର୍ବଳତାକୁ ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୧୪ ଲୋକସଭା ନିର୍ବାଚନ ଅପେକ୍ଷା ୨୦୧୯ ନିର୍ବାଚନରେ ଅଧିକ ଆସନରେ ବିଜୟୀ ହେବା ଲାଗି ଦଳ ଯୋଜନା କରିଛି।
ଅନ୍ୟ ଜଣେ ଦଳୀୟ ନେତାଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସାଂଗଠନିକ କାର୍ଯ୍ୟକୁ ଗୁରୁତ୍ୱ ଦେବେ। ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟ ଲାଗି ଜୁନ୍ ୧୦ରୁ ଶାହା ସମସ୍ତ ରାଜ୍ୟ ଗସ୍ତ କରିବା ଆରମ୍ଭ କରିଛନ୍ତି। ଜୁଲାଇ ଶେଷ ସୁଦ୍ଧା ସେ ସମସ୍ତ ରାଜ୍ୟ ଗସ୍ତ ଶେଷ କରିବେ। ଏହି ଅବସରରେ ସେ ପ୍ରତ୍ୟେକ ରାଜ୍ୟର ୧୧ଜଣିଆ ଟିମ୍ ଗଠନ କରିବେ। ପ୍ରତ୍ୟେକ ରାଜ୍ୟ ୟୁନିଟ୍ ସାମାଜିକ, ରାଜନୈତିକ ପ୍ରସଙ୍ଗ, ବିରୋଧୀଙ୍କ ମେଣ୍ଟ ଯୋଜନା, କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ଯୋଜନାକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରିବେ। ନିକଟରେ ବିଜେପିରେ ଯୋଗ ଦେଇଥିବା ନେତାମାନଙ୍କର ବ୍ୟାକଗ୍ରାଉଣ୍ଡ ସମ୍ପର୍କରେ ରାଜ୍ୟ ୟୁନିଟ ଅନୁଧ୍ୟାନ କରିବେ। ଶାହାଙ୍କ ରାଜ୍ୟ ଗସ୍ତ ପୂର୍ବରୁ ଏହିସବୁ ରିପୋର୍ଟ ପ୍ରସ୍ତୁତ କରାଯାଇ ଉପସ୍ଥାପନ କରାଯିବ। ସେହିପରି କେତେକ ରାଜ୍ୟରେ ବିରୋଧୀ ଦଳଗୁଡିକ ମେଣ୍ଟ କରି ବିଜେପିକୁ ମୁକାବିଲା କରିବା ଲାଗି ଯୋଜନା କରିଥିବାବେଳେ ଏହାକୁ ପ୍ରତିହତ କରିବା ଲାଗି ଦଳ ପଦକ୍ଷେପ ନେଇଛି। ବିଶେଷକରି ଉତ୍ତରପ୍ରଦେଶର ଏସପି-ବିଏସପି-କଂଗ୍ରେସ ମେଣ୍ଟ କରିବା ଲାଗି ଯୋଜନା କରିଥିବାବେଳେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ କରିଛନ୍ତି। ଶାହା ତାଙ୍କର ଗସ୍ତ କାଳରେ ରାଜ୍ୟର ୧୧ଜଣିଆ ଟିମ୍ ସହିତ ବ୍ୟାପକ ବିଚାରବିମର୍ଶ କରିବେ। ଏହା ସହିତ ଆରଏସଏସ୍ର କାର୍ଯ୍ୟକର୍ତ୍ତା ଓ ପୂର୍ଣ୍ଣକାଳୀନ ସ୍ୱେଚ୍ଛାସେବୀଙ୍କ ସହିତ ଆଲୋଚନା କରିବେ। ଗସ୍ତ ପରେ କାର୍ଯ୍ୟକୁ ପରିଚାଳନା ପାଇଁ ପ୍ରତ୍ୟେକ ରାଜ୍ୟ ଦାୟିତ୍ୱରେ ଜଣେ ଲେଖାଏଁ ସାଧାରଣ ସମ୍ପାଦକ ରହିବେ।