ଭୁବନେଶ୍ୱର : ତିତ୍ଲି ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନଠାରୁ ଆରମ୍ଭ କରି ଥଇଥାନ ପର୍ଯ୍ୟନ୍ତ ସବୁଥିରେ ବିଫଳ ହୋଇଛନ୍ତି। ବିଜେପିର ପ୍ରତିନିଧି ଦଳ ତିତ୍ଲି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ଦଳୀୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ତିତ୍ଲିର କ୍ଷୟକ୍ଷତି ପରର ଦୃଶ୍ୟ ସହ ଲୋକଙ୍କ ଦୁର୍ଦଶା ଏବଂ ରିଲିଫରେ ଅନିୟମିତତା ନେଇ ପ୍ରପୀଡିତ ଲୋକଙ୍କ ପ୍ରତିକ୍ରିୟାକୁ ଭିଡିଓ କ୍ଲିପ ଜରିଆରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା।
ସାମ୍ବାଦିକଙ୍କୁ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ ଯେ ଗଜପତି ଏବଂ ଗଞ୍ଜାମ ଜିଲାରେ ତିତ୍ଲି ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଥଇଥାନରେ ବ୍ୟାପକ ଅନିୟମିତତାର ଅଭିଯୋଗ ମିଳିବା ପରେ ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇଥିଲେ। ସରଜମିନ ତଦନ୍ତରୁ ଜଣାପଡ଼ିଛି ଯେ ଏବେ ବି ଅନେକ ସ୍ଥାନରେ ରିଲିଫ ପହଞ୍ଚି ନାହିଁ, ଗମନାଗମନରେ ସୁଧାର ଆସିନାହିଁ। ଚାଷୀଙ୍କୁ କ୍ଷତିପୂରଣ ମିଳିନି। ଘର ଭାଙ୍ଗି ଯାଇଥିବାରୁ ଲୋକମାନେ ହାଡଭଙ୍ଗା ଶୀତରେ ଥରୁଛନ୍ତି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବୁରୁତାଲ ଗ୍ରାମର ଲୋକେ ପଲିଥିନ ଟାଣି ରହୁଛନ୍ତି। ପୂରିଆସାହି ଜଳସେଚନ ପରିଯୋଜନା ‘ପର୍ଶୁରାମ କୁଣ୍ଡ’ ସଂପୂର୍ଣ୍ଣ ଧୋଇଯାଇଛି। ଭୂସ୍ଖଳନରେ ବୁରତାଲ, ଅଙ୍କୁଲୀ ଏବଂ ତୁମ୍ଭା ଗ୍ରାମରେ ୧୧ ଜଣ ପ୍ରାଣ ହରାଇଥିଲେ ମଧ୍ୟ ସେମାନଙ୍କୁ ଏ ପର୍ଯ୍ୟନ୍ତ ସହାୟତା ମିଳିନାହିଁ। ଗଜପତି ଜିଲା ରାୟଗଡ ବ୍ଲକ ମାଦ ଗାଁ ସଂପୂର୍ଣ୍ଣ ଭାସିଯାଇଛି। ଗ୍ରାମବାସୀ ସ୍କୁଲ ଘରେ ରହୁଛନ୍ତି। ଗାଁର ୧୫ ଟି ପରିବାରର ରାସର୍ନ କାର୍ଡ ନଥିବାରୁ ଖାଦ୍ୟ ଯୋଗାଣରୁ ବଞ୍ଚିତ ଅଛନ୍ତି। ସୁନିଲ ରଇତ (୧୩)ବର୍ଷ ଏବଂ ପୂର୍ଣ୍ଣମୀ ମଣ୍ଡଳ (୭)ବର୍ଷ ଏବେ ବି ନିଖୋଜ ଅଛନ୍ତି। ପରିବାର ଲୋକେ ଏମାନଙ୍କୁ ମୃତ ବୋଲି କହୁଥିବାବେଳେ ରାଜ୍ୟ ସରକାର ସେମାନଙ୍କୁ କାହିଁକି ଖୋଜୁନାହାନ୍ତି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି। ବିଧାନସଭାରେ ୨୪ ତାରିଖରେ ତିତ୍ଲି ଉପରେ ୨ ଘଣ୍ଟା ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା , କିନ୍ତୁ ଆଲୋଚନା ନକରି ସରକାରୀ ଦଳ ଏବଂ ବିରୋଧୀ ଦଳ ଏକାଠି ହୋଇ ବିଧାନସଭା ବନ୍ଦ କରିବା ଦୁର୍ଭାଗ୍ୟଜନକ।
କେନ୍ଦ୍ରସରକାର ବ୍ୟାପକ ଭାବେ ଅନୁଦାନ ଦେଇଥିବାବେଳେ ରାଜ୍ୟ ସରକାର ମାତ୍ର ୧ ହଜାର,୨ ହଜାର ଟଙ୍କା ଏବଂ ୫୦ କେଜି ଚାଉଳ ବାଣ୍ଟିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ମୃତକ ପରିବାରକୁ ଏଯାବତ୍ ସହାୟତା ମିଳିନାହିଁ। ଏବେ ବି କ୍ଷତିଗ୍ରସ୍ତ ପରିବାର ଆକାଶ ତଳେ ଜୀବନ ବିତାଉଛନ୍ତି। କେଉଁମାନଙ୍କୁ କେତେ ଅର୍ଥ କ୍ଷତିପୂରଣ ବାବଦ ପ୍ରଦାନ କରାଯାଇଛି ଓ ଭାଙ୍ଗି ଯାଇଥିବା ଘରଗୁଡିକ କେବେ ସୁଦ୍ଧା ନିର୍ମାଣ ସରିବ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତାମାନେ ଦାବି କରିଛନ୍ତି। ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
୪୫ଦିନ ପରେ ବିି କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚିପାରିନି ପ୍ରଶାସନ
Popular Categories



