ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ପ୍ରସଙ୍ଗ ନେଇ ବିଧାନସଭା ଘେରିବେ ବିଜେଡି ଓ କଂଗ୍ରେସ ବିଧାୟକ

ନଭେମ୍ବର ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର: ଆସନ୍ତା ୨୬ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ୨୫ରେ କଂଗ୍ରେସ ଏବଂ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ କଂଗ୍ରେସ ଏବଂ ବିଜେଡି ଅନାହାର ମୃତ୍ୟୁ, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି, ନିଯୁକ୍ତି ଏବଂ ଶିଶୁ ବିକ୍ରି ପ୍ରସଙ୍ଗ ଗୃହରେ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଶଙ୍ଖ ଭବନରେ ବିଜେଡିର ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡ଼ିଛି।

ଆଗାମୀ ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ। ମୁଖ୍ୟତଃ କନ୍ଧମାଳ ଜିଲାରେ ଆମ୍ବ ଟାକୁଆ ଜାଉ ଖାଇ ୩ଜଣ ଆଦିବାସୀଙ୍କ ମୃତ୍ୟୁ ପ୍ରସଙ୍ଗ, ଦରଦାମ ବୃଦ୍ଧି, ଖଣିଜ ସମ୍ପଦକୁ ଘରୋଇ କମ୍ପାନୀ ହାତରେ ଟେକି ଦେବା ଭଳି ପ୍ରସଙ୍ଗ ଉତ୍ଥାପନ କରି ସରକାରଙ୍କୁ ଘେରିବାକୁ ରଣକୌଶଳ ତିଆରି କରୁଛି। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ କାଡ଼ାମ କହିଛନ୍ତି, ରାଜ୍ୟରେ ଏବେ ବି ଅନାହାର ମୃତ୍ୟୁ ଦେଖିବାକୁ ମିଳୁଛି। ଆଦିବାସୀମାନେ ସ୍ବାଭିମାନୀ। ଘରେ କିଛି ଖାଇବା ନଥିଲେ ପଡ଼ୋଶୀଙ୍କୁ ମାଗନ୍ତି ନାହିଁ। ରାଜ୍ୟ ସରକାର କେୱାଇସି ଅପଡେଟ୍‌ ନାଁରେ ରେସନ ଚାଉଳ ବଣ୍ଟନ କରିବାରେ ୨ରୁ ୩ମାସ ବିଳମ୍ବ କରିବା ଯୋଗୁଁ ବାଧ୍ୟ ହୋଇ ଆଦିବାସୀ ଆମ୍ବ ଟାକୁଆ ଜାଉ ଖାଇଥିଲେ।

prayash

ବ୍ରହ୍ମପୁର ଡାକ୍ତରଖାନାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ବଡ଼ ଡାକ୍ତରଖାନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଏହା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। କଂଗ୍ରେସ ଏହାକୁ ବିଧାନସଭାରେ ଉଠାଇବ ଏବଂ ସରକାରଙ୍କୁ ଜବାବ ମାଗିବ। ସେହିଭଳି ଭାବେ ରାଜ୍ୟର ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣିଜ ସମ୍ପଦକୁ କିଛି ମୁଷ୍ଟିମେୟ ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ ସରକାର ଚକ୍ରାନ୍ତ କରୁଥିବାରୁ କଂଗ୍ରେସ ଏହାକୁ ଗୃହରେ ଉଠାଇବ। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଶୁକ୍ଳ ହ୍ରାସ ନକରିବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦାମ ୧୦୦ଟଙ୍କା ଉପରେ ରହିଛି। ଏହାର ପ୍ରଭାବ ପରିବହନ ବ୍ୟବସ୍ଥା ଉପରେ ପଡୁଥିବାରୁ ବଜାରରେ ସାମଗ୍ରୀ ଦରଦାମ ବଢ଼ି ଚାଲିଛି। ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଏହା ବାଧୁଛି।

ବିଜେପି ନିର୍ବାଚନ ପ୍ରଚାର ସମୟରେ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି, ସରକାର ଗଠନର ୫ମାସ ଭିତରେ କିଛି ପ୍ରତିଶ୍ରୁତି ପୂରଣ କରିପାରିଲା ନାହିଁ। ଏହାକୁ ବିଧାନସଭାରେ ପ୍ରସଙ୍ଗ କରିବାକୁ କଂଗ୍ରେସ ବିଧାୟକ ରଣନୀତି ପ୍ରସ୍ତୁତ କରୁଛନ୍ତି। ଦଳର ବରିଷ୍ଠ ବିଧାୟକ ଦାଶରଥି ଗମାଙ୍ଗେ କହିଛନ୍ତି, ସରକାର ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଥିବା କହି ଆସୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟର ପ୍ରାଥମିକ, ଉଚ୍ଚପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ପଦ ଖାଲି ପଡ଼ିଛି। ଏହାକୁ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ସରକାର ଏ ପର୍ଯ୍ୟନ୍ତ ସେଠାରେ ପହଞ୍ଚି ଆଦିବାସୀଙ୍କ ପାଇଁ କିଛି କରିପାରିଲେ ନାହିଁ। ଜିଲା ପ୍ରଶାସନ ମଧ୍ୟ ଏ ଦିଗରେ ପଦକ୍ଷେପ ନେଲାନାହିଁ। ୨୦ବର୍ଷ ଭିତରେ ଏଭଳି ମୃତ୍ୟୁ ନିଶ୍ଚିତ ଭାବେ ରାଜ୍ୟ ପାଇଁ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କଂଗ୍ରେସ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ସଜବାଜ ହେଉଛି।

ଅନ୍ୟପଟେ ଗୃହରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ବିଜେଡି ସଜବାଜ ହେଉଛି। ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ, ରାୟଗଡ଼ା ଓ ଖପ୍ରାଖୋଲରେ ଶିଶୁ ବିକ୍ରି, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଆଦି ପ୍ରସଙ୍ଗ ଗୃହରେ ଉଠାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଆସନ୍ତା ୨୫ ତାରିଖ ଅପରାହ୍ଣରେ ଶଙ୍ଖ ଭବନରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ବିଧାନସଭାରେ ଦଳର ଭୂମିକା କ’ଣ ରହିବ, ସେ ସମ୍ପର୍କରେ ଏକ ପ୍ରାକ୍‌ ଆଲୋଚନା ହୋଇଛି। ଆଲୋଚନାର ନିର୍ଯାସ ସମ୍ପର୍କରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ। ଏହାପରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ ବୋଲି ବିଜେଡି ବିଧାୟକ ଡ. ଅରୁଣ ସାହୁ ସୂଚନା ଦେଇଛନ୍ତି। ପ୍ରଭାବୀ ଢଙ୍ଗରେ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଉଛି ଏବଂ ଆଗକୁ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।

kalyan agarbati

Comments are closed.