ଡେସ୍କ: ହାଇଦ୍ରାବାଦ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କେ ମାଧବୀ ଲତା, ଯିଏ ବର୍ତ୍ତମାନର ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ବିପକ୍ଷରେ ଲଢୁଛନ୍ତି, ତାଙ୍କର ପାରିବାରିକ ସମ୍ପତ୍ତି ୨୨୧ କୋଟି ଟଙ୍କା ବୋଲି ତାଙ୍କ ନିର୍ବାଚନୀ ସତ୍ୟପାଠରେ ଦର୍ଶାଯାଇଛି। ତେବେ ହାଇଦ୍ରାବାଦରେ ତାଙ୍କ ନାମରେ ଥିବା ବିରଂଚି ହସ୍ପିଟାଲ ବିରୋଧରେ ଅନେକ ମାମଲା ରହିଛି ଏବଂ କୋଭିଡ ସମୟରେ ରୋଗୀଙ୍କୁ ଠକିବା ଅଭିଯୋଗରେ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯାଇଥିଲା।
କିନ୍ତୁ ଏହି ହାଇପ୍ରୋଫାଇଲ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଲତା ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ ହୋଇନାହିଁ ବୋଲି ଦର୍ଶାଯାଇଛି। ଅନ୍ୟପକ୍ଷରେ ପ୍ରତିଦ୍ୱନ୍ଦ୍ୱୀ ଅସଦୁଦ୍ଦିନ ଓୱେସିଙ୍କ ପରିବାର ପାଖରେ ୨୩.୮ କୋଟି ଟଙ୍କାର ସମ୍ପତ୍ତି ରହିଛି ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି।
ଅଲ୍ ଇଣ୍ଡିଆ ମଜଲିସ-ଏ-ଇତିହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟଙ୍କ ପରିବାର ଉପରେ ୭ କୋଟି ଟଙ୍କାର ଋଣ ରହିଛି। ହାଇଦ୍ରାବାଦର ବର୍ତ୍ତମାନର ସାଂସଦ ଲଣ୍ଡନରୁ ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି ଏବଂ ତାଙ୍କ ନାମରେ ପାଞ୍ଚଟି ଅପରାଧିକ ମାମଲା ରହିଛି। ହାଇଦ୍ରାବାଦରେ ଚତୁର୍ଥ ପର୍ଯ୍ୟାୟରେ ମେ ୧୩ରେ ମତଦାନ ହେବ।



